ପୃଥିବୀପୃଷ୍ଠରେ ଅନେକ ରହସ୍ୟ ରହିଛି । ପର୍ବତ, ନଦୀ, ହ୍ରଦ ଆଦି ବିଷୟରେ ଏପରି ଅନେକ କିଛି ଜାଣିବାକୁ ଅଛି, ଯାହା ବିଷୟରେ ପତ୍ତା ଲଗାଇପାରିନି ମଣିଷ । ଦୁନିଆରେ ଅନେକ ହ୍ରଦ ରହିଛି, କିନ୍ତୁ ସେମାନଙ୍କ ମଧ୍ୟରୁ ଏପରି କିଛି ହ୍ରଦ ଅଛି, ଯାହାର ରହସ୍ୟ ଆଜି ପର୍ଯ୍ୟନ୍ତ ଜଣାପଡିନାହିଁ । ସେହିପରି ଦକ୍ଷିଣ ଆଫ୍ରିକାର ଲିମ୍ପୋପୋ ରାଜ୍ୟରେ ଏକ ରହସ୍ୟମୟ ହ୍ରଦ ରହିଛି । ଏହି ହ୍ରଦ ଦେଖିବାକୁ ଖୁବ୍ ସୁନ୍ଦର ଓ ଏହାର ପାଣି ବି ଅତ୍ୟନ୍ତ ନିର୍ମଳ । କିନ୍ତୁ କୁହାଯାଏ ଯେ କେହି ବି ଏହାର ପାଣି ପିଅନ୍ତି, ତାଙ୍କର ମୃତ୍ୟୁ ହୋଇଯାଏ ।
କୁହାଯାଏ ଯେ, ପ୍ରାଚୀନ କାଳରେ ଭୂସ୍ଖଳନ ଯୋଗୁଁ ଏହି ହ୍ରଦ ସୃଷ୍ଟି ହୋଇଥିଲା । ଏହାର ପାଣି ପିଇଲେ କାହିଁକି ମୃତ୍ୟୁ ହୁଏ ବୋଲି ବର୍ତ୍ତମାନ ସୁଦ୍ଧା ରହସ୍ୟ ହୋଇ ରହିଛି । ହ୍ରଦ ବିଷୟରେ ଏକ ସ୍ଥାନୀୟ କାହାଣୀ ବି ରହିଛି । କାହାଣୀ ଅନୁସାରେ, ପ୍ରାଚୀନ କାଳରେ ଏହି ସ୍ଥାନକୁ ଏକ କୁଷ୍ଠରୋଗୀ ଦୀର୍ଘଯାତ୍ରା କରି ଆସିଥିଲେ । ଯେବେ ସେ ଖାଇବାକୁ ଓ ରହିବାକୁ ଜାଗା ମାଗିଥିଲେ, ସେବେ ତାଙ୍କୁ ଦିଆଯାଇନଥିଲା । ଏହା ପରେ କୁଷ୍ଠରୋଗୀ ଲୋକମାନଙ୍କୁ ଅଭିଶାପ ଦେଇ ହ୍ରଦରେ ଅଦୃଶ୍ୟ ହୋଇଥିଲା ।
ପ୍ରତିବର୍ଷ ସ୍ଥାନୀୟ ଲୋକମାନେ ଡ୍ୟାନ୍ସ ଉତ୍ସବ ଆୟୋଜନ କରନ୍ତିି । କୁହାଯାଏ କି, ବୁଡ଼ିଯାଇଥିବା ଲୋକଙ୍କ କାନ୍ଦଣା ଓ ଡ୍ରମ ବାଜିବାର ଶବ୍ଦ ଏହି ହ୍ରଦ ଭିତରେୁ ଆସିଥାଏ । ସ୍ଥାନୀୟ ଲୋକଙ୍କ କହିବା ମୁତାବକ, ପର୍ବତରେ ଥିବା ଏକ ବିଶାଳକାୟ ଅଜଗର ହ୍ରଦର ରକ୍ଷା କରୁଛି । କିନ୍ତୁ ଅଜଗର ସ୍ଥାନୀୟ ଲୋକଙ୍କ କିଛି ଅସୁବିଧା କରୁନି । ଏଥିପାଇଁ ତାଙ୍କୁ ପ୍ରସନ୍ନ କରିବାକୁ ପ୍ରତିବର୍ଷ ସେଠାରେ ନୃତ୍ୟ ଉତ୍ସବ ଆୟୋଜିତ ହେଉଛି । ଏଥିରେ ଅବିବାହିତ ଯୁବତୀମାନେ ନୃତ୍ୟ କରନ୍ତି ।
୧୯୪୬ ମସିହାରେ ଆଣ୍ଡି ଲେଭିନ୍ ନାମକ ଜଣେ ବ୍ୟକ୍ତି ଏହି ହ୍ରଦର ରହସ୍ୟ ଜାଣିବାକୁ ଚେଷ୍ଟା କରିଥଲେ । ସେ ପାଣିର ସତ୍ୟତା ଜାଣିବାକୁ ସେଠାକୁ ଯାଇଥିଲେ । ସେ ହ୍ରଦରୁ କିଛି ପାଣି ଓ ଗଛ ଆଣି ଆସିଥିଲେ, କିନ୍ତୁ ଫେରିବାର ବାଟ ଭୁଲିଯାଇଥିଲେ । ଯେପଯ୍ୟନ୍ତ ସେ ପାଣି ଓ ଗଛ ନଫୋପାଡିଥିଲେ, ସେ ପଯ୍ୟନ୍ତ ତାଙ୍କୁ ରାସ୍ତା ମିଳିନଥିଲା । ଏହି ଘଟଣାର କିଛି ଦିନ ପରେ ତାଙ୍କର ମୃତ୍ୟୁ ହୋଇଥିଲା । ଆଜିଯାଏଁ ଅନେକ ଲୋକ ଏହି ହ୍ରଦ ବିଷୟରେ ଜାଣିବାକୁ ଚେଷ୍ଟା କରୁଛନ୍ତି, କିନ୍ତୁ ବିଫଳ ହେଉଛନ୍ତି । ଏହି ହ୍ରଦର ପାଣିରେ କିଛି ବିଷାକ୍ତି ଗ୍ୟାସ ମିଶିଥିବା କିଛି ଲୋକ ସନ୍ଦେହ କରୁଛନ୍ତି ।