ଶବ୍ଦ ଓ ବାୟୁ ପ୍ରଦୂଷଣ ମୁକ୍ତ ହେବ ମାୟାନଗରୀ, ୯ଶହ ଡବଲ୍‌ ଡେକର୍‌ ବସ୍‌ ସହ ଗଡ଼ିବ ୧୦ ହଜାର ଇଲେକ୍ଟ୍ରିକ୍‌ ବସ୍‌

ମୁମ୍ବଇ: ଶବ୍ଦ ଓ ବାୟୁ ପ୍ରଦୂଷଣ ମୁକ୍ତ ହେବ ମାୟାନଗରୀ ମୁମ୍ବଇ । ୯୦୦ ନାଲିରଙ୍ଗର ଡବଲ୍‌ ଡେକର୍‌ ବସ୍‌ ସହ ୧୦,୦୦୦ ଇଲେକ୍ଟ୍ରିକ୍‌ ବସ୍‌ ଚଲାଇବାର ଯୋଜନା ରଖିଛନ୍ତି ମହାରାଷ୍ଟ୍ର ସରକାର । ନିକଟରେ ମହାରାଷ୍ଟ୍ର ପର୍ଯ୍ୟଟନ ଓ ପରିବେଶ ମନ୍ତ୍ରୀ ଆଦିତ୍ୟ ଠାକ୍‌ରେ ଏନେଇ ଟୁଇଟ ଦ୍ୱାରା ବଡ଼ ଘୋଷଣା କରିଛନ୍ତି ।

ସେ କହିଛନ୍ତି ବ୍ରିହାନମୁମ୍ବାଇ ଇଲେକ୍ଟ୍ରିକ୍‌ ଯୋଗାଣ ଏବଂ ପରିବହନ ବା ‘ବେଷ୍ଟ’ ଦ୍ୱାରା ୯୦୦ ଇଲେକ୍ଟ୍ରିକ୍‌ ଡବଲ ଡେକର୍‌ ବସ୍‌ କିଣାଯିବ । ଯାହା ଦ୍ୱାରା ମୁମ୍ବାଇର ସାଧାରଣ ପରିବହନ ବ୍ୟବସ୍ଥାରେ ଏକ ବଡ ପରିବର୍ତ୍ତନ ଆସିବ । ତାଙ୍କ ପରାମର୍ଶକୁ ସମର୍ଥନ କରିଥିବାରୁ ବେଷ୍ଟ୍‌ର ଚେୟାରମ୍ୟାନ୍‌, ଜିଏମ୍‌ ଓ କମିଟିଙ୍କୁ ଧନ୍ୟବାଦ ଜଣାଇଛନ୍ତି ଆଦିତ୍ୟ ଠାକ୍‌ରେ । ଏହି ଯୋଜନା ଦ୍ୱାରା ରାଜ୍ୟରେ ଶବ୍ଦ ଓ ବାୟୁ ପ୍ରଦୂଷଣ ମୁକ୍ତ ଇଭି ଯାନରେ ଯାତ୍ରା କରିବା ପାଇଁ ଯାତ୍ରୀମାନେ ଆଗ୍ରହ ପ୍ରକାଶ କରିବା ସହ ଇଭି ଯାନ କ୍ରୟ କରିବା ପାଇଁ ମଧ୍ୟ ମନ ବଳାଇବେ । ପ୍ରତିଦିନ ବେଷ୍ଟ ମାଧ୍ୟମରେ ଚାଳିତ ବସ୍‌ ଦ୍ୱାରା ପ୍ରାୟ ୨୫ ଲକ୍ଷ ଯାତ୍ରୀ ନଭି ରାଜ୍ୟା ବିଭିନ୍ନ ଅଞ୍ଚଳକୁ ଯାତାୟାତ କରିଥାଆନ୍ତି ।