fbpx

ଦେଶରେ ଓମିକ୍ରନ୍ ଆଣିବ ତୃତୀୟ ଲହର, ଦୈନିକ ଚିହ୍ନଟ ହେବେ ୧.୮ଲକ୍ଷ କୋଭିଡ୍ ସଂକ୍ରମିତ: ବିଶେଷଜ୍ଞଙ୍କ ଚେତାବନୀ

ନୂଆଦିଲ୍ଲୀ: କରୋନା ମହାମାରୀର ନୂତନ ଭାରିଆଣ୍ଟ୍ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହାକୁ ଦେଖି ଦେଶରେ ତୃତୀୟ ଲହର ଆସିବାର ସମ୍ଭାବନା ବଢ଼ିଯାଇଛି । ଓମିକ୍ରନ୍ ଭାରିଆଣ୍ଟ ପ୍ରଥମେ ଦକ୍ଷିଣ ଆଫ୍ରିକାରେ ଦେଖିବାକୁ ମିଳିଥିଲା । ଏହାପରେ ଏହା ରକେଟ୍ ବେଗରେ ୧୦୦ଟି ଦେଶକୁ ବ୍ୟାପିଯାଇଥିଲା । ବର୍ତ୍ତମାନ ୟୁକେରେ ଏହି ଭାରିଆଣ୍ଟ ତାଣ୍ଡବ କରୁଛି । ତେବେ ବିଶେଷଜ୍ଞ ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ଡେଲଟା ଭାରିଆଣ୍ଟ ଠାରୁ ଏହା ଦ୍ରୁତ ଗତିରେ ବ୍ୟାପୁଥିବା ଦେଖିବାକୁ ମିଳୁଛି ।

ଭାରତରେ ବର୍ତ୍ତମାନ ସୁଦ୍ଧା ୨୩୬ ଓମିକ୍ରନ୍ ମାମଲା ସାମନାକୁ ଆସିଛି । ଡେଲଟା ତୁଳନାରେ ଏହି ଭାରିଆଣ୍ଟ ଖୁବ୍ ଦ୍ରୁତ ଗତିରେ ବ୍ୟାପୁଥିବାରୁ ବିଭିନ୍ନ ରାଜ୍ୟର ସରକାର ତଥା ସ୍ୱାସ୍ଥ୍ୟ ବିଭାଗ ନାଗରିକଙ୍କୁ ଚେତାବନୀ ଦେଇଛନ୍ତି । କିଛି ରାଜ୍ୟରେ ସଂକ୍ରମଣ ଆଖି ପିଛୁଳାକେ ବଢ଼ୁଥିବାରୁ କଟକଣା ଲଗାଯିବା ଆରମ୍ଭ ହୋଇଯାଇଛି । ଓମିକ୍ରନ୍ କାରଣରୁ ନୂଆବର୍ଷ ପାଳନ କରିବା ଉପରେ କଡ଼ା ପ୍ରତିବନ୍ଧକ ଲଗାଯାଇଛି । ଓମିକ୍ରନ ର ବୃଦ୍ଧି ହେଉଥିବା ମାମଲାକୁ ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ତୃତୀୟ ଲହର ଆସିବା ନେଇ ଆଶଙ୍କା ପ୍ରକାଶ କରିଛନ୍ତି ।

ତେବେ ନୂତନ ବର୍ଷରୁ ତୃତୀୟ ଲହର ଆରମ୍ଭ ହୋଇପାରେ ବୋଲି ବିଶେଷଜ୍ଞ ମାନେ ମତପୋଷଣ କରିଛନ୍ତି । ହାଇଦ୍ରାବାଦର ଜଣେ ଆଇଆଇଟି ପ୍ରୋଫେସର୍ କହିଛନ୍ତି ଯେ, ଭାରତୀୟଙ୍କ ଠାରେ ଏହି ଭାଇରସ୍ କିପରି ପ୍ରଭାବ ପକାଉଛି ଜାଣିବା ପରେ କୁହାଯାଇପାରିବ ଯେ, ଦେଶରେ ସଂକ୍ରମଣ କେବେ ବ୍ୟାପିବାର ଆଶଙ୍କା ରହିଛି । ନ୍ୟାଚୁରାଲ ଉପାୟରେ ହେଉକି ଟିକା ଦ୍ୱାରା ହେଉ, ଯଦି ଶରୀରରେ ଇମ୍ୟୁନିଟି କମୁଛି ତେବେ କୋଭିଡ୍ ମାମଲା ସଂଖ୍ୟା ଆଗକୁ ଦୈନିକ ୧.୭ କିମ୍ବା ୧.୮ ଲକ୍ଷ ଛୁଇଁପାରେ । ହେଲେ ଏହା ଦ୍ୱିତୀୟ ଲହର ର ପିକ୍ ରୁ କମ୍ ରହିବ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.