fbpx

ଚମକିବେ ଆଉ ଏକ ଓଡ଼ିଆ: ଇଣ୍ଡିଆ ଗେଟରେ ଶୋଭା ପାଇବାକୁ ଯାଉଥିବା ସୁଭାଷଙ୍କ ପ୍ରତିମୂର୍ତ୍ତିି ତିଆରି କରିବେ ଓଡ଼ିଆ ଭାସ୍କର୍ଯ୍ୟ ଶିଳ୍ପୀ ଅଦ୍ୱୈତ ଗଡ଼ନାୟକ

ନୂଆଦିଲ୍ଲୀ : ପ୍ରଖ୍ୟାତ ସ୍ୱାଧୀନତା ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋଷଙ୍କ ବିଶାଳ ପ୍ରତିମୂର୍ତ୍ତି ଇଣ୍ଡିଆ ଗେଟ୍ ରେ ସ୍ଥାପନ ହେବ । ଏନେଇ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ୍ କରି ସୂଚନା ଦେଇଥିଲେ । ତେବେ ଗ୍ରାନାଇଟ୍ ତିଆରି ପ୍ରତିମୂର୍ତ୍ତି ପ୍ରସ୍ତୁତ ନହେବା ପର୍ଯ୍ୟନ୍ତ ସୁଭାଷଙ୍କ ହୋଲୋଗ୍ରାମ ପ୍ରତିମୂର୍ତ୍ତି ଇଣ୍ଡିଆ ଗେଟ୍ ପରିସରରେ ଲାଗିବ । ଏହି ପରିପ୍ରେକ୍ଷୀରେ ଓଡ଼ିଆଙ୍କ ପାଇଁ ଖୁସିର କଥା ହେଉଛି, ଇଣ୍ଡିଆରେ ସ୍ଥାପନା ହେବାକୁ ଥିବା ସୁଭାଷଙ୍କ ପ୍ରତିମୂର୍ତ୍ତିକୁ ଖ୍ୟାତିସମ୍ପନ୍ନ ଭାସ୍କର୍ଯ୍ୟ ଶିଳ୍ପୀ ତଥା ନୂଆଦିଲ୍ଲୀସ୍ଥିତ ‘ନାସନାଲ୍‌ ଗ୍ୟାଲେରି ଅଫ୍‌ ମଡର୍ଣ୍ଣ ଆର୍ଟ’ର ମହାନିର୍ଦ୍ଦେଶକ ଅଦ୍ବୈତ ଗଡ଼ନାୟକ ଏହାକୁ ନିର୍ମାଣ କରିବେ । ତେବେ ଅଦ୍ୱୈତ ଗଡ଼ନାୟକ ହେଉଛନ୍ତି ଜଣେ ଓଡ଼ିଆ ।

ଏ ସମ୍ପର୍କରେ ଶ୍ରୀ ଗଡ଼ନାୟକ କହିଛନ୍ତି, ଗତ ତିନି ମାସ ତଳୁ ପ୍ରତିମୂର୍ତ୍ତି ନିର୍ମାଣ ସଂପର୍କରେ ବିଚାରବିମର୍ଶ ଆରମ୍ଭ ହୋଇଥିଲା। ବର୍ତ୍ତମାନ ଦିଲ୍ଲୀରେ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇସାରିଛି । ନେତାଜୀଙ୍କ ପ୍ରତିମୂର୍ତ୍ତି କଳା ମୁଗୁନି ପଥରରେ ନିର୍ମାଣ ହେବ। ଏହାର ଉଚ୍ଚତା ୨୮ ଫୁଟ ରହିବ। ପ୍ରତିମୂର୍ତ୍ତି ନିର୍ମାଣ ପାଇଁ ପ୍ରାୟ ୩୦ ଶିଳ୍ପୀ ନିୟୋଜିତ ହେବେ।

ତାଙ୍କ ଠାରୁ ମିଳିଥିବା ସୂଚନା ମୁତାବକ, ଚଳିତ ବର୍ଷ ଅଗଷ୍ଟ ୧୫ ପୂର୍ବରୁ ଏହାର ନିର୍ମାଣ କାର୍ଯ୍ୟ ଶେଷ ହୋଇଯିବ । ଆସନ୍ତା ସ୍ବାଧୀନତା ଦିବସରେ ଏହାକୁ ଇଣ୍ଡିଆ ଗେଟ୍‌ରେ ସ୍ଥାପନ କରାଯିବାର ଯୋଜନା ରହିଛି । ଦିଲ୍ଲୀ ରାଜଘାଟରେ ଦାଣ୍ଡି ଯାତ୍ରା ସ୍ମାରକୀ, ସ୍କଟଲ୍ୟାଣ୍ଡରେ ଆତ୍ମା, ଡେନମାର୍କରେ ପ୍ରାର୍ଥନା ଓ ଶ୍ରୀଲଙ୍କାରେ ଇମ୍ପ୍ରେସନ୍‌ ଆଦି ସ୍ଥାପତ୍ୟ ସ୍ୱନାମଧନ୍ୟ ଭାସ୍କର୍ଯ୍ୟ ଶିଳ୍ପୀ ଶ୍ରୀ ଗଡ଼ନାୟକଙ୍କ ଅନବଦ୍ୟ ସୃଷ୍ଟି । ଏହି ତାଲିକାରେ ଏବେ ସୁଭାଷଙ୍କ ବିଶାଳ ପ୍ରତିମୂର୍ତ୍ତି ସାମିଲ ହେବାକୁ ଯାଉଛି।

Get real time updates directly on you device, subscribe now.