fbpx

ସଡ଼କ ଦୁର୍ଘଟଣା: ମୃତକ ଓ ଆହତଙ୍କ ସହାୟତା ରାଶି ବୃଦ୍ଧି କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ସଡ଼କ ଦୁର୍ଘଟଣା ମାମଲାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଛି । ଏଣିକି ଦୁର୍ଘଟଣାରେ ମୃତ୍ୟୁବରଣ କରୁଥିବା ଲୋକମାନେ ୮ ଗୁଣ ଅଧିକ ସହାୟତା ପାଇବେ । ସେହିପରି ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ୪ ଗୁଣ ଅଧିକ ଅର୍ଥ ପ୍ରଦାନ କରାଯିବ । ଆସନ୍ତା ଏପ୍ରିଲ ମାସ ୧ ତାରିଖରୁ ଏହି ନୂଆ ନିୟମ ଲାଗୁ ହେବ । କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଏହି ବିଜ୍ଞପ୍ତି ଜାରି କରାଯାଇଛି ।

ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଆହତଙ୍କ ପୂର୍ବରୁ ପ୍ରଦାନ କରାଯାଉଥିବା ସହାୟତା ରାଶି ୧୨,୫୦୦କୁ ଏବେ ୫୦,୦୦୦କୁ ବୃଦ୍ଧି କରାଯାଇଛି । ସେହିପରି ମୃତକଙ୍କୁ ପ୍ରଦାନ କରାଯାଉଥିବା ଅର୍ଥ ୨୫,୦୦୦କୁ ବର୍ତ୍ତମାନ ୨ ଲକ୍ଷକୁ ବଢ଼ାଇ ଦିଆଯାଇଛି । ଏଥିପାଇଁ ସରକାର ମୋଟର ଯାନ ଦୁର୍ଘଟଣା ଫଣ୍ଡ ଗଠନ କରିବ । ହିଟ ଆଣ୍ଡ ରନ ଆକ୍ସିଡେଣ୍ଟ ମାମଲାରେ ମୃତକ ଓ ଆହତଙ୍କୁ ଏହି ଫଣ୍ଡରୁ ଅର୍ଥ ସହାୟତା ଦିଆଯିବ ।

ଗତ ୨୦୨୯ରେ ଦେଶର ରାଜଧାନୀ ନୂଆଦିଲ୍ଲୀରେ ହିଟ ଆଣ୍ଡ ରନ ଦୁର୍ଘଟଣାରେ ୫୩୬ ଜଣ ମୃତ୍ୟୁବରଣ କରିଥିବା ବେଳେ ୧୬୫୫ ଜଣ ଆହତ ହୋଇଥିଲେ । ସେହିପରି ୨୦୨୦ରେ ସମଗ୍ର ଦେଶରେ ୩ ଲକ୍ଷ ୬୬ ହଜାର ୧୩୮ଟି ସଡ଼କ ଦୁର୍ଘଟଣା ଘଟିଥିବା ବେଳେ ସେଥିରେ ୧ ଲକ୍ଷ ୩୧ ହଜାର ୭୧୪ ଜଣ ପ୍ରାଣ ହରାଇଥିଲେ । କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ରାଜ୍ୟସଭାରେ ଏହି ତଥ୍ୟ ପ୍ରଦାନ କରିଥିଲେ । ନିୟମ ମୁତାବକ, ୩ ମାସ ମଧ୍ୟରେ ପୀଡ଼ିତ ଓ ତାଙ୍କ ପରିବାର ସଦସ୍ୟଙ୍କ ଆକଉଣ୍ଟକୁ ଅର୍ଥ ପଠାଯିବ । ପୀଡ଼ିତଙ୍କ ପରିବାର ଯେପରି ତ୍ୱରିତ ସହାୟତା ରାଶି ପାଇବେ ସେନେଇ ବ୍ୟବସ୍ଥା କରାଯିବ । ଏଥିସହ ପୀଡ଼ିତଙ୍କୁ ଅର୍ଥ ମିଳିବାରେ କୌଣସି ସମସ୍ୟା ନ ଉପୁଜିବା ପାଇଁ ଧ୍ୟାନ ଦିଆଯିବ ।

Get real time updates directly on you device, subscribe now.