fbpx

ଗଣଦୁଷ୍କର୍ମ ପୀଡ଼ିତାଙ୍କୁ ଲଣ୍ଡା କରି ରାସ୍ତାରେ ବୁଲାଇଲେ ମହିଳା: ୧୧ ଜଣକୁ ଗିରଫ କଲା ଦିଲ୍ଲୀ ପୋଲିସ୍

ନୂଆଦିଲ୍ଲୀ: ପ୍ରତିଶୋଧ ପରାୟଣ ହେଲା ପରିବାର । ପୁଅର ମୃତ୍ୟୁ ପାଇଁ ମହିଳାଙ୍କୁ ଦାୟୀ କରି ଦେଲେ ଅକଥନୀୟ ନିର୍ଯ୍ୟାତନା । ଅପହରଣ, ଗଣଦୁଷ୍କର୍ମ ଏବଂ ଶେଷରେ ସର୍ବ ସମ୍ମୁଖରେ ଘଟାଇଲେ ଜଘନ୍ୟ କାଣ୍ଡ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାଜଧାନୀ ଦିଲ୍ଲୀରେ । ବିବାହିତା ମହିଳାଙ୍କୁ ଯୌନ ନିର୍ଯ୍ୟାତନା ଦେବା ସହ ଗୋଟିଏ ପରିବାରର ମହିଳାମାନେ ତାଙ୍କୁ ଲଣ୍ଡା କରି, ମୁହଁ କଳା କରି ଏମିତିକି ଚପଲ ମାଳ ବୁଲାଇ ରାସ୍ତାରେ ବୁଲାଇଛନ୍ତି ।

ମହିଳାଙ୍କ ଭଉଣୀଙ୍କ କହିବା ଅନୁଯାୟୀ ପୀଡ଼ିତାଙ୍କୁ ତାଙ୍କ ପଡ଼ୋଶୀ ଯୁବକ ଭଲ ପାଉଥିଲେ ଉକ୍ତ ଯୁବକ ଜଣକ ୨୦୧୯ ରେ ଆତ୍ମହତ୍ୟା କରିଥିଲେ ଯେଉଁଥିପାଇଁ ଯୁବକଙ୍କ ପରିବାର ଲୋକ ମହିଳାଙ୍କୁ ଦୋଷୀ ବୋଲି କହୁଥିଲେ । ଆଉ ପ୍ରତିଶୋଧ ପରାୟଣ ହୋଇ ବୁଧବାର ଏଭଳି କାଣ୍ଡ ଭିଆଇଥିଲେ ।

ସେପଟେ ଘର ମାଲିକଙ୍କ ଠାରୁ ସୂଚନା ପାଇଁ ମହିଳାଙ୍କ ସ୍ୱାମୀ ପୋଲିସକୁ ଖବର ଦେଇଥିଲେ । ପରେ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରିଥିଲା । ପୋଲିସର କହିବା ଅନୁଯାୟୀ ସୋମନେ ଘଟଣା ସମ୍ବନ୍ଧରେ ସୂଚନା ପାଇବା ମାତ୍ରେ ଘଟଣା ସ୍ଥଳରେ ପହଞ୍ଚିଥିଲେ ଏବଂ ୨୦ ବର୍ଷୀୟ ମହିଳାଙ୍କୁ ଉଦ୍ଧାର କରିଥିଲେ । ତେବେ ପୋଲିସ୍ ଏହି ଘଟଣାରେ ବିଭିନ୍ନ ଧାରାରେ ଗ୍ୟାଙ୍ଗ ରେପ୍, ଶାରୀରୀକ ନିର୍ଯ୍ୟାତନା, ଯୌନ ନିର୍ଯ୍ୟାତନା ତଥା ଅପରାଧିକ ଷଡ଼ଯନ୍ତ୍ର ସମେତ ଭାରତୀୟ ଦଣ୍ଡବିଧି ଆଇନର ବିଭିନ୍ନ ଦଫାରେ ମାମଲା ରୁଜୁ କରିଛି । କସ୍ତୁରବା ନଗରରେ ମହିଳାଙ୍କୁ ଅପହରଣ, ଗ୍ୟାଙ୍ଗ ରେପ୍ ଏବଂ ପରେ ଲଣ୍ଡା କରି ରାସ୍ତାରେ ବୁଲାଇବା ଘଟଣାରେ ପୋଲିସ ଶୁକ୍ରବାର ୯ ମହିଳାଙ୍କୁ ମିଶାଇ ୧୧ ଜଣକୁ ଗିରଫ କରିଛି ପୋଲିସ୍ ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଘଟଣାକୁ ଦୃଢ଼ ନିନ୍ଦା କରିବା ସହ ଏହି ମାମଲାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଅପିଲ୍ କରିଛନ୍ତି । ଦିଲ୍ଲୀ ମହିଳା କମିଶନ ମଧ୍ୟ ଦିଲ୍ଲୀ ପୋଲିସକୁ ଏକ ନୋଟିସ ଜାରି କରି ଏହି ନୃଶଂସ କାଣ୍ଡ ଭିଆଇ ଥିବା ଲୋକଙ୍କୁ ଗିରଫ କରିବା ସହ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ପୀଡ଼ିତାଙ୍କ ପରିବାରକୁ ସୁରକ୍ଷା ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ବ୍ୟକ୍ତିଗତ ଶତ୍ରୁତା ଯୋଗୁଁ ଜଣେ ମହିଳାଙ୍କ ଉପରେ ଯୌନ ନିର୍ଯ୍ୟାତନା ଘଟଣା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ଶାହଦରା ପୋଲିସ ଜିଲ୍ଲା ଡେପୁଟୀ କମିଶନର ଆର ସାଥିୟାସୁନ୍ଦରମ ।

Get real time updates directly on you device, subscribe now.