ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖରେ ଖୁବଶୀଘ୍ର ଓପନ ସିନ୍ଥେଟ୍ରିକ ଟ୍ରାକ୍ ଓ ଆଷ୍ଟ୍ରୋଟର୍ଫ ଫୁଟବଲ ଷ୍ଟାଡିୟମ ନିର୍ମାଣ କରାଯିବ । ଲଦାଖର ୧୧,୦୦୦ ଫୁଟ ଉଚ୍ଚତାରେ ଏହି ଷ୍ଟାଡିୟମ ନିର୍ମାଣ ଖୁବଶୀଘ୍ର ସମାପ୍ତ କରାଯିବ । ଲଦାଖରେ ଏହା ହେବ ସବୁଠାରୁ ବୃହତ ଓପନ ଷ୍ଟାଡିୟମ ଓ ଏଥିରେ ଏକ କାଳୀନ ୩୦ ହଜାର ଦର୍ଶକ ବସି ମ୍ୟାଚ ଉପଭୋଗ କରି ପାରିବେ ।
ରବିବାର ଦିନ ପ୍ରଧାନମନ୍ତ୍ରୀ ‘ମନ କି ବାତ୍’ କାର୍ଯ୍ୟକ୍ରମରେ ଏହି ସୂଚନା ଦେଇ କହିଛନ୍ତି ଯେ ଲଦାଖରେ ଫୁଟବଲ ଷ୍ଟାଡିୟମ ନିର୍ମାଣ ପାଇଁ ବିଶ୍ୱ ଫୁଟବଲର ସର୍ବୋଚ୍ଚ ସଂସ୍ଥା ଫିଫା ସ୍ୱିକୃତି ଦେଇ ସାରିଛି । ଏହା ସହିତ ୧ ହଜାର ଅନ୍ତେବାସୀ ରହିବା ପରି ଏକ ସ୍ପୋର୍ଟ୍ସ ହଷ୍ଟେଲ ପ୍ରତିଷ୍ଟା କରାଯିବ । ଏହା ଦ୍ୱାରା ଲଦାଖ ଇଲାକାର ଯୁବ କ୍ରୀଡାବିତ ମାନେ ବିଶେଷ ଭାବେ ଉପକୃତ ହୋଇ ପାରିବେ । ସେହିପରି ଲଦାଖରେ କର୍ମ ସଂସ୍ଥାନ ବ୍ୟବସ୍ଥା ସହିତ କ୍ରୀଡା ଓ ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ବଡ ଯୋଜନା କାର୍ଯ୍ୟକାରୀ କରାଯିବ ।