୨୪ ଘଣ୍ଟାରେ ଦେଶରୁ ବାହାରିଲେ ୨୭,୫୫୩ ପଜିଟିଭ୍, ଓମିକ୍ରନ ମାମଲା ୧୫୨୫କୁ ବୃଦ୍ଧି

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଦିଲ୍ଲୀ ଓ ମହାରାଷ୍ଟ୍ର ଭଳି ସହରରେ କରୋନା ମାମଲା ସାଙ୍ଗକୁ ଓମିକ୍ରନ ମାମଲାକୁ ଅଧିକ ସାମ୍ନାକୁ ଆସୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୭,୫୫୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ଦେଶରେ ୨୮୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହି କ୍ରମରେ ଦେଶରେ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୮୧ ହଜାର ୭୭୦କୁ ବୃଦ୍ଧି ପାଇଛି । ଦେଶରେ ଆକ୍ଟିଭ୍ କେସ୍ ୧ ଲକ୍ଷ ୨୨ ହଜାର ୮୦୧ ଜଣ ଥିବା ବେଳେ ବର୍ତ୍ତମାନ ସୁଦ୍ଧା ୩ ,୪୨,୮୪,୫୬୧ ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି ।

ଅନ୍ୟପଟେ ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୧ ହଜାର ୫୨୫କୁ ବୃଦ୍ଧି ପାଇଛି । ମହାରାଷ୍ଟ୍ରରୁ ସର୍ବାଧିକ ୪୬୦, ଦିଲ୍ଲୀରୁ ୩୫୧, ଗୁଜରାଟରୁ ୧୩୬, ତାମିଲନାଡୁରୁ ୧୧୭, କେରଳରୁ ୧୦୯ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୩ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳକୁ ବ୍ୟାପିଛି ଓମିକ୍ରନ ।