fbpx

ନିର୍ମାଣାଧୀନ ବିଲ୍ଡିଂରେ ଲୁହା ସ୍ଲାବ୍ ଖସି ୭ ଶ୍ରମିକ ମୃତ, ୩ ଆହତ

ପୁନେ: ମହାରାଷ୍ଟ୍ର ପୁନେରେ ଗୁରୁବାର ଦିନ ବିଳମ୍ବିତ ରାତିରେ ବଡ଼ ଧରଣର ଅଘଟଣ ଘଟିଯାଇଛି । ଏଠାରେ ଏକ ନିର୍ମାଣାଧୀନ ବିଲ୍ଡିଂର ଲୁହା ସ୍ଲାବ୍ ଖସିବା ଫଳରେ ୭ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଯାଇଛି ଓ ୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଟ୍ରାଫିକ୍ ପୋଲିସ୍ କମିଶନର ରାହୁଲ ଶ୍ରୀରାମେ କହିଛନ୍ତି ଯେ, ଏହି ଘଟଣା ୟେରଭଡ଼ା ଅଞ୍ଚଳରେ ଘଟିଛି । ମିଳିଥିବା ସୂଚନା ଅନୁସାରେ, ଏହି ଅଞ୍ଚଳରେ ଥିବା ଏକ ନିର୍ମାଣାଧୀନ ବିଲ୍ଡିଂର ବେସମେଣ୍ଟରେ ବିଳମ୍ବିତ ରାତି ପର୍ଯ୍ୟନ୍ତ କାମ ଚାଲିଥିଲା । ସେହି ସମୟରେ ପାର୍କିଂରେ ଅଚାନକ ଏକ ଲୁହା ସ୍ଲାବ୍ ଖସିପଡ଼ିଥିଲା ।

ରିପୋର୍ଟ ଅନୁସାରେ, ଏହି ଅଘଟଣ ଲୁହା ସ୍ଲାବ୍ ରଖିବା କାମ ଚାଲିଥିବା ବେଳେ ଘଟିଥିଲା । ଏଥିପାଇଁ ୧୬ ଏମଏମ୍ ର ଲୁହା ରଡ୍ ରେ ଏକ ଜାଲି ତିଆରି ହୋଇଥିଲା । ଆଉ ଉକ୍ତ ଜାଲି ସାହାରାରେ ଠିଆ ହୋଇ ଶ୍ରମିକ ମାନେ କାମ କରୁଥିଲେ । ଏହି ସମୟରେ ଜାଲିଟି ଅଚାନକ ଖସିପଡ଼ିଥିଲା । ଏହା ତଳେ ଶ୍ରମିକ ମାନେ ଫସିଯାଇଥିଲେ । ଲୁହା ରଡ୍ ଗୁଡ଼ିକ ଶ୍ରମିକମାନଙ୍କ ଶରୀରରେ ପଶିଯାଇଥିଲା । ଫଳରେ ୭ ଜଣଙ୍କର ମୃତ୍ୟୁ ହୋଇଯାଇଥିଲା । ତେବେ ଏହି ଶ୍ରମିକମାନେ ବିହାରର ବୋଲି ଜଣାପଡ଼ିଛି ।

ପ୍ରାଥମିକ ଯାଞ୍ଚରୁ ଜଣାପଡ଼ିଛି ଯେ, ଘଟଣାସ୍ଥଳରେ ସତର୍କତାର ଅଭାବ କାରଣରୁ ଏହି ଘଟଣା ଘଟିଛି । ଏହି ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରିଛନ୍ତି । ସେ ଟୁଇଟ୍ କରି ଦୁଃଖ ପ୍ରକାଶ କରିବା ସହିତ ଆହତଙ୍କ ସୁସ୍ଥ ହେବା ନେଇ କାମନା କରିଛନ୍ତି ।

Get real time updates directly on you device, subscribe now.