ଓଡ଼ିଶା ହାଇକୋର୍ଟରେ ଶୀତ ଅବକାଶ ଆରମ୍ଭ, ୨୮ରୁ ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ଖୋଲା ରହିବ କାର୍ଯ୍ୟାଳୟ

କଟକ (ଭାସ୍କର ନ୍ୟୁଜ୍‌): ଓଡ଼ିଶା ହାଇକୋର୍ଟରେ ଶୀତ ଅବକାଶ ଆରମ୍ଭ ହୋଇଛି । ଆସନ୍ତା ଜାନୁଆରି ୩ ତାରିଖରେ ହାଇକୋର୍ଟ ଖୋଲିବ । ଶୀତ ଅବକାଶ ସମୟରେ ଜଷ୍ଟିସ୍‌ ବି.ଆର୍‌. ଷଡଙ୍ଗୀ ଅବକାଶକାଳୀନ ବିଚାରପତି ଦାୟିତ୍ୱରେ ରହିବେ । ଏହି ଅବକାଶ ସମୟରେ ଡିସେମ୍ବର ୨୭, ୨୮, ୨୯, ୩୦ ଓ ୩୧ରେ ହାଇକୋର୍ଟ କାର୍ଯ୍ୟାଳୟ ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ଖୋଲା ରହିବ । କରୋନା ସ୍ଥିତିକୁ ନେଇ ପୂର୍ବରୁ ଜାରି କରାଯାଇଥିବା ବିଜ୍ଞପ୍ତି ଅନୁସାରେ ଯେମିତି ହାଇକୋର୍ଟ କାର୍ଯ୍ୟାଳୟ ବର୍ତ୍ତମାନ କାର୍ଯ୍ୟ କରୁଛି । ଅବକାଶ ସମୟରେ ମଧ୍ୟ ସମାନ ବ୍ୟବସ୍ଥାରେ କାର୍ଯ୍ୟ ହେବ । କାର୍ଯ୍ୟ ଦିବସରେ ଦିନ ୧୧ଟାରୁ ୧୨ଟା ମଧ୍ୟରେ ନୂଆ ମାମଲା ଅବକାଶ ଦାୟିତ୍ୱରେ ଥିବା ଅଧିକାରୀ ଗ୍ରହଣ କରିବେ । ଏଥି ସହିତ ଅବକାଶ ସମୟରେ ଇ-ଫାଇଲିଂ ପୋର୍ଟାଲ ମାଧ୍ୟମରେ ମଧ୍ୟ ମାମଲା ଦାଖଲ କରାଯାଇ ପାରିବ ବୋଲି ହାଇକୋର୍ଟ ରେଜିଷ୍ଟ୍ରି ତରଫରୁ ସୂଚନା ଦିଆଯାଇଛି ।