fbpx

(ଭିଡ଼ିଓ)ବିପଦ ସାଜିଛି ମାଞ୍ଜା ସୂତା: କଟକ ପରେ ପୁରୀରେ କଟିଲା ଜଣଙ୍କ ବେକ

ପୁରୀ(ଓଡ଼ିଶା ଭାସ୍କର): ମାଞ୍ଜା ସୂତା ଲାଗି କଟକ ଜଗତପୁରରେ ଜଣେ ଯୁବକଙ୍କ ମୃତ୍ୟୁ ପରେ ପୁରୀରୁ ବି ସମାନ ଘଟଣା ସାମ୍ନାକୁ ଆସିଛି । ଅସୁସ୍ଥ ପୁଅ ପାଇଁ ବଡ଼ଡାଣ୍ଡକୁ ଔଷଧ କିଣିବା ପାଇଁ ଆସିଥିବା ବେଳେ କୁଣ୍ଢାଇବେଣ୍ଟ ସାହିର ଭଞ୍ଜବିହାରୀ ପାତ୍ରଙ୍କ ମାଞ୍ଜା ସୂତା ଲାଗି ବେକ କଟିଯାଇଛି । ଡ଼ାକ୍ତରଖାନା ଛକସ୍ଥିତ ମାଳିଜାଗା ନିକଟରେ ଏହି ଅଘଟଣ ଘଟିଛି । ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟ ଶଲ୍ୟ ବିଭାଗରେ ଭର୍ତ୍ତି କରାଯାଇଛି । ଏବେ ତାଙ୍କ ଅବସ୍ଥା ସ୍ଥିର ରହିଛି ବୋଲି ସୂଚନା ମିଳିଛି ।

ଅନ୍ୟପଟେ ମାଞ୍ଜା ସୂତା ଲାଗି କଟକରେ ଜଣେ ଯୁବକଙ୍କ ମୃତ୍ୟୁ ପରେ ପୋଲିସର ତନାଘନା ଆରମ୍ଭ ହୋଇଛି । କମିଶନରେଟ୍ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି । ମାଞ୍ଜାସୂତା ରଖିଥିବା ଅଭିଯୋଗରେ ଜଗତପୁରର ଜଣେ ବ୍ୟବସାୟୀଙ୍କୁ ଅଟକ ରଖାଯାଇଛି । ମାଞ୍ଜା ସୂତା ତିଆରି କରୁଥିବା ଲୋକଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି କଟକ ଡିସିପି ପ୍ରତୀକ ସିଂ । କଟକର ବିଭିନ୍ନ ଜାଗାରେ ସ୍ୱତନ୍ତ୍ର ଡ୍ରାଇଭ କରାଯାଉଛି ବୋଲି କହିଛନ୍ତି ଡିସିପି । ଗତକାଲିର ଘଟଣାରେ ଅଭିଯୁକ୍ତକୁ ଗିରଫ କରିବାକୁ ଚଢ଼ାଉ ଜାରି ରହିଛି ।

ସୂଚନାଯୋଗ୍ୟ ଯେ, ଗତ ରବିବାର ଦିନ କଟକ ଜିଲ୍ଲା ଜଗତପୁର ପୀରବଜାର ଅଞ୍ଚଳରେ ମାଞ୍ଜା ସୂତା ଲାଗି ଯୁବକଙ୍କ ମୃତ୍ୟୁ ହୋଇଥିଲା । ମୃତ ଯୁବକ ହେଲେ ଜୟନ୍ତ ସାମଲ । ତାଙ୍କ ଘର ସ୍ଥାନୀୟ ଭୟରପୁରଠାରେ । ରବିବାର ଅପରାହ୍ନ ୪ଟା ବେଳେ ଜୟନ୍ତ ନିଜ ବାଇକ୍ ଯୋଗେ ତାଙ୍କ ସ୍ତ୍ରୀଙ୍କ ସହ ଶ୍ବଶୁର ଘରକୁ ଯାଉଥିଲେ । ପୀରବଜାରଠାରେ ଗୁଡି ଉଡାଇବା ପାଇଁ ବ୍ୟବହାର କରାଯାଉ ଥିବା ବେଆଇନ ମାଞ୍ଜାସୂତା ତାଙ୍କ ବେକରେ ଗୁଡେଇ ହୋଇ ଯାଇଥିଲା । ସୂତାଟି ଅତି ଶକ୍ତ ଥିବାରୁ ସେଥିରେ ତାଙ୍କ ବେକ କଟି ଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Get real time updates directly on you device, subscribe now.