ନୂଆଦିଲ୍ଲୀ: ପୂର୍ବ ଲଦାଖ, ଉତ୍ତରୀ ସିକ୍କିମ, ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡ ଭଳି ହିମାଳୟ ଉଚ୍ଚତା ଥିବା ଅଞ୍ଚଳରେ ଡ୍ୟୁଟିରେ ଥିବା ଭାରତୀୟ ସୈନିକମାନଙ୍କୁ ଏଣିକି ସ୍ୱଦେଶୀ ଗରମ ପୋଷାକ ମିଳିବ । ଏହି EXTREME COLD WEATHER CLOTHING SYSTEM ଅତ୍ୟନ୍ତ ଆରାମଦାୟକ । ଏହାର ରକ୍ଷଣାବେକ୍ଷଣା ବହୁତ ସହଜ । ଏହି ଖାସ୍ ପୋଷାକର ଓଜନ ବହୁତ କମ୍ ହେବା ସହିତ ଏହାକୁ ପରିଧାନ କରିବା ଦ୍ୱାରା ସୈନିକମାନେ ସେମାନଙ୍କ କାମ ଅତି ସହଜରେ କରିପାରିବେ । ୨୮ ଡିସେମ୍ବରରେ ଡିଆରଡିଓ ଏହି ପୋଷାକର ଟେକ୍ନୋଲୋଜିକୁ ୫ ସ୍ୱଦେଶୀ କମ୍ପାନୀକୁ ଦେଇଛି । କମ୍ପାନୀଗୁଡିକ ଖୁବଶୀଘ୍ର ତାହାର ଉତ୍ପାଦନ ଆରମ୍ଭ କରିବ ।
ଏହି ରକ୍ଷା କବଚର ନିର୍ମାଣ ରକ୍ଷାକ୍ଷେତ୍ରରେ ଦେଶୀ ଅର୍ଥାତ୍ ମେକ୍ ଇନ୍ ଇଣ୍ଡିଆ ପ୍ରୋଜେକ୍ଟରେ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ଭାବେ ବିବେଚନା କରାଯାଉଛି । ବର୍ତ୍ତମାନ ସୁଦ୍ଧା ଭାରତୀୟ ସେନା ଅତ୍ୟଧିକ ଉଚ୍ଚ ସ୍ଥାନ ପାଇଁ ବିଦେଶରୁ ପୋଷାକ କିଣୁଥିଲେ । ଏହି ଖାସ୍ ରକ୍ଷା କବଚ ପୋଷାକକୁ ଶୂନରୁ ୫୦ ଡିଗ୍ରୀ ତଳେ ଥିବା ତାପମାତ୍ରାରେ ଡ୍ୟୁଟି କରୁଥିବା ସୈନିକମାନଙ୍କୁ ଦିଆଯାଉଥିଲା ।
କିନ୍ତୁ ଡିଆରଡିଓ ଦ୍ୱାରା ପ୍ରସ୍ତୁତ ରକ୍ଷା କବଚ ୩ଟି ଲେୟରରେ ପିନ୍ଧାଯାଏ । ଏହା ୧୫ ଡିଗ୍ରୀରୁ ନେଇ ମାଇନସ୍ ୫୦ ଡିଗ୍ରୀ ତାପମାତ୍ରାରେ ଆରାମରେ ପିନ୍ଧାଯିବ । ଏହି ପୋଷାକକୁ ୱାଟର ଫ୍ରୁଫ୍ ଓ ୱିଣ୍ଡ ପ୍ରୁଫ୍ ଭାବେ ନିର୍ମାଣ କରାଯାଉଛି । ଏହା ଦ୍ୱାରା ହିମାଳୟ ଉପର ମୁଣ୍ଡରେ ତୁଷାରପାତ ଓ ପ୍ରବଳ ବରଫ ପବନରୁ ଆରାମରେ ରକ୍ଷାପାଇପାରିବେ ଯବାନ ।