fbpx

ବାରମ୍ବାର କହିବା ପରେ ବି ପର ପୁରୁଷ ସହ କଥା ହେଉଥିଲା ପତ୍ନୀ, ହାଇକୋର୍ଟ ଦେଲେ ଛାଡ଼ପତ୍ରକୁ ମଞ୍ଜୁରୀ

ଥିରୁବନନ୍ତପୁରମ୍: କେରଳ ହାଇକୋର୍ଟ ନିଜର ଏକ ମାମଲାର ଶୁଣାଣି ବେଳେ ଗୋଟିଏ ଦମ୍ପତିକୁ ଛାଡ଼ପତ୍ର ପାଇଁ ମଞ୍ଜୁରୀ ଦେଇଛନ୍ତି ଏବଂ କହିଛନ୍ତି ଯେ, ସ୍ତ୍ରୀ ଯଦି ସ୍ୱାମୀର ବାରମ୍ବାର କହିବା ସତ୍ତେ୍ୱ ଅନ୍ୟ ପୁରୁଷ ସହିତ କଥା ହେଉଛି ତାହେଲେ ଏହାକୁ ବୈବାହିକ କ୍ରୁରତା ବୋଲି କୁହାଯିବ । ଏହି ମାମଲାରେ ସ୍ୱାମୀ ଏକ ପାରିବାରିକ କୋର୍ଟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଛାଡ଼ପତ୍ର ପାଇଁ ଅପିଲ୍ କରିଥିଲେ । ଉକ୍ତ ପାରିବାରିକ କୋର୍ଟରେ ବ୍ୟକ୍ତି ଜଣକ ବ୍ୟାଭିଚାର ଓ କ୍ରୁରତା ଆଧାରରେ ଛାଡ଼ପତ୍ର ପାଇଁ ଅନୁମତି ଦେବାକୁ ଅପିଲ୍ କରିଥିଲେ । କିନ୍ତୁ କୋର୍ଟ ତାକୁ ଖାରଜ କରିଦେଇଥିଲା । ତେଣୁ ପାରିବାରିକ କୋର୍ଟକୁ ଚ୍ୟାଲେଞ୍ଜ କରି ବ୍ୟକ୍ତି ଜଣକ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ ।

ରିପୋର୍ଟ ଅନୁସାରେ, କେରଳ ହାଇକୋର୍ଟ ନିଜ ନିଷ୍ପତ୍ତିରେ କହିଥିଲେ ଯେ, ପତ୍ନୀ ଓ ଅନ୍ୟ ପୁରୁଷ ମଧ୍ୟରେ ଫୋନ୍ କଲ୍ କୁ ପ୍ରମାଣ ଭାବରେ ନେଇ ବ୍ୟାଭିଚାରର ଅଭିଯୋଗ ଲଗାଇବା ପର୍ଯ୍ୟାପ୍ତ ନୁହେଁ । ଏହା ସହିତ କହିଥିଲେ ଯେ, ଦୁହିଁଙ୍କ ମଧ୍ୟରେ ବୈବାହିକ କଳହକୁ ନେଇ ପତ୍ନୀ ସଜାଗ ରହିବା ଜରୁରୀ । ଏହି ଦୁଇଜଣ ପୂର୍ବରୁ ତିନି ଥର ଅଲଗା ହୋଇପାରିଛନ୍ତି ଓ ଅନେକ ବୁଝାଇବା ପରେ ଏକାଠି ହୋଇଥିଲେ ।

ଏହି ଦମ୍ପତ୍ତିଙ୍କର ଗୋଟିଏ ସନ୍ତାନ ବି ରହିଛି । ଦୁହିଁଙ୍କ ମଧ୍ୟରେ କଳହ ୨୦୧୨ରୁ ଆରମ୍ଭ ହୋଇଥିଲା । ସେ ସମୟରେ ଶାଶୁ ଘର ଲୋକ ମାରପିଟ୍ କରୁଥିବା ଅଭିଯୋଗ ଆଣିଥିଲେ ପତ୍ନୀ । କିନ୍ତୁ ଏହା ପୂର୍ବରୁ ହିଁ ସ୍ୱାମୀଙ୍କର ନିଜ ପତ୍ନୀ ଉପରେ ସନ୍ଦେହ ଥିଲା ଯେ, ବିବାହ ପୂର୍ବରୁ ଅଫିସ୍ ରେ ଅନ୍ୟ ଜଣେ ପୁରୁଷ ସହିତ ତାଙ୍କ ସମ୍ବନ୍ଧ ଥିଲା । ଯାହା ବିବାହ ପରେ ବି ଜାରି ରହିଥିଲା । ତେବେ କୋର୍ଟ ଏହାକୁ ବି ଅପର୍ଯ୍ୟାପ୍ତ ପ୍ରମାଣ ବୋଲି ଦର୍ଶାଇଥିଲେ ।

ଅନ୍ୟପଟେ ସ୍ୱାମୀ ନିଜ ବୟାନରେ କହିଛନ୍ତି ଯେ, ସେ ନିଜ ପତ୍ନୀ ଓ ଅନ୍ୟ ପୁରୁଷଙ୍କ ମଧ୍ୟରେ ଅନ୍ତରଙ୍ଗ କଥାବାର୍ତ୍ତା ଶୁଣିଛନ୍ତି ଏବଂ ପଚାରିବାରୁ ତାଙ୍କ ସ୍ତ୍ରୀ ତାଙ୍କୁ କହିଥିଲେ ଯେ, ଦ୍ୱିତୀୟ ବ୍ୟକ୍ତିର ଅଧିକାର ତାଙ୍କ ଉପରେ ଅଧିକ ରହିଛି । ଏ ସଂକ୍ରାନ୍ତରେ ଜେରା ବେଳେ ପତ୍ନୀ କହିଥିଲେ ଯେ, ଦ୍ୱିତୀୟ ପୁରୁଷ ସହିତ ସେ କେବେ କେବେ କଥାବାର୍ତ୍ତା କରନ୍ତି । କିନ୍ତୁ ଦସ୍ତାବିଜ୍ ରେ ଦିଆଯାଇଥିବା ପ୍ରମାଣ ଅନୁସାରେ, ସ୍ୱାମୀ ତାଙ୍କୁ ବାରମ୍ବାର କହିବା ପରେ ବି ଦ୍ୱିତୀୟ ପୁରୁଷ ସହିତ ସମ୍ପର୍କ ରଖିଛନ୍ତି । ତେଣୁ ଏହା ଏକ ବୈବାହିକ କ୍ରୁରତା ବୋଲି କୋର୍ଟ କହିଛନ୍ତି ।

Get real time updates directly on you device, subscribe now.