‘ହିଜାବ ଇସଲାମିକ ପରମ୍ପରାର ଅଂଶ ବିଶେଷ ନୁହେଁ’, ଜାଣନ୍ତୁ କର୍ଣ୍ଣାଟକ ହାଇକୋର୍ଟଙ୍କ ପ୍ରତି ପ୍ରଶ୍ନର ଜବାବ

ବେଙ୍ଗାଲୁରୁ: ହିଜାବ ବିବାଦ ଉପରେ ମଙ୍ଗଳବାର କର୍ଣ୍ଣାଟକ ହାଇକୋର୍ଟ ନିଜର ରାୟ ଶୁଣାଇଛନ୍ତି। ହାଇକୋର୍ଟ ଛାତ୍ରୀଙ୍କ ଆବେଦନ ଅଗ୍ରାହ୍ୟ କରି ଦେଇଛନ୍ତି ଏବଂ କହିଛନ୍ତି ହିଜାବ ଇସଲାମ ଧର୍ମର ଅଂଶ ବିଶେଷ ନୁହେଁ। କର୍ଣ୍ଣାଟକ ହାଇକୋର୍ଟଙ୍କ ନିଷ୍ପତ୍ତି ଚାରି ପ୍ରଶ୍ନ ଉପରେ ପର‌୍ୟ୍ୟବେସିତ ଥିଲା। ଏହି ସବୁ ପ୍ରଶ୍ନର ଉତ୍ତର ଦେଇଛନ୍ତି ଉଚ୍ଚ ନ୍ୟାୟାଳୟ। କୋର୍ଟ କହିଛନ୍ତି, ଛାତ୍ର-ଛାତ୍ରୀଙ୍କୁ ୟୁନିଫର୍ମ ଉଲ୍ଲଂଘନ କରି ନିଜ ମନଇଚ୍ଛାରେ ପୋଷାକ ପିନ୍ଧି ସ୍କୁଲ ଆସିବାର ଅଧିକାର ନାହିଁ।

ସୂଚନାଯୋଗ୍ୟ, କର୍ଣ୍ଣାଟକର ସ୍କୁଲ-କଲେଜଗୁଡିକରେ ହିଜାବ ବିବାଦ ଗତ ବର୍ଷ ଡିସେମ୍ବରର ଶେଷ ଆଡକୁ ଆରମ୍ଭ ହୋଇଥିଲା। ଏହା ପରେ ଅନେକ ରାଜ୍ୟରେ ଏହାକୁ ନେଇ ବିରୋଧ ପ୍ରଦର୍ଶନ ଆରମ୍ଭ ହୋଇ ଯାଇଥିଲା। ସ୍କୁଲ-କଲେଜରେ ହିଜାବ ପିନ୍ଧିବାକୁ ଅନୁମତି ଦିଆଯିବା ଉଚିତ୍ କି ନାହିଁ ଏହାକୁ ନେଇ ସମଗ୍ର ଦେଶରେ ବିତର୍କ ଆରମ୍ଭ ହୋଇଯାଇଥିଲା। ଶେଷରେ ମାମଲା କର୍ଣ୍ଣାଟକ ହାଇକୋର୍ଟରେ ଯାଇ ପହଞ୍ଚିଥିଲା।

କର୍ଣ୍ଣାଟକ ହାଇକୋର୍ଟ ଦେଲେ ଚାରି ପ୍ରଶ୍ନର ଉତ୍ତର

୧ – ପ୍ରଥମ ପ୍ରଶ୍ନ ଏହା ଥିଲା ଯେ, କଣ ହିଜାବ ଇସଲାମ ଅନୁଯାୟୀ ଜରୁରୀ ଧାର୍ମିକ ବ୍ୟବହାର। ଏହା ଉପରେ କୋର୍ଟ କହିଛନ୍ତି ହିଜାବ ଇସଲାମ ଧର୍ମର ଅଭିନ୍ନ ଅଙ୍ଗ ନୁହେଁ। ଏହାକୁ ପିନ୍ଧିବା ବାଧ୍ୟତାମୂଳକ ନୁହେଁ।

୨ – ଦ୍ଵିତୀୟ ପ୍ରଶ୍ନ ଏହା ଥିଲା ଯେ, କଣ ଛାତ୍ରୀମାନେ ହିଜାବ ପିନ୍ଧିବା ଉପରେ ଲାଗିଥିବା ରୋକର ବିରୋଧ କରି ପାରିବେ କି ? ଏହାର ଜବାବରେ ଉଚ୍ଚ ନ୍ୟାୟାଳୟ କହିଛନ୍ତି ସ୍କୁଲରେ ୟୁନିଫର୍ମ ପିନ୍ଧିବା ଜରୁରୀ। ଏହାର ବିରୋଧ ଛାତ୍ର-ଛାତ୍ରୀ କରି ପାରିବେ ନାହିଁ।

୩ – ତୃତୀୟ ପ୍ରଶ୍ନ ଥିଲା, ଫେବୃଆରୀ ୫ରେ ୟୁନିଫର୍ମ ଡ୍ରେସ କୋର୍ଟ ଅର୍ଡର ଉପରେ ସ୍କୁଲରେ ହିଜାବ ପିନ୍ଧିବା ଉପରେ ରୋକ୍ ଲାଗିଥିଲା, ତାହା କଣ ସରକାର ଉଚିତ୍ ଢଙ୍ଗରେ ଜାରି କରିଥିଲେ ? ଏହି ପ୍ରଶ୍ନର ଉତ୍ତରରେ କୋର୍ଟ କହିଛନ୍ତି, ସରକାରଙ୍କ ପକ୍ଷରୁ ଫେବୃଆରୀ ୫ରେ ଜାରି ୟୁନିଫର୍ମ ଡ୍ରେସ୍ କୋର୍ଡ ଆଦେଶକୁ ରଦ୍ଦ କରାଯାଉ ନାହିଁ। କୋର୍ଟ କହିଛନ୍ତି, ଆବେଦନକାରୀ ଏମିତି କିଛି ତଥ୍ୟ ଉଲ୍ଲେଖ କରି ପାରି ନାହାନ୍ତି ଯଦ୍ଵାରା କୁହାଯାଇ ପାରିବ ଯେ ସରକାର ମନମୁଖୀ ଢଙ୍ଗରେ କୋର୍ଡ ଲାଗୁ କରିଛନ୍ତି।

୪ – ଚତୁର୍ଥ ପ୍ରଶ୍ନ ଏହା ଥିଲା ଯେ, କଣ ଆବେଦନକାରୀଙ୍କ ବିରୋଧରେ କୌଣସି ପ୍ରକାରର ଶୃଙ୍ଖଳାଗତ ଯାଞ୍ଚ ହେବ। ଏହା ଉପରେ କୋର୍ଟ କହିଛନ୍ତି, ଅଦ୍ୟାବଧି ଏହି ଧରଣର କୌଣସି ପ୍ରସ୍ତୁତି କରାଯାଇ ନାହିଁ।

କୋର୍ଟଙ୍କ ରାୟ ପରେ ବି ମାମଲା ଶାନ୍ତ ପଡିବାର ଆଶା ଦେଖାଯାଉ ନାହିଁ। ଆବେଦନକାରୀଙ୍କ ଓକିଲ ସାହୁଲ କହିଛନ୍ତି, ବର୍ତ୍ତମାନ ଉଚ୍ଚ ନ୍ୟାୟାଳୟଙ୍କ ରାୟକୁ ଆମେ ତର୍ଜମା କରୁଛୁ। ଏହା ଉପରେ ବିଚାର ବିମର୍ଶ ପରେ ସୁପ୍ରିମକୋର୍ଟର ଦ୍ଵାରସ୍ଥ ହେବୁ।