fbpx

ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗରେ ଖାଲି ପଡିଛି ୯୮ ହଜାର ପଦବୀ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ପ୍ରାୟ ୯୮ ହଜାର ପଦବୀ ଖାଲି ପଡ଼ିଛି । ୪୧ ବିଭାଗରେ ମୋଟ ୯୮ ହଜାର ୩୪୮ ପଦବୀ ଖାଲି ପଡିଛି । ଏନେଇ ମୁକେଶ ମହାଲିଙ୍ଗଙ୍କ ପ୍ରଶ୍ନରେ ବିଭାଗୀୟ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇ ସୂଚନା ଦେଇଛନ୍ତି । ସ୍ୱାସ୍ଥ୍ୟ ବିଭାଗରେ ସର୍ବାଧିକ ୨୬ ହଜାର ୮୧୫ ପଦବୀ ଖାଲି ଥିବା ଜଣାପଡିଛି ।

ଏହା ସହିତ ଗଣଶିକ୍ଷା ବିଭାଗରେ ୨୧,୮୪୪ ପଦବୀ ଖାଲି ଥିବା ବେଳେ ଗୃହ ବିଭାଗରେ ୭୩୧୫ ପଦବୀ ଖାଲି ପଡିଛି । ସେହିପରି ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗରେ ୫୮୯୨ ପଦବୀ, ଉଚ୍ଚଶିକ୍ଷା ବିଭାଗରେ ୩୭୭୭ ପଦବୀ ଏବଂ କୃଷି ବିଭାଗରେ ୨୮୨୧ ପଦବୀ ଖାଲି ପଡିଛି ।

ତେବେ ମଙ୍ଗଳବାର ବିଧାନସଭାରେ ବିଜେପି ବିଧାୟକ ମୁକେଶ ମହାଲିଙ୍ଗ ପ୍ରଶ୍ନ କରିବା ସହ, ଜାନୁଆରୀ ୩୧ ସୁଦ୍ଧା ରାଜ୍ୟ ସରକାରଙ୍କ କେଉଁ ବିଭାଗରେ କେତେ ସଂଖ୍ୟକ କର୍ମଚାରୀ ପଦବୀ ଖାଲି ଅଛି ତାହା ଜାଣିବାକୁ ଚାହିଁଥିଲେ । ଏଥିସହିତ ରାଜ୍ୟରେ ବେରୋଜଗାରୀ ସଂଖ୍ୟା ହ୍ରାସ କରିବା ପାଇଁ ଓ ସରକାରୀ ଚାକିରି ଆଶାୟୀ ଯୁବକ ଓ ଯୁବତୀଙ୍କୁ ସରକାରୀ ଚାକିରି ନିମନ୍ତେ ପ୍ରତିଯୋଗିତାରେ ସୁଯୋଗ ଦେବା ପାଇଁ ଆବେଦନ କରିବାକୁ ବୟସ ସୀମାକୁ ୪୨ ବର୍ଷ କରିବା ଦାବିକୁ ପୂରଣ ପାଇଁ ସରକାର କୁଣ୍ଠିତ କାହିଁକି ବୋଲି ସେ ପ୍ରଶ୍ନ କରିଥିଲେ ।

ସେହିପରି ପ୍ରଚାର ପ୍ରସାର ବାବଦରେ ୯ ମାସରେ ୨୦ କୋଟି ଖର୍ଚ୍ଚ ହୋଇଛି । ମୁକେଶ ମହାଲିଙ୍ଗଙ୍କ ପ୍ରଶ୍ନର ଉତ୍ତର ରଖିଲେ ମନ୍ତ୍ରୀ ପ୍ରଦୀପ ଅମାତ । ୯ ମାସରେ ୧୯ କୋଟି ୪୦ ଲକ୍ଷ ଖର୍ଚ୍ଚ କରିଛନ୍ତି ରାଜ୍ୟ ସରକାର । ସେହିପରି ମୁଦ୍ରିତ ଗଣମାଧ୍ୟମକୁ ୧୭.୪୩ କୋଟି ଓ ବୈଦ୍ୟୁତିକ ଗଣମାଧ୍ୟମକୁ ୩୧ ଲକ୍ଷ ଦିଆଯାଇଛି । କେବଳ ହୋର୍ଡିଂ ଆଉଟଡୋର ବ୍ରାଣ୍ଡିଂରେ କୋଟିଏ ୯୩ ଲକ୍ଷ ଖର୍ଚ୍ଚ ହୋଇଛି । ୫ ବର୍ଷରେ ସୂଚନା ଓ ଲୋକସମ୍ପର୍କ ବିଭାଗ ଖର୍ଚ୍ଚ କରିଛି ୮୩ କୋଟି ।

Get real time updates directly on you device, subscribe now.