ଏୟାର ଇଣ୍ଡିଆରେ ଭାରତ ଫେରିବେ ୟୁକ୍ରେନରେ ଫସି ରହିଥିବା ଭାରତୀୟ: ରୋମାନିଆରୁ ହେବ ଦୁଇଟି ରିଟର୍ଣ୍ଣ ବିମାନ

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ରୁଷର ଆକ୍ରମଣ ଏବେ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି । ରୁଷ ସେନା ଏବେ ୟୁକ୍ରେନ ରାଜଧାନୀ କିଭରୁ ମାତ୍ର ୧୦ କିଲୋମିଟର ଦୂରରେ ରହିଥିବା ସୂଚନା ମିଳିଛି । ତେବେ ଏହା ମଧ୍ୟରେ ୟୁକ୍ରେନରେ ଫସିଥିବା ନାଗରିକଙ୍କ ପାଇଁ ଚିନ୍ତାରେ ପଡିଛି ଭାରତ । ଏମାନଙ୍କୁ ଫେରାଇ ଆଣିବା ପାଇଁ ଦେଶ ଚଳାଇଛି ରୀତିମତ ପ୍ଲାନ ।

ରୋମାନିଆର ରାଜଧାନୀ ବୁଖାରେଷ୍ଟକୁ ଦୁଇଟି ବିମାନ ଚଳାଚଳ କରିବା ପାଇଁ ଯୋଜନା କରାଯାଉଛି । ସଡକ ମାର୍ଗରେ ରୋମାନିଆ ସୀମାରେ ପହଞ୍ଚି ସାରିଥିବା ଭାରତୀୟ ନାଗରିକମାନଙ୍କୁ ସରକାର ବୁଖାରେଷ୍ଟରେ ପହଞ୍ଚାଇବେ । ଫଳରେ ସେମାନେ ଏୟାର ଇଣ୍ଡିଆ ସାହାଯ୍ୟରେ ସ୍ୱଦେଶ ଫେରିପାରିବେ । ଏ ନେଇ ବରିଷ୍ଠ ସରକାରୀ ଅଧିକାରୀଙ୍କ ଦ୍ୱାରା ସ୍ପଷ୍ଟ କରାଯାଇଛି । ପୋଲାଣ୍ଡ-ୟୁକ୍ରେନ ସୀମାରେ ପହଞ୍ଚିଥିବା ଭାରତୀୟ ନାଗରିକମାନଙ୍କୁ ଶେହିନୀ-ମେଡିକା ସୀମା ଅତିକ୍ରମ କରିବାକୁ ପରାମର୍ଶ ଦିଆଯାଇଥିବା କହିଛନ୍ତି ଭାରତୀୟ ଦୂତାବାସ । ତେବେ ସଠିକ ମାର୍ଗ କାର୍ଯ୍ୟକ୍ଷମ ହେବା ପରେ ନିଜେ ଯାତ୍ରା କରୁଥିବା ଭାରତୀୟ ନାଗରିକମାନଭ୍କୁ ଚେକ ପଏଣ୍ଟରେ ଆଗକୁ ଯିବାକୁ ଦିଆଯିବ । ତେଣୁ ଆବଶ୍ୟକୀୟ କାଗଜପତ୍ରକୁ ପ୍ରସ୍ତୁତ ରଖିବାକୁ ଭାରତୀୟ ଦୂତାବାସ ପରାମର୍ଶ ଦେଇଛନ୍ତି ।