ଯେଉଁ ପିତାମାତା ଭୋଟ ଦେବେ, ସେମାନଙ୍କ ପିଲାମାନେ ପରୀକ୍ଷାରେ ପାଇବେ ଅଧିକ ମାର୍କ, ଘୋଷଣା କଲେ କଲେଜ ପ୍ରିନ୍ସପାଲ

ନୂଆଦିଲ୍ଲୀ: ବର୍ତ୍ତମାନ ଦେଶର ବିଭିନ୍ନ ରାଜ୍ୟରେ ବିଧାନସଭା ଓ କିଛି ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଚାଲୁଛି । ଏହି ଅବସରରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀମାନେ ନାନାବିଧ ଲୋଭନୀୟ ଘୋଷଣା କରୁଛନ୍ତି । ତେବେ ନିକଟରେ ଉତ୍ତରପ୍ରଦେଶରେ ମଧ୍ୟ ଏଭଳି ଭିନ୍ନ ଧରଣର ଲୋଭନୀୟ ଅଫର ଦେଖିବାକୁ ମିଳିଛି । ପିତାମାତା ମତଦାନ କଲେ ସେମାନଙ୍କର ପିଲାମାନଙ୍କୁ ଅତିରିକ୍ତ ୧୦ ନମ୍ବର ମିଳିବ ବୋଲି ଏକ କଲେଜର ପ୍ରିନ୍ସପାଲ ଘୋଷଣା କରିଛନ୍ତି । ଉକ୍ତ ପ୍ରିନ୍ସପାଲଙ୍କ ମତରେ, ଏହି ଯୋଜନା ମାଧ୍ୟମରେ ଶିକ୍ଷା କ୍ଷେତ୍ରରେ ଦୁର୍ବଳ ଶ୍ରେଣୀର ପିଲାମାନେ ସହଜରେ ଉପର ଶ୍ରେଣୀକୁ ଉନ୍ନୀତ ହୋଇପାରିବେ ଓ ମତଦାନ ଶତ ପ୍ରତିଶତ ହୋଇପାରିବ ।

ଆଜି ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ଭୋଟ ଅନୁଷ୍ଠିତ ହେଉଛି । ଏହି ଅବସରରେ ଲକ୍ଷ୍ନୌର ଆଙ୍ଗଲୋ-ଇଣ୍ଡିଆନ ସ୍କୁଲ ‘କ୍ରାଇଷ୍ଟ ଚର୍ଚ୍ଚ କଲେଜ’ ପକ୍ଷରୁ ଏପରି ଏକ ଅଭିନବ ଯୋଜନା ଲାଗୁ କରାଯାଇଛି । ତେବେ ପିଲାମାନେ ସେମାନଙ୍କର ପିତାମାତାଙ୍କୁ ସ୍କୁଲ ନେଇ କରି ଆସିବେ ଓ ସେମାନଙ୍କୁ ଭୋଟ ଦେବାକୁ ପ୍ରେରିତ କରିବାକୁ ପଡ଼ିବ । ଯେଉଁ ପିତାମାତା ୟୁପି ମତଦାନ କାର୍ଯ୍ୟକ୍ରମରେ ଭାଗନେବେ, ସେମାନଙ୍କର ପିଲାଙ୍କୁ ଅତିରିକ୍ତ ୧୦ ମାର୍କ ଲେଖାଏଁ ଦିଆଯିବ ବୋଲି କୁହାଯାଇଛି ।