ତିନି ମହଲା କୋଠା ଉପରେ ବିସ୍ଫୋରଣରେ ଉଡିଗଲା ଆତଙ୍କବାଦୀ ଅଲ-କ୍ୟୁରେଶୀ

ୱାଶିଂଟନ: ଆମେରିକା ସେନା ହାତରେ ଲାଗିଛି ଏକ ବଡ ସଫଳତା । କୁଖ୍ୟାତ ଆତଙ୍କୀ ସଂଗଠନ ଇସଲାମିକ ଷ୍ଟେଟ(ଆଇ.ଏସ)ର ଅନ୍ୟ ଜଣେ ନେତାର ଶିକାର କରିଛି ଆମେରିକା । ସିରିଆର ତୁର୍କୀ ସୀମା ନିକଟ ଏକ ତିନି ମହଲା କୋଠା ଉପରେ ଆମେରିକା ସେନାଙ୍କ ଗୁଳିରେ ଟଳି ପଡିଛି ଅବୁ-ଇବ୍ରାହିମ ଅଲ-କାଶ୍ମୀ ଅଲ-କ୍ୟୁରେଶୀ । ପୂର୍ବରୁ ତାକୁ ଜୀବିତ ଭାବେ ଗିରଫ କରିବା ପାଇଁ ପ୍ରସ୍ତୁତି କରିଥିଲା ସେନା । କିିନ୍ତୁ ଶେଷ ମୁହୂର୍ତ୍ତରେ ନିଜକୁ ବୋମାରେ ଉଡାଇଦେଇଛି ଏହି ଆତଙ୍କୀ ।
ଆମେରିକା ସେନା ଚାରି ପାଖରୁ ଘେରି ନେବା ପରେ ବଞ୍ଚି ବାହାରିବା ପାଇଁ ରାସ୍ତା ପାଇ ନଥିଲା କ୍ୟୁରେଶୀ । ଏହି ବିସ୍ପୋରଣରେ କ୍ୟୁରେଶୀ ବ୍ୟତୀତ ଆହୁରି କିଛି ଜଣଙ୍କର ମୃତ୍ୟୁ ହୋଇଛି । ତେବେ ଏଥିରେ କେତେ ଜଣ ପ୍ରାଣ ହରାଇଛନ୍ତି ତାହା ସ୍ପଷ୍ଟ ହୋଇ ପାରିନାହିଁ । ଆମେରିକା ସେନା ଜେନେରାଲ ଫ୍ରାଙ୍କ ମୈକେଞ୍ଜିଙ୍କ କହିବା ଅନୁସାରେ, ବିସ୍ଫୋରଣ ଏତେ ତୀବ୍ର ଥିଲା ଯେ, ତୃତୀୟ ମହଲାରେ ଥିବା ସମସ୍ତଙ୍କର ମୃତ୍ୟୁ ହୋଇଛି । ଯେଉଁଥିରେ କ୍ୟୁରେଶୀର ପତ୍ନୀ ଏବଂ ପିଲା ମଧ୍ୟ ରହିଥିବା ସୂଚନା ଦେଇଛନ୍ତି ଜେନେରାଲ ଫ୍ରାଙ୍କ । ତେବେ ଘଟଣାସ୍ଥଳରେ ପହଞ୍ଚିବା ପରେ ସ୍ଥିତି ପରଖିଥିଲେ ସିରିଆ ଉଦ୍ଧାରକାରୀ ଦଳ । ଏହି ବିସ୍ପୋରଣରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏମାନଙ୍କ ମଧ୍ୟରେ ଅଧିକାଂଶ ମହିଳା ଏବଂ ଛୁଆ ରହିଛନ୍ତି ।