ସେଞ୍ଚୁରିଆନ : ଭାରତୀୟ ଉପ ଅଧିନାୟକ କେଏଲ ରାହୁଲ ଶୁକ୍ରବାର ସଙ୍କେତ ଦେଇଛନ୍ତି ଯେ, ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ପାଞ୍ଚ ବୋଲରଙ୍କ ରଣନୀତି ସହ ପଡିଆକୁ ଓହ୍ଲାଇବ। ବ୍ୟାଟିଂରେ ପଞ୍ଚମ ନମ୍ବର ପାଇଁ ଆଜିଙ୍କ୍ୟ ରାହାଣେ ଏବଂ ଶ୍ରେୟସ ଆୟରଙ୍କ ମଧ୍ୟରୁ କିଏ ଖେଳିବ ନିଷ୍ପତ୍ତି ନେବା ମୁସ୍କିଲ। ଭାରତ ରବିବାରଠୁ ଆରମ୍ଭ ହେଉଥିବା ଟେଷ୍ଟ ସିରିଜ୍ ପୂର୍ବରୁ ଏକ ସପ୍ତାହ ଧରି ଏଠାରେ ଅଭ୍ୟାସ୍ ଚଳାଇଛି। ନବ ନିଯୁକ୍ତ ଉପ ଅଧିନାୟକଙ୍କ ମତରେ ଦକ୍ଷିଣ ଆଫ୍ରିକାରେ ଲୟ ହାସଲ ପାଇଁ ଭଲ ଆରମ୍ଭର ଆବଶ୍ୟକତା ରହିଛି। ଏଠାରେ ଦଳ କେବେ ବି ଟେଷ୍ଟ ସିରିଜ୍ ଜିତି ନାହିଁ।
କେଏଲ ରାହୁଲ ଭର୍ଚୁଆଲ ମିଡିଆରେ ଆଲୋଚନା ସମୟରେ କହିଛନ୍ତି, ପ୍ରତ୍ୟେକ ଦଳ ଟେଷ୍ଟ ମ୍ୟାଚ୍ ଜିତିବା ପାଇଁ ୨୦ ଓ୍ଵିକେଟ୍ ନେବାକୁ ଚାହାନ୍ତି। ଆମେ ମଧ୍ୟ ଏହି ରଣନୀତିରେ କାମ କରି ଆସିଛୁ। ବିଦେଶରେ ଯେତେବେ ମ୍ୟାଚ୍ ଖେଳିଛୁ ଆମକୁ ରଣନୀତିରୁ ସାହାଯ୍ୟ ମିଳିଛି।
ଓପନିଂ ବ୍ୟାଟସମ୍ୟାନ କେଏଲ ରାହୁଲ କହିଛନ୍ତି, ଦଳରେ ଚତୁର୍ଥ ବୋଲର ନିଶ୍ଚିତ ଖେଳିବେ। ଶାର୍ଦ୍ଦୁଳ ଠାକୁର ନିଜର ବ୍ୟାଟିଂ କୌଶଳ କାରଣରୁ ବରିଷ୍ଠ ବୋଲର ଇଶାନ୍ତ ଶର୍ମାଙ୍କଠୁ ଆଗରେ ଅଛନ୍ତି। ଏହାର ଅର୍ଥ ଆୟର, ରାହାଣେ ଓ ହନୁମା ବିହାରୀଙ୍କ ମଧ୍ୟରୁ ଜଣଙ୍କୁ ସୁଯୋଗ ମିଳିପାରେ। କାରଣ ରାହୁଲ, ମୟଙ୍କ ଅଗ୍ରଓ୍ଵାଲ, ଚେତେଶ୍ଵର ପୂଜାରା, ବିରାଟ କୋହଲି ଏବଂ ଋଷଭ ପନ୍ତଙ୍କ ଚୟନ ସୁନିଶ୍ଚିତ।
ରାହୁଲ କହିଛନ୍ତି, ନିଶ୍ଚିତ ରୂପେ ପଞ୍ଚମ ବ୍ୟାଟସମ୍ୟାନ ଭାବେ କିଏ ଖେଳିବ ନିଷ୍ପତ୍ତି ନେବା ମୁସ୍କିଲ। ଆଜିଙ୍କ୍ୟ ରାହାଣେଙ୍କ ବିଷୟରେ ଆଲୋଚନା କଲେ ସେ ଟେଷ୍ଟ ଦଳର ଗୁରୁତ୍ଵପୂର୍ଣ୍ଣ ସଦସ୍ୟ। ସେ କ୍ୟାରିୟରରେ ଅନେକ ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳିଛନ୍ତି। ଗତ ୧୫ ରୁ ୧୮ ମାସରେ ସେ କିଛି ମହତ୍ଵପୂର୍ଣ୍ଣ ଇନିଂସ ଖେଳିଛନ୍ତି। ଲର୍ଡ୍ସରେ ପୂଜାରାଙ୍କ ସହିତ ସେହି ଭାଗିଦାରୀ ଆମ ପାଇଁ ଟେଷ୍ଟ ଜିତିବାରେ ଗୁରୁତ୍ଵପୂର୍ଣ୍ଣ ଥିଲା।