fbpx

ଆଜି ମହାପ୍ରଭୁଙ୍କ ପଦ୍ମ ବେଶ ନୀତି, ବିଶାଳ ପଦ୍ମକେଶରରେ ଶୋଭାପାଇବ କଳାଶ୍ରୀମୁଖ

ପୁରୀ,(ଭାସ୍କର ନ୍ୟୁଜ୍): ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଦ୍ମ ବେଶ ନୀତି ଅନୁଷ୍ଠିତ ହେବ । ଗୁରୁବାର ସକାଳ ପର୍ଯ୍ୟନ୍ତ ଭକ୍ତମାନେ କାଳିଆ ସାଆନ୍ତଙ୍କ  ପଦ୍ମମୁଖ ଦର୍ଶନ କରିବେ । ସଦ୍ୟ ପଦ୍ମ ପ୍ରସ୍ଫୁଟିତ ରତ୍ନସିଂହାସନ ରୁପକ ପୁଷ୍କରିଣୀରେ ହଂସରାଳି ଖେଳୁଥିବେ । ବିଶାଳ ପଦ୍ମର କେଶର ଭାଗରେ ଶୋଭାପାଉଥିବ କଳା ଶ୍ରୀମୁଖ । ପଦ୍ମ ବେଶରେ ଶ୍ରୀବିଗ୍ରହ ରତ୍ନସିଂହାସନରେ ପହୁଡ଼ ହୋଇଥାନ୍ତି । ଗୁରୁବାର ସକାଳେ ବେଶରେ ଥାଇ ଠାକୁରଙ୍କ ମଙ୍ଗଳାଳତି ବଢିବ । ଖିରି ଅମାଲୁ ଭୋଗ ଲାଗିବ ।

ସୂଚନା ମୁତାବିକ, ମାଘ ଅମାବାସ୍ୟା ପରେ ବସନ୍ତ ପଞ୍ଚମୀ ପୂର୍ବରୁ ପଡୁଥିବା ବୁଧବାର ବା ଶନିବାର ଦିନ ମହାପ୍ରଭୁଙ୍କର ପଦ୍ମବେଶ ଅନୁଷ୍ଠିତ ହୋଇଥାଏ । ବର୍ଷକରେ କେବଳ ଗୋଟିଏ ଦିନ ମହାପ୍ରଭୁ ପଦ୍ମବେଶରେ ହିଁ ପହୁଡ଼ ଯାଆନ୍ତି । ବଡ଼ସିଂହାର ବେଶ ହୁଅନ୍ତି ନାହିଁ । କିମ୍ବଦନ୍ତୀ ଅନୁସାରେ, ଉତ୍କଳଠାରୁ ଶତାଧିକ ମାଇଲ ଦୂରରେ ଜଣେ ହିନ୍ଦୀ ଭାଷୀ ସାଧୁ ଥିଲେ । ତାଙ୍କ ନାମ ମନୋହର ଦାସ । ଏକଦା ମନୋହର ଦାସ ଶ୍ରୀଜଗନ୍ନାଥଙ୍କ ଦର୍ଶନ ନିମନ୍ତେ ଶ୍ରୀକ୍ଷେତ୍ର ଆସିଥିଲେ । ଅନେକ ଜଙ୍ଗଲ, ପାହାଡ଼, ନଦୀ ଅତିକ୍ରମ କରି ଅବିଚଳିତ ଭାବେ ସେ ଚାଲୁଥିଲେ । ରାତ୍ରି ହୋଇଗଲେ କୌଣସି ମଠ, ମନ୍ଦିର, ଆଶ୍ରମ କିମ୍ବା ବୃକ୍ଷ ତଳେ ବିଶ୍ରାମ ନେଉଥିଲେ । ପଦବ୍ରଜରେ ଯାଉଥିବାବେଳେ ତାଙ୍କୁ ଥରେ ଭୀଷଣ ଶୋଷ ହେଲା । ପାଖରେ କୌଣସି ଗ୍ରାମ କିମ୍ବା ଜଳାଶୟ ନ ଥିଲା । କିଛି ପଥ ଅତିକ୍ରମ କରିବା ପରେ ଏକ ପୁଷ୍କରିଣୀ ମଧ୍ୟରେ ଫୁଟିଥିବା ପଦ୍ମଫୁଲ ଉପରେ ତାଙ୍କ ନଜର ପଡ଼ିଲା । ଏହା ଦେଖି ସେ ଆଶ୍ଚର୍ଯ୍ୟ ହେଲେ । କାରଣ ଶୀତଦିନେ ପଦ୍ମ ଫୁଲ ଫୁଟିବା ସମ୍ଭବ ନୁହେଁ । ସେ ମନେ ମନେ ଶ୍ରୀଜଗନ୍ନାଥଙ୍କୁ ସ୍ମରଣ କରି ପଦ୍ମ ଫୁଲ ତୋଳି ନିଜର ମଇଳା ଗାମୁଛାରେ ପ୍ରଭୁଙ୍କ ପାଇଁ ନେଇଗଲେ । ମାଘ ମାସ ଅମାବାସ୍ୟା ଦିନ ଶ୍ରୀମନ୍ଦିରରେ ପହଞ୍ଚି ପଦ୍ମ ଫୁଲଗୁଡ଼ିକୁ ଶ୍ରୀଠାକୁରଙ୍କ ଚରଣରେ ଲାଗି କରିବାକୁ ଅନୁରୋଧ କଲେ । ମଇଳା ଗାମୁଛାରେ ଥିବା ଶୁଷ୍କ ପଦ୍ମ ଫୁଲକୁ ଦେଖି ପଣ୍ଡାମାନେ ଏହା ଶ୍ରୀଠାକୁରଙ୍କୁ ଲାଗି ହୋଇପାରିବ ନାହିଁ କହି ତାଙ୍କୁ ତିରସ୍କାର କଲେ । ଭକ୍ତ ମନୋହର ଏହି ଘଟଣାରେ ଅତ୍ୟନ୍ତ ମର୍ମାହତ ହେଲେ ଏବଂ ତଳେ ପଡ଼ିଥିବା ଫୁଲକୁ ଉଠାଇ ଶ୍ରୀମନ୍ଦିରରୁ ଚାଲିଆସି ବଡ଼ଛତା ମଠ ନିକଟରେ ମୂର୍ଚ୍ଛିତ ହୋଇପଡ଼ିଲେ । ସେହି ରାତିରେ ମହାପ୍ରଭୁ ସ୍ୱପ୍ନାଦେଶରେ ଗଜପତି ମହାରାଜାଙ୍କୁ କହିଲେ ‘ମନୋହର ଆଣିଥିବା ପଦ୍ମ ପୁଷ୍ପରେ ହିଁ ଆଜି ମୋର ବଡ଼ସିଂହାର ବେଶ ହେବ । ପଦ୍ମ ଚାଉଳରେ ଖିରି ଭୋଗ କରି ସେହି ସାଧୁଙ୍କୁ ସେବନ କରାଇ ତାଙ୍କର ଜୀବନ ରକ୍ଷା କର ।’ ଭକ୍ତ ପ୍ରବର ମନୋହର ଦାସଙ୍କ ଶ୍ରୀଜଗନ୍ନାଥଙ୍କୁ ପଦ୍ମ ପୁଷ୍ପ ପ୍ରଦାନର ସ୍ମୃତି ସ୍ୱରୂପ ମାଘ ମାସରେ ଏହି ବେଶରେ ଜଗନ୍ନାଥ ମହାପ୍ରଭୁ ସୋଲ ନିର୍ମିତ ପଦ୍ମ ପୁଷ୍ପ ପରିଧାନ କରିଥାନ୍ତି ।

Get real time updates directly on you device, subscribe now.