fbpx

ଇତିହାସ ରଚିଲେ ରୋହିତ: ୧୦୦୦ ତମ ମ୍ୟାଚରେ ଭାରତର ସହଜ ବିଜୟ, ଘାତକ ବୋଲକିଂ କଲେ ଚହଲ ଓ ୱାଶିଂଟନ

ନୂଆଦିଲ୍ଳୀ: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଉଥିବା ପ୍ରଥମ ଦିନିକିଆକୁ ସହଜରେ ଜିତି ନେଇଛି ଭାରତ । ଦିନିକିଆରେ ନିଜର ୧୦୦୦ ତମ ମୁକାବିଲା ଖେଳୁଥିବା ଭାରତ ଏହି ମ୍ୟାଚକୁ ଜିତିବା ସହିତ ଇତିହାସ ରଚିଛି । ପ୍ରଥମ ଥର ପାଇଁ ଦିନିକିଆ ସିରିଜରେ ଅଧିନାୟକତ୍ୱ ଭାର ନେଇଥିବା ରୋହିତ ଶର୍ମା ମଧ୍ୟ ୧୦୦୦ତମ ମୁକାବିଲାରେ ବିଜୟ ହାସଲ କରିଛନ୍ତି ।

ଟସ୍ ଜିତି ଭାରତ ପ୍ରଥମେ ବୋଲକିଂ ନିଷ୍ପତ୍ତି ନେଇଥିଲା । ୱେଷ୍ଟଇଣ୍ଡିଜ ମାତ୍ର ୧୭୬ ରନରେ ଅଲଆଉଟ ହୋଇଥିବା ବେଳେ ୪ ୱିକେଟ ହରାଇ ଆବଶ୍ୟକୀୟ ରନ ସଂଗ୍ରହ କରିନେଇଥିଲା ଭାରତ । ୱାଶିଂଟନ ସୁନ୍ଦର ଦଳର ଟପ୍ ଅର୍ଡରକୁ ଘାଇଲା କରିଥିବା ବେଳେ ଚହଲ ମଧ୍ୟକ୍ରମକୁ ପୋଛି ଦେଇଥିଲେ । ସୁନ୍ଦର ୩୦ ରନ ଦେଇ ୩ଟି ୱିକେଟ ନେଇଥିବା ବେଳେ ଚହଲ ୪୯ ରନରେ ୪ଟି ୱିକେଟ ନେଇଥିଲେ । ୱେଷ୍ଟଇଣ୍ଡିଜ ପକ୍ଷରୁ ପୂର୍ବତନ ଅଧିନାୟକ ଜାସନ ହୋଲ୍ଡର ସର୍ବାଧିକ ୫୭ ରନ କରିଥିଲେ ।

୧୭୭ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ଭାରତ ପକ୍ଷରୁ ପ୍ରଥମ ୱିକେଟରେ ୮୪ ରନ ଯୋଡିଥିଲେ ରୋହିତ ଶର୍ମା ଓ ଇଶାନ କିଶନ । ୫୧ ବଲ ଖେଳିଥିବା ରୋହିତ ୧୦ ଚୌକା ଓ ୧ ଛକା ସହିତ ୬୦ ରନ କରିଥିଲେ । ମାତ୍ର ୯ ରନ ବ୍ୟବଧାନରେ ଉଭୟ ରୋହିତ ଓ କୋହଲି ଆଉଟ ହୋଇଥିଲେ । ଋଷଭ ପନ୍ତ(୧୧) ଦୁର୍ଭାଗ୍ୟ ଜନକ ଭାବରେ ରନ ଆଉଟ ହୋଇଥିଲେ । ତେବେ ସୂର୍ଯ୍ୟ କୁମାର ଯାଦବ(୩୪) ଏବଂ ଡେବ୍ୟୁଟାଣ୍ଟ ଦୀପକ ହୁଡା(୨୬) ୬୨ ରନର ଅବିଭାଜିତ ଭାଗିଦାରୀ ସହିତ ଦଳକୁ ବିଜୟୀ କରାଇଥିଲେ ।

Get real time updates directly on you device, subscribe now.