fbpx

ଏଣିକି ବାଲକୋନୀରେ ଲୁଗା ଶୁଖାଇଲେ ଦେବାକୁ ପଡ଼ିବ ଜରିମାନା, ଜାଣନ୍ତୁ କେଉଁଠି ଲାଗୁ ହେଲା ଏହି ନିୟମ

ନୂଆଦିଲ୍ଲୀ: ସାଧାରଣତଃ ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ ଭିନ୍ନ ଭିନ୍ନ ନିୟମ ରହିଥାଏ । ଭାରତରେ ଅଧିକାଂଶ ଲୋକ ବାଲକୋନୀ, ଛାତ, କାନ୍ଥ ଆଦିରେ କପଡ଼ା ଶୁଖାଇଥାନ୍ତି । ତେବେ ଯଦି ଆପଣଙ୍କୁ କିଏ କହିବ ବାଲକୋନୀରେ ଲୁଗା ଶୁଖାଇଲେ ଜରିମାନା ଦେବାକୁ ପଡ଼ିବ, ଏକଥାକୁ ଯେ କେହି ହସରେ ଉଡ଼ାଇ ଦେବ । ମାତ୍ର କଥାଟି ସମ୍ପୂର୍ଣ୍ଣ ସତ । ନୂଆ ନିୟମ ଅନୁଯାୟୀ, ଏଣିକି ଆପଣ ବାଲକୋନୀ ବା ଖିଡ଼କୀରେ କପଡ଼ା ଶୁଖାଇଲେ, ବାଲକୋନୀରୁ ତଳକୁ ସିଗାରେଟର ପାଉଁଶ ଝାଡ଼ିଲେ, ବାଲକୋନୀରୁ ତଳକୁ ଆବର୍ଜନା ଫୋପାଡ଼ିଲେ, ବାଲକୋନୀ ବା ଏସିରୁ ପାଣି ତଳକୁ ପଡ଼ିଲେ, ବାଲକୋନୀରେ ପକ୍ଷୀଙ୍କୁ ଖାଦ୍ୟ ଫୋପାଡ଼ିଲେ, ବାଲକୋନୀରେ କୌଣସି ପ୍ରକାରର ଆଣ୍ଟିନା ଲଗାଇଲେ ଜରିମାନା ଦେବାକୁ ପଡ଼ିବ । ଖବର ମୁତାବକ, ନିୟମ ଭାଙ୍ଗିଲେ ଆପଣଣଙ୍କୁ ୧୦ ହଜାରରୁ ୩୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ ।

ସହରକୁ ଆବର୍ଜନାମୁକ୍ତ ରଖିବା ସକାଶେ ଦୁବାଇ ନଗରପାଳିକା ପକ୍ଷରୁ ଏପରି ଏକ ପଦକ୍ଷେପ ନିଆଯାଇଛି । ଗତକାଲି ଏନେଇ ନଗରପାଳିକା ପକ୍ଷରୁ ଟ୍ୱିଟ୍ କରି କୁହାଯାଇଛି ଯେ, ବାଲକୋନୀର ଅପବ୍ୟବହାର କରନ୍ତୁ ନାହିଁ, ଏହାକୁ ସର୍ବଦା ସଫାସୁତୁରା ରଖନ୍ତୁ । ସୂଚନାଯୋଗ୍ୟଯେ, ୟୁନାଇଟେଡ ଅଫ୍ ଆରବ ଏମିରେଟ୍ସ (ୟୁଏଇ) ପର୍ଯ୍ୟଟନରୁ ସର୍ବାଧିକ ଆୟ କରିଥାଏ । ତେଣୁ ଦେଶ ବିଦେଶର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ସମୟରେ ଉକ୍ତ ଦେଶର ସରକାର ଭିନ୍ନ ଭିନ୍ନ ନିୟମ ପ୍ରଣୟନ କରିଥାନ୍ତି । ବାଲକୋନୀର ଅପବ୍ୟବହାର କାରଣରୁ ପ୍ରଦୂଷଣ ବୃଦ୍ଧି ପାଇବା ସହ ଅସୁନ୍ଦର ପରିବେଶ ସୃଷ୍ଟି ହେଉଥିବାରୁ ଏହି ପଦକ୍ଷେପ ନିଆଯାଇଥିବା କୁହାଯାଉଛି ।

Get real time updates directly on you device, subscribe now.