fbpx
BSKY
BJD MC SKY
BJD MS SKY

ଚଳିତ ଶିକ୍ଷାବର୍ଷରୁ ଆରମ୍ଭ ହେବ ‘ମୁଖ୍ୟମନ୍ତ୍ରୀ ଶିକ୍ଷକ ପରିଧାନ ଯୋଜନା’: ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ୟୁନିଫର୍ମ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଶିକ୍ଷାର ବିକାଶ ପାଇଁ ରାଜ୍ୟ ସରକାର ନୂଆ ନୂଆ ପଦକ୍ଷେପ ଗ୍ରହଣ କରୁଛନ୍ତି । ପୂର୍ବରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀର ପିଲାଙ୍କୁ ମାଗଣା ୟୁନିଫର୍ମ ପ୍ରଦାନ କରାଯାଉଥିବା ବେଳେ ଏବେ ଏଥିରେ ସାମିଲ ହେବେ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ । ଚଳିତ ୨୦୨୩-୨୪ ଶିକ୍ଷା ବର୍ଷରୁ ରାଜ୍ୟରେ ‘ମୁଖ୍ୟମନ୍ତ୍ରୀ ଶିକ୍ଷକ ପରିଧାନ ଯୋଜନା’ ଆରମ୍ଭ ହେବାକୁ ଯାଉଛି । ଏହି ଯୋଜନା ମାଧ୍ୟମରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ମାଗଣା ପୋଷାକ ଯୋଗାଇ ଦିଆଯିବ । ଛାତ୍ରଛାତ୍ରୀଙ୍କ ୟୁନିଫର୍ମ ଅର୍ଥରାଶି ୬ ଶହରୁ ୧ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି ।

ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲଗୁଡ଼ିକ ରାଜ୍ୟ ସରକାରଙ୍କ ଏହି ଯୋଜନାରେ ସାମିଲ ହୋଇ ପାରିବେ । ଗତ ୨୨ ତାରିଖରୁ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ରିପୋର୍ଟ ସମୀକ୍ଷା ଆରମ୍ଭ ହୋଇଥିବା ବେଳେ ଏହା ମଧ୍ୟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କାର୍ଯ୍ୟର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ରିପୋର୍ଟ ସମୀକ୍ଷା ପରେ ବିଭାଗୀୟ ମନ୍ତ୍ରୀ ସୁଦାମ ମାର୍ଣ୍ଡିଂ ଏ ବାବଦରେ ସୂଚନା ଦେଇଛନ୍ତି ।

ଏଥିସହିତ ଚଳିତ ବର୍ଷଠାରୁ ଗଙ୍ଗାଧର ମେହେର ଶିକ୍ଷା ମାନକ ବୃଦ୍ଧି ଯୋଜନାରେ ଛାତ୍ରଛାତ୍ରୀଙ୍କ ସାଇକେଲ ଆବଣ୍ଟନ ଅର୍ଥରାଶି ମଧ୍ୟ ବୃଦ୍ଧି କରାଯାଇଛି । ପୂର୍ବରୁ ସାଇକେଲ ବାବଦକୁ ଛାତ୍ରଛାତ୍ରୀଙ୍କୁ ୨୬୦୦ ଟଙ୍କା ମିଳୁଥିବା ବେଳେ ଏବେ ୩୫୦୦ ଟଙ୍କା ଦିଆଯିବ । ୨୦୨୩ ସୁଦ୍ଧା ସମସ୍ତ ସ୍କୁଲରେ ଆଇଟି ଲ୍ୟାବ ପ୍ରତିଷ୍ଠା କରାଯିବ । ଦ୍ୱିତୀୟରୁ ଦଶମ ଶ୍ରେଣୀ ପିଲାଙ୍କୁ ନୋଟ୍ ବୁକ୍ ପ୍ରଦାନ କରାଯିବ । ରାଜ୍ୟରେ ୧୦୬ଟି ନୂଆ ହାଇସ୍କୁଲ ଖୋଲାଯିବା ସହିତ ଯୁକ୍ତ ଦୁଇ ସିଟ୍ ସଂଖ୍ୟା ମଧ୍ୟ ବୃଦ୍ଧି କରାଯିବ । ଖୁବଶୀଘ୍ର ପ୍ରାଥମିକ ସ୍କୁଲ ପିଲାଙ୍କୁ ପାଠ୍ୟ ପୁସ୍ତକ ପ୍ରଦାନ କରାଯିବ । ଏଥିସହିତ ରାଜ୍ୟରେ ବଢ଼ୁଥିବା ଡ୍ରପଆଉଟ୍ ହାରକୁ ହ୍ରାସ କ୍ଷେତ୍ରରେ ଉଦ୍ୟମ କରାଯିବ ବୋଲି ମନ୍ତ୍ରୀ କହିଥିଲେ ।

Get real time updates directly on you device, subscribe now.