୧୯ରୁ ରାଷ୍ଟ୍ରପତିଙ୍କ ଦୁଇଦିନିଆ ପୁରୀ ଗସ୍ତ, ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ କରିବେ ଦର୍ଶନ
ପୁରୀ/ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍): ଆସନ୍ତା ୧୯ରୁ ଦୁଇଦିନିଆ ପୁରୀ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏଥିନେଇ ତାଙ୍କ ଗସ୍ତସୂଚୀ ପୁରୀ ଜିଲ୍ଲା ପ୍ରଶାସନ ନିକଟରେ ପହଞ୍ଚିଥିବା ସୂଚନା ମିଳିଛି । ରାଷ୍ଟ୍ରପତି ଶ୍ରୀ କୋବିନ୍ଦ ୧୯ ତାରିଖ ଅପରାହ୍ଣ ୨.୪୫ରେ ଭୁବନେଶ୍ୱରରେ ପହଞ୍ଚିବା ପରେ ସେଠାରୁ ପୁରୀ ଯିବେ । ପୁରୀରେ ସେ ଅପରାହ୍ଣ ୩.୩୫ରେ ପହଞ୍ଚିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି । ସେଠାରୁ ସେ ସିଧାସଳଖ ଏକ ତାରକା ହୋଟେଲକୁ ଯାଇ ବିଶ୍ରାମ ନେବେ । ଅପରାହ୍ଣ ୫ଟାରେ ସେ ଶ୍ରୀମନ୍ଦିର ଆସି ଶ୍ରୀଜୀଉଙ୍କୁ ଦର୍ଶନ କରିବେ । ସେ ଶ୍ରୀମନ୍ଦିରରେ ପ୍ରାୟ ୪୫ ମିନିଟ୍ ଧରି ରହିବେ ।
ତେବେ ସେହିଦିନ ରାତିରେ ସେ ପୁରୀରେ ରହିବେ ବୋଲି ସୂଚନା ଦିଆଯାଇଛି । ତା’ପରଦିନ ଅର୍ଥାତ୍ ୨୦ ତାରିଖରେ ରାଷ୍ଟ୍ରପତି ଶ୍ରୀଚୈତନ୍ୟ ଗୌଡ଼ୀୟ ମଠକୁ ଯିବାର କାର୍ଯ୍ୟକ୍ରମ ରହିଛି । ସେଠାରେ ସେ ୧୫ ମିନିଟ୍ ଧରି ରହିବେ । ଗୌଡ଼ୀୟ ମଠରୁ ସିଧା ଶରଧାବାଲିର ସଭାସ୍ଥଳରେ ପହଞ୍ଚିବେ ଓ ଶ୍ରୀଲ ପ୍ରଭୁପାଦ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଗୋସ୍ୱାମୀ ମହାରାଜଙ୍କ ୧୫୦ତମ ଅବସରରେ ୩ ବର୍ଷ ବ୍ୟାପୀ ଅନୁଷ୍ଠିତ ହେବାକୁ ଯାଉଥିବା ଉତ୍ସବକୁ ଉଦ୍ଘାଟନ କରିବେ । ରାଷ୍ଟ୍ରପତି ସେଠାରେ ପୂର୍ବାହ୍ନ ୧୧ଟାରୁ ୧୨ଟା ପର୍ଯ୍ୟନ୍ତ ରହିବେ । ତା’ପରେ ଭୁବନେଶ୍ୱର ଫେରିଆସି ସେଠାରୁ ନୂଆଦିଲ୍ଳୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି ।