fbpx

ମୋଦିଙ୍କ ଉପରେ ପାଲଟା ଆକ୍ରମଣ ରାହୁଲ ଗାନ୍ଧୀ, କହିଲେ ପ୍ରଧାନମନ୍ତ୍ରୀ କଂଗ୍ରେସକୁ ଡରୁଛନ୍ତି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ ମୋଦି ସୋମବାର ଲୋକସଭାରେ ଏବଂ ମଙ୍ଗଳବାର ରାଜ୍ୟସଭାରେ କଂଗ୍ରେସ ଉପରେ ଜୋରଦାର ବର୍ଷିଥିଲେ । ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବରେ ଚର୍ଚ୍ଚାର ଉତ୍ତର ଦେବା ସମୟରେ ମୋଦି କହିଥିଲେ ଯେ କଂଗ୍ରେସ ସହରୀ ନକ୍ସଲଙ୍କ କବ୍ଚାରେ ଅଛି । ଏହାସହ ଲୋକସଭାରେ ଦରଦାମ ବୃଦ୍ଧିକୁ ନେଇ କଂଗ୍ରେସ ଉପରେ ବର୍ଷିଥିଲେ ପ୍ରଧାନମନ୍ତ୍ରୀ । ପଣ୍ଡିତ ନେହେରୁଙ୍କ ଏକ ଉଦାହରଣ ଦେଇ ବର୍ଷିଥିଲେ ମୋଦି । ମୋଦି କହିଛନ୍ତି ପଣ୍ଡିତ ନେହେରୁ କହିଥିଲେ ଯେ କୋରିଆ ଯୁଦ୍ଧ ମୁଦ୍ରାସ୍ଫୀତିର କାରଣ ହୋଇଥିଲା ।

ଏହି ପ୍ରସଙ୍ଗକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ପାଲଟା ଆକ୍ରମଣ କରି କହିଛନ୍ତି ସଂସଦରେ ପଚାରିଥିବା ପ୍ରଶ୍ନର ଉତ୍ତର ଦେଲେନାହିଁ ମୋଦି । ପ୍ରଧାନମନ୍ତ୍ରୀ କଂଗ୍ରେସକୁ ଡରୁଛନ୍ତି । ତାଙ୍କର ଭାଷଣ ହିଁ ଏହାର ପ୍ରମାଣ ।

ରାହୁଲ କହିଛନ୍ତି ‘ମୋଦି ସଂସଦରେ ନିଜ ଭାଷଣ ସମୟରେ ମୋର ପ୍ରଶ୍ନର ଉତ୍ତର ଦେଲେ ନାହିଁ । ରାହୁଲ କହିଛନ୍ତି ଆମେ ଚୀନ ଏବଂ ପାକିସ୍ତାନ ବିଷୟକୁ ଗମ୍ଭୀରତାର ସହ ନେବା ଆବଶ୍ୟକ ରହିଛି । ସେ କହିଛନ୍ତି ମୋର ଅଜା ଦେଶ ସେବା କରିଥିଲେ, ମତେ କୌଣସି ସାର୍ଟିଫିକେଟର ଦରକାର ନାହିଁ । କଂଗ୍ରେସ ସତ କୁହେଁ ସେଥିପାଇଁ ବିଜେପି ଆମକୁ ଡରୁଛି । ସେ ଆହୁରି କହିଛନ୍ତି ମୋଦି ମାର୍କେଟିଙ୍ଗ୍ କରୁଛନ୍ତି, ସଂସଦରେ ଏହାହିଁ ଦେଖିବାକୁ ମିଳିଥିଲା । ସଂପୂର୍ଣ୍ଣ ଭାଷଣ କଂଗ୍ରେସ ବିଷୟରେ ଥିଲା, ଜବାହାର ଲାଲ ନେହେରୁଙ୍କ ବିଷୟରେ ଥିଲା, କଂଗ୍ରେସ କ’ଣ କରିନାହିଁ ସେ ବିଷୟରେ ଥିଲା କିନ୍ତୁ ବିଜେପି ଯେଉଁ ପ୍ରତିଶ୍ରୁତି ଦେଇଥିଲା ସେ ବିଷୟରେ କିଛି କହିଲେନି ମୋଦି ।’

ରାହୁଲ ଗାନ୍ଧୀ କହିଛନ୍ତି ‘ମୁଁ ୩ ଟି ପ୍ରଶ୍ନ କରିଥିଲି କିନ୍ତୁ ପ୍ରଧାନମନ୍ତ୍ରୀ କୌଣସି ପଶ୍ନର ଉତ୍ତର ଦେଲେ ନାହିଁ । କୋଭିଡକୁ ନେଇ ପ୍ରଶ୍ନ କରିଥିଲି ଯେ କୋଭିଡ ଯୋଗୁଁ ବିପଦ ଅଛି କିନ୍ତୁ ମୋ କଥା ମାନିନଥିଲେ । ମୁଁ ସଦନରେ କହିଥିଲି ଯେ ପାକିସ୍ତାନ ଏବଂ ଚୀନ ଠାରୁ ବିପଦ ରହିଛି ଏବଂ ଏହାକୁ ଗମ୍ଭୀରତାର ସହ ନେବା ଦରକାର । ମୋଦି ଭାରତକୁ ବିପଦରେ ପକାଉଛନ୍ତି କାରଣ ତାଙ୍କର ବିଦେଶ ନୀତି ଦେବାଳିଆ ହୋଇଯାଇଛି ।’

Get real time updates directly on you device, subscribe now.