fbpx

NRRI ରଚିଲା ଇତିହାସ: ୧୧ ରାଜ୍ୟ ପାଇଁ ୯ଟି ନୂଆ କିସମର ଧାନ ଉଦ୍ଭାବନ, ଚାଷୀଙ୍କ ଖର୍ଚ୍ଚ ୫୦ ପ୍ରତିଶତ କମିବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଟକର ବିଦ୍ୟାଧରପୁର ସ୍ଥିତ ଜାତୀୟ ଧାନ ଗବେଷଣା ଅନୁଷ୍ଠାନ (ଏନଆରଆରଆଇ) ଏକ ବଡ଼ ସଫଳତା ହାସଲ କରିଛି । ୯ଟି ନୂତନ କିସମର ଧାନ ଉଦ୍ଭାବନ କରି ଏନଆରଆରଆଇ ଇତିହାସ ରଚିଛି । ଏହି ନୂଆ କିସମର ଧାନ ୧୧ଟି ରାଜ୍ୟର ଜଳବାୟୁ ପାଇଁ ଉପଯୋଗୀ ସାବ୍ୟସ୍ତ ହୋଇପାରିବ । ଫସଲ ମାନକ, ଅଧିସୂଚନା ଓ କିସମ ଉଦ୍ଭାବନ ପାଇଁ ଗଠିତ କେନ୍ଦ୍ରୀୟ ଉପସମିତି ପକ୍ଷରୁ ଏହାକୁ ଅନୁମୋଦନ କରାଯାଇଥିବା ଜଣାପଡ଼ିଛି ।

ଉଦ୍ଭାବନ ହୋଇଥିବା ୩ଟି କିସମର ଧାନ ମରୁଡ଼ିକୁ ସହ୍ୟ କରିବା ସହିତ ଜଳବାୟୁ ପ୍ରତିରୋଧୀ ଗୁଣ ପ୍ରଦର୍ଶନ କରିବ । ସେହି କିସମଗୁଡ଼ିକ ମଧ୍ୟରେ ସି.ଆର. ଧାନ-୮୦୭ ଏକ ଅଗ୍ରଣୀ କିସମ ହୋଇଥିବା ବେଳେ ତାହା ଘାସମରା ଔଷଧ ପ୍ରତିରୋଧୀ ଓ ମରୁଡ଼ି ସହନଶୀଳତା ପାଇଁ ଶ୍ରେଷ୍ଠ ସାବ୍ୟସ୍ତ ହେବ । ଏହାକୁ ବ୍ୟବହାର କରିବା ଫଳରେ ପାରମ୍ପରିକ ଧାନଚାଷ ପଦ୍ଧତିରେ ଚାଷୀଙ୍କର ଖର୍ଚ୍ଚ ୫୦ ପ୍ରତିଶତ ହ୍ରାସ ହୋଇପାରିବ । ସେହିପରି ସି.ଆର. ଧାନ-୮୦୪ କିସମରେ ଜଳମଗ୍ନତା ଓ ମରୁଡ଼ି ସହନଶୀଳତା ଗୁଣ ରହିଥିବା ଜଣାପଡ଼ିଛି ।

ଉଦ୍ଭାବନ ହୋଇଥିବା ନୂଆ କିସମଗୁଡ଼ିକ ହେଉଛି ସି.ଆର. ଧାନ-୮୦୭, ସି.ଆର. ଧାନ-୮୦୪, ସି.ଆର. ଧାନ-୮୦୮, ସି.ଆର. ଧାନ-୨୧୧, ସି.ଆର. ଧାନ-୨୧୨, ସି.ଆର. ଧାନ-୨୧୪, ସି.ଆର. ଧାନ-୩୨୨, ସି.ଆର. ଧାନ-୩୨୯ ଓ ସି.ଆର. ଧାନ-୩୩୧ । ଏହି କିସମଗୁଡ଼ିକ ଓଡ଼ିଶା ସମେତ ଉତ୍ତରପ୍ରଦେଶ, ବିହାର, ଝାଡ଼ଖଣ୍ଡ, ଛତିଶଗଡ଼, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଗୁଜରାଟ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ତାମିଲନାଡ଼ୁରେ ଚାଷ ପାଇଁ ଉପଯୋଗୀ ସାବ୍ୟସ୍ତ ହୋଇପାରିବ । ସି.ଆର. ଧାନ-୨୧୧, ସି.ଆର. ଧାନ-୨୧୨ ଓ ସି.ଆର. ଧାନ-୨୧୪ ଓଡ଼ିଶା ଓ ବିହାରରେ ସୀମିତ ଜଳସେଚନ ଚାଷ ପାଇଁ ଉପଯୋଗୀ ହୋଇ ପାରିବ । ସେହିପରି ସି.ଆର. ଧାନ-୩୨୯ ଓଡ଼ିଶା, ମହାରାଷ୍ଟ୍ର, ବିହାର ଓ ଗୁଜରାଟରେ ଚାଷ ପାଇଁ ପ୍ରଯୁଜ୍ୟ ହେବା ସହ ତାହା ଜଳସେଚିତ ରବି ଋତୁ ପାଇଁ ଉଷ୍ଣ ସହନଶୀଳ ବୋଲି କୁହାଯାଇଛି ।

Get real time updates directly on you device, subscribe now.