ନୂଆପଡ଼ା(ଓଡ଼ିଶା ଭାସ୍କର): ରାଜ୍ୟରେ ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ସରିଥିବା ବେଳେ ତୃତୀୟ ପର୍ଯ୍ୟାୟ ପାଇଁ ଚାଲିଛି ପ୍ରସ୍ତୁତି । କିଛି ସ୍ଥାନରେ ଶାନ୍ତିପୂର୍ଣ୍ଣ ପରିବେଶ ରହିଥିବା ବେଳେ କିଛି ସ୍ଥାନରେ ନିର୍ବାଚନୀ ତାତି ଦେଖିବାକୁ ମିଳିଛି । ଏହାରି ମଧ୍ୟରେ ହାତଗୋଡ଼ ବନ୍ଧା ଅବସ୍ଥାରେ ଜଣେ ସରପଞ୍ଚ ପ୍ରାର୍ଥୀ ଉଦ୍ଧାର ହୋଇଛନ୍ତିି । ନୂଆପଡ଼ା ଖଡ଼ିଆଳ ସୁନାରିଶିକୁମାର ସରପଞ୍ଚ ପ୍ରାର୍ଥୀ ଚୁଳମଣି ବଇଠାରୁ ଉଦ୍ଧାର ହୋଇଛନ୍ତିି । ଘରଠାରୁ ପ୍ରାୟ ୧ କିମି ଦୂର ରାସ୍ତକଡ଼ରୁ ମୁର୍ମୂଷୁ ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇଛି ।
ଗୁରୁତର ଅବସ୍ଥାରେ ଚୁଳମଣିଙ୍କୁ ବଲାଙ୍ଗିର ସ୍ଥାନାନ୍ତର କରାଯାଇଛି । ତେବେ ଗତକାଲି ରାତିରୁ ଚୁଳମଣି ଆଉ ଘରକୁ ଫେରିନଥିଲେ । ହାତ ଓ ମୁଣ୍ଡରେ ଆଘାତ ଲାଗିଥିବା ବେଳେ ତାଙ୍କୁ ଖଡ଼ିଆଲ SDH ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଚୁଳମଣିଙ୍କୁ କିଏ ଓ କାହିଁକି ହାତଗୋଡ଼ ବାନ୍ଧି ପକାଇଥିଲା, ତାହା ଅସ୍ପଷ୍ଟ ରହିଛି । କାଲି ୩ୟ ପର୍ଯ୍ୟାୟରେ ଚୁଳମଣିଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବାର ଅଛି ।
ସେହିପରି ଢେଙ୍କାନାଳ ଜିଲ୍ଲାର ସମିତି ସଭ୍ୟା ପ୍ରାର୍ଥନୀଙ୍କ ନିଖୋଜ ସ୍ୱାମୀ ଚିନ୍ମୟ କୁମାର ଦାସଙ୍କ ସନ୍ଧାନ ଗତକାଲି ମିଳିଥିଲା । ଚିନ୍ମୟଙ୍କୁ ଟାଉନ ଥାନା ବାଜିଚୌକ ଓଭରବ୍ରିଜ ତଳୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ବର୍ତ୍ତମାନ ଚିନ୍ମୟଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତେବେ ଚିନ୍ମୟ କିପରି ବ୍ରିଜ ତଳକୁ ଗଲେ, ତାଙ୍କୁ ସେଠାକୁ କିଏ ନେଇଥିଲା ସେ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ମିଳିପାରିନାହିଁ । ଚିନ୍ମୟଙ୍କୁ ରାଜନୈତିକ ଉଦ୍ଦେଶ୍ୟ ରଖି କେହି ଅପହରଣ କରିଥିବା ଅନୁମାନ କରାଯାଉଥିଲା । ତେଣୁ ତାଙ୍କର ପତ୍ନୀ ଭାରତୀ ରଥ ଭୟଭୀତ ହୋଇ ତାଙ୍କର ଭୋଟ ଦରକାର ନାହିଁ, ସ୍ୱାମୀ ଦରକାର ବୋଲି ମିଡ଼ିଆରେ କାନ୍ଦି କାନ୍ଦି ଆକୁଳ ନିବେଦନ କରିଥିଲେ ।
ମୁମୂର୍ଷୁ ଅବସ୍ଥାରେ ସରପଞ୍ଚ ପ୍ରାର୍ଥୀ ଚୁଳମଣି ଉଦ୍ଧାର pic.twitter.com/yiNpR3M9IF
— Odisha Bhaskar (@odishabhaskar) February 19, 2022