fbpx

ସଚିନ ଏକ ଲକ୍ଷରୁ ଅଧିକ ରନ୍ ସଂଗ୍ରହ କରି ପାରିଥାନ୍ତେ: ଅଖତର

ନୂଆଦିଲ୍ଲୀ: ନିଜର ଆକ୍ରମଣାତ୍ମକ ବୋଲିଂରେ ପ୍ରତିପକ୍ଷ ବ୍ୟାଟ୍ସମ୍ୟାନଙ୍କ ନିଦ ହଜାଇ ଦେଇଥିବା ପୂର୍ବତନ ପାକିସ୍ତାନୀ କ୍ରିକେଟର ସୋଏବ ଅଖତର ପୁଣି ଚର୍ଚ୍ଚାରେ । ଅନ୍ତର୍ଜାତୀୟ କ୍ରିକେଟ ନିୟମକୁ ନେଇ ସେ ଅଧିକାଂଶ ସମୟର ବୟାନବାଜୀ କରିଥାନ୍ତି । ତେବେ ନିକଟରେ ସେ ପୂର୍ବତନ ଭାରତୀୟ କ୍ରିକେଟର ତଥା ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ ନେଇ ମନ୍ତବ୍ୟ ଦେଇଛନ୍ତି । ଯଦି ଆଜିର ସମୟରେ ସଚିନ କ୍ରିକେଟ ଖେଳୁଥାନ୍ତେ, ତେବେ ସେ ଏକ ଲକ୍ଷରୁ ଅଧିକ ରନ୍ ସଂଗ୍ରହ କରିଥାନ୍ତେ ବୋଲି ଅଖତର କହିଛନ୍ତି ।

ନିଜର ୟୁଟ୍ୟୁବ ଚ୍ୟାନେଲରେ ରାୱଲପିଣ୍ଡି ଏକ୍ସପ୍ରେସ୍ ଅଖତର କହିଛନ୍ତି ଯେ, ବର୍ତ୍ତମାନ ଦିନିକିଆ କ୍ରିକେଟ ଦୁଇଟି ନୂଆ ବଲରେ ଖେଳା ଯାଉଛି । ଏହି ନିୟମ ବ୍ୟାଟ୍ସମ୍ୟାନଙ୍କୁ ଅଧିକ ସୁହାଉଛି । ଏଥିସହ ତିନିଟି ରିଭ୍ୟୁ ସିଷ୍ଟମ ମଧ୍ୟ ରଖାଯାଇଛି । ଯଦି ଏହି ନିୟମ ଲାଗୁ ହୋଇଥିବା ସମୟରେ ସଚିନ ଖେଳୁଥାନ୍ତେ, ତେବେ ସେ ଏକ ଲକ୍ଷରୁ ଅଧିକ ରନ୍ ସଂଗ୍ରହ କରି ସାରିନ୍ତେଣି । ସଚିନ ତାଙ୍କ ସମୟରେ ଅନେକ ମୁସ୍କିଲ ବୋଲିଂର ସାମ୍ନା କରିଛନ୍ତି । ସେ ପ୍ରଥମେ ୱାସିମ ଆକ୍ରମ, ୱାକର ୟୁନୁସ, ଶେନ ୱାର୍ଣ୍ଣ, ବ୍ରେଟ ଲି, ଶୋଏବ ଅଖତରଙ୍କ ପରି ମହାନ ବୋଲରଙ୍କୁ ଖେଳିଥିବା ବେଳେ ପରବର୍ତ୍ତୀ ପୀଢ଼ିର ପେସ୍ ବୋଲିଂକୁ ମଧ୍ୟ ସାମ୍ନା କରିଛନ୍ତି । ତେଣୁ ମୁଁ ତାଙ୍କୁ ଜଣେ ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଭାବେ ବିବେଚନା କରେ । ଏଥିସହ କ୍ରିକେଟରେ ବାଉନ୍ସର ସଂଖ୍ୟା ବୃଦ୍ଧି କରିବାକୁ ଅଖତର ମତ ଦେଇଛନ୍ତି । କ୍ରିକେଟକୁ ବାଲାନ୍ସ କରିବାକୁ ହେଲେ ବାଉନ୍ସର ବଢ଼ାଇବା ଜରୁରୀ ବୋଲି ସେ ମତ ଦେଇଛନ୍ତି ।

Get real time updates directly on you device, subscribe now.