fbpx

କିଏ ହେବ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି: ଜୁଲାଇରେ ସମାପ୍ତ ହେବ କୋବିନ୍ଦଙ୍କ କାର୍ଯ୍ୟକାଳ

ନୂଆଦିଲ୍ଲୀ: ବର୍ତ୍ତମାନ ଭାରତବର୍ଷର ରାଷ୍ଟ୍ରପତି ଦାୟିତବ ସମ୍ଭାଳୁଛନ୍ତି ରାମନାଥ କୋବିନ୍ଦ । ତେବେ ଶ୍ରୀ କୋବିନ୍ଦଙ୍କ କାର୍ଯ୍ୟକାଳ ଆସନନ୍ତା ଜୁଲାଇ ମାସରେ ସମାପ୍ତ ହେବାକୁ ଯାଉଥିବାରୁ ଏହାକୁ ନେଇ ଏବେଠାରୁ ଆରମ୍ଭ ହୋଇଗଲାଣି ଚର୍ଚ୍ଚା । କିଏ ହେବ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି? ତେବେ ନିକଟରେ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ସମସ୍ତ ରାଜନୈତିକ ଦଳମାନେ ଏନେଇ ଦିନରାତି ଏକ କରିଦେଇଛନ୍ତି । ନିର୍ବାଚନ ଫଳାଫଳ ପରେ କୋଳାହଳ ସରିବା ପରେ ରାଷ୍ଟ୍ରପତିଙ୍କ ଚୟନ ନେଇ ବିଜେପି ରଣନୀତି ପ୍ରସ୍ତୁତ କରିପାରେ ବୋଲି ଚର୍ଚ୍ଚା ହେଉଛି । ଗତ ୨୦୧୭ ମସିହା ଜୁଲାଇ ୨୫ ତାରିଖରେ କୋବିନ୍ଦ ଦେଶର ୧୪ତମ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ।

ତେବେ ଦେଶର ସର୍ବୋଚ୍ଚ ଆସନ ପଦବୀ ନିମନ୍ତେ ବିଜେପି ପକ୍ଷରୁ ୪ ଜଣଙ୍କ ନାମ ବେଶି ଚର୍ଚ୍ଚା ହେଉଛି । ସେମାନଙ୍କ ମଧ୍ୟରେ ରହିଛନ୍ତି ଉତ୍ତରପ୍ରଦେଶର ରାଜ୍ୟପାଳ ଆନନ୍ଦୀବେନ ପଟେଲ, କେରଳ ରାଜ୍ୟପାଳ ଆରିଫ୍ ମହମ୍ମଦ ଖାନ, କର୍ଣ୍ଣାଟକ ରାଜ୍ୟପାଳ ଥୱରଚାନ୍ଦ ଗେହଲଟ ଓ ଉପରାଷ୍ଟ୍ରପତି ଭେଙ୍କୟା ନାଇଡ଼ୁ । ତେବେ ଏମାନଙ୍କର ନାମ ଚର୍ଚ୍ଚା ହେଉଥିଲେ ହେଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭବିଷ୍ୟତର ରାଜନୈତିକ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଅନ୍ୟ ନୂଆ ଚେହେରାକୁ ମଧ୍ୟ ଚାନ୍ସ ଦେଇ ପାରନ୍ତି ।

ଭେଙ୍କୟା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସମୟରେ କେନ୍ଦ୍ର ମନ୍ତ୍ରୀ ଭାବେ କାର୍ଯ୍ୟ କରିବା ସହ ଗତ ୨୦୦୨ରୁ ୨୦୦୪ ପର୍ଯ୍ୟନ୍ତ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ । ଥୱରଚାନ୍ଦ ଜଣେ ଦଳିତ ପ୍ରତିନିଧି ହୋଇଥିବା ବେଳେ ଉକ୍ତ ସଂପ୍ରଦାୟ ଭୋଟ ପାଇଁ ତାଙ୍କୁ ଢାଲ କରାଯାଇପାରେ । ଆରିଫଙ୍କୁ ସୁଯୋଗ ଦେଇ ବିଜେପି ନିଜର ମୁସଲିମ ବିରୋଧୀ ଛବିକୁ ଲିଭାଇବାକୁ ଚେଷ୍ଟା କରିପାରେ । ଆନନ୍ଦୀବେନ ପୂର୍ବରୁ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିବାରୁ ମୋଦୀଙ୍କର ସେ ଖୁବ୍ ବିଶ୍ୱସ୍ତ ବୋଲି କୁହାଯାଉଛି । ସମୟ ଆସିଲେ ଜଣାପଡ଼ିବ ହାତୀ କାହା ମୁଣ୍ଡରେ ସୁନା କଳସ ଢାଳୁଛି, ଆଉ କିଏ ହେବ ଭାରତର ପ୍ରଥମ ନାଗରିକ ।

Get real time updates directly on you device, subscribe now.