fbpx

ଆବଶ୍ୟକଠାରୁ ଅଧିକ ତୈଳ ରଖିବା ମନା, ଅସାଧୁ ବ୍ୟବସାୟୀଙ୍କ ପାଇଁ କେନ୍ଦ୍ର ସରକାର ଜାରି କଲେ ନୂଆ ନିୟମ

ନୂଆଦିଲ୍ଲୀ: କରୋନା ସମୟରେ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଦରବୃଦ୍ଧି ନିଶ୍ଚିତ ଭାବେ ଜନସାଧାରଣଙ୍କ ପାଇଁ ଏକ ମୁଖ୍ୟ ସମସ୍ୟା । ପୂର୍ବରୁ ପେଟ୍ରାଲ, ଡିଜେଲ, ରନ୍ଧନ ଗ୍ୟାସ ଆଦିର ବର୍ଦ୍ଧିତ ଦର ଖାଉଟିଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଥିଲା । ତେବେ ଦୈନନ୍ଦିନ ଜୀବନରେ ରୋଷେଇରେ ବ୍ୟବହୃତ ଖାଇବା ତେଲର ଦରବୃଦ୍ଧି ସମସ୍ତଙ୍କୁ ଅସନ୍ତୁଷ୍ଟ କରୁଛି । ଏହାକୁ ନେଇ କେନ୍ଦ୍ର ସରକାର ପଦକ୍ଷେପ ନେଇଛନ୍ତି । ଦର ନିୟନ୍ତ୍ରଣ ପାଇଁ ସରକାର ଖାଇବା ତେଲ ଓ ତୈଳବୀଜ ମହଜୁଦ୍ ଉପରେ କଟକଣା ଜାରି କରିଛନ୍ତି ।

ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ଉଭୟ ବ୍ୟବସାୟୀ ଓ ପ୍ରକ୍ରିୟାକରଣ କରୁଥିବା ସଂସ୍ଥାଗୁଡ଼ିକ ପାଇଁ ଏହି କଟକଣା କାର୍ଯ୍ୟକାରୀ ହେବ । ଏଣିକି ଖୁଚୁରା ବ୍ୟବସାୟୀମାନେ ଖାଇବା ତେଲ ୩ ଟନ୍ ପର୍ଯ୍ୟନ୍ତ ମହଜୁଦ୍ ରଖିପାରିବେ । ସେହିପରି ପାଇକାରୀ ବ୍ୟବସାୟୀଙ୍କ ପାଇଁ କ୍ଷେତ୍ରରେ ଉକ୍ତ ସୀମା ୫୦ ଟନ୍ ରହିବ । ଆସନ୍ତା ଜୁନ୍ ମାସ ୩୦ ତାରିଖ ପର୍ଯ୍ୟନ୍ତ ଏହି ନିୟମ ବଳବତ୍ତର ରହିବ । ଅନ୍ତର୍ଜାତୀୟ ବଜାରରେ ତୈଳ ଦର ବୃଦ୍ଧି କାରଣରୁ ଦେଶରେ ଏହାର ମୂଲ୍ୟ ବଢ଼ିଛି । ଭାରତ ମୁଖ୍ୟତଃ ଇଣ୍ଡୋନେସିଆ ଓ ମାଲେସିଆ ଆଦି ଦେଶରୁ ତାଳ ତେଲ, ଆର୍ଜେଣ୍ଟିନା ଓ ବ୍ରାଜିଲରୁ ସୋୟା ତେଲ, ରୁଷିଆ ଓ ୟୁକ୍ରେନରୁ ସୂର୍ଯ୍ୟମୁଖୀ ତେଲ ଆମଦାନୀ କରିଥାଏ । ଭାରତ ହେଉଛି ବିଶ୍ୱର ସର୍ବବୃହତ ଖାଇବା ତେଲ ଆମଦାନୀକାରୀ ରାଷ୍ଟ୍ର । ଅନ୍ତର୍ଜାତୀୟ ବଜାରରେ ଏହାର ଦର ବଢ଼ିବା ଫଳରେ ଏହାର ପ୍ରଭାବ ଭାରତୀୟ ବଜାର ଉପରେ ପଡ଼ିଛି । ସୂଚନାଯୋଗ୍ୟ ଯେ, କିଛି ଅସାଧୁ ବ୍ୟବସାୟୀ ବିଭିନ୍ନ ସମୟରେ ପର୍ଯ୍ୟାପ୍ତ ମାତ୍ରାରେ ତୈଳ ମହଜୁଦ୍ ରଖିବା ଫଳରେ ମାର୍କେଟରେ ତୈଳର ଅଭାବ ଦେଖାଦେଇଥାଏ । ଏହା ପରୋକ୍ଷରେ ବଜାରରେ ତୈଳ ବୃଦ୍ଧିର କାରଣ ସାଜିଥାଏ । ତେବେ ସରକାରଙ୍କ ପକ୍ଷରୁ ଏହି ନୂଆ ନିୟମ ଲାଗୁ ଫଳରେ ଜନସାଧାରଣ ସୁଫଳ ପାଇପାରିବେ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.