ଖୁସି ଖବର; ଶିଶୁଙ୍କ ପାଇଁ ଆସିଲା କୋଭାକ୍ସିନ, ଜରୁରୀ ବ୍ୟବହାରକୁ DCGIର ମଞ୍ଜୁରୀ

ଦେଶରେ ଓମିକ୍ରନ ଯୋଗୁଁ କରୋନାର ତୃତୀୟ ଲହର ଆସିବାର ସମ୍ଭାବନାମଧ୍ୟରେ ଆସିଛି ଏକ ଖୁସି ଖବର । ଦେଶରେ ଏବେ ଶିଶୁଙ୍କ ପାଇଁ କରୋନା ଟିକାକୁ ମିଳିଛି ଅନୁମତି । ୧୨ରୁ ୧୮ ବର୍ଷର ପିଲାଙ୍କ ପାଇଁ କରୋନା ଟିକାକୁ ଅନୁମତି । ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନକୁ ଡିସିଜିଆଇର ଅନୁମତି । ଜରୁରୀ ବ୍ୟବହାର ପାଇଁ ମଞ୍ଜୁରୀ ଦେଲା ଡିସିଜିଆଇ ।

ଦେଶର ପ୍ରଥମ ସ୍ୱଦେଶୀ କରୋନା ଟିକା ତିଆରି କରିଥିବା କମ୍ପାନୀ ଭାରତ ବାୟୋଟେକ ୨ରୁ ୧୮ ବର୍ଷର ଶିଶୁଙ୍କ ଉପରେ ଟିକାର ଟ୍ରାଏଲ କରିଥିଲା । କମ୍ପାନୀ ଏହି ମଧ୍ୟ ଦାବି କରିଛି ଯେ ଏହାର ଟିକା ୨ ବର୍ଷର ଶିଶୁଙ୍କ ଉପରେ ମଧ୍ୟ ପ୍ରଭାବୀ ଏବଂ ସୁରକ୍ଷିତ । ତେବେ କମ୍ପାନୀ କ୍ଲିନିକାଲ ଟ୍ରାଏଲର ସମସ୍ତ ତଥ୍ୟ ଡିସିଜିଆଇ କୁ ପ୍ରଦାନ କରିଛି । ଅବଶ୍ୟ ଡିସିଜିଆଇ ପ୍ରଥମ ପର୍ଯ୍ୟାୟରେ ୧୨ ବର୍ଷରୁ ଅଧିକ ବୟସର ଶିଶୁଙ୍କ କ୍ଷେତ୍ରରେ ଏହାର ଜରୁରୀ ବ୍ୟବହାର ପାଇଁ ମଞ୍ଜୁରୀ ଦେଇଛି ।

ଭାକ୍ସିନକୁ ମଞ୍ଜୁରୀ ଦେବା ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । କାରଣ ବର୍ତ୍ତମାନ ଦେଶରେ କରୋନାର ଓମିକ୍ରନ ଭାରିଆଣ୍ଟ ଦ୍ରୁତ ଭାବରେ ବୃଦ୍ଧି ପାଇବାରେ ଲାଗିଛି ଏହା ତୃତୀୟ ଲହର ଆଣିପାରେ ବୋଲି ଆଶଙ୍କା କରାଯାଉଛି । ବର୍ତ୍ତମାନ ଦେଶରେ ୪୦୦ ରୁ ଅଧିକ ସଂକ୍ରମିତ ଚିହ୍ନଟ ହେଲେଣି, ଯେଉଁଥିରେ ଶିଶୁମାନେ ମଧ୍ୟ ସାମିଲ ଅଛନ୍ତି । ଏବେ ଦେଶରେ ୧୮ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କୁ ଟିକା ଦିଆଯାଉଛି ।