fbpx

ପ୍ରମୋଦ ସାୱନ୍ତ ହେବେ ଗୋଆର ନୂଆ ମୁଖ୍ୟମନ୍ତ୍ରୀ, ବିଜେପି ବିଧାୟକ ଦଳ ବୈଠକରେ ହେଲେ ମନୋନୀତ

ପ୍ରମୋଦ ସାୱନ୍ତଙ୍କୁ ଗୋଆର ନୂଆ ମୁଖ୍ୟମନ୍ତ୍ରୀ ଭାବରେ ବଛାଯାଇଛି । ବିଜେପି ବିଧାୟକ ଦଳ ବୈଠକରେ ସର୍ବସମ୍ମତିରେ ନିଷ୍ପତ୍ତି ପରେ କେନ୍ଦ୍ର ପର୍ଯ୍ୟବେକ୍ଷକ ନରେନ୍ଦ୍ର ସିଂହ ତୋମାର ପ୍ରମୋଦ ସାୱନ୍ତଙ୍କୁ ବିଧାୟକ ଦଳ ନେତା ଘୋଷଣା କରିଛନ୍ତି । ମନୋହର ପାରିକରଙ୍କ ଦେହାନ୍ତ ପରେ ପ୍ରମୋଦ ସାୱନ୍ତ ଗୋଆର ମୁଖ୍ୟମନ୍ତ୍ରୀ ହୋଇଥିଲେ । ନିର୍ବାଚନ ଫଳାଫଳ ଆସିବା ପରଠାରୁ ମୁଖ୍ୟମନ୍ତ୍ରୀ ପଦରେ କିଏ ବସିବେ ସେ ନେଇ କଳ୍ପନା ଜଳ୍ପନା ଲାଗିରହିଥିଲା । ଆଉ ପାର୍ଟୀ ପୁଣି ଥରେ ପ୍ରମୋଦ ସାୱନ୍ତଙ୍କ ଉପରେ ବିଶ୍ୱାସ କରିଛି ।

କୁହାଯାଉଛି ପୂର୍ବରୁ ବିଜେପି ପ୍ରଭାରୀ ଦେବେନ୍ଦ୍ର ଫଡ଼ଣବୀସ ପ୍ରମୋଦଙ୍କ ନାମକୁ ମୋହର ମାରିସାରିଥିଲେ । ଏବେ ମୁଖ୍ୟମନ୍ତ୍ରୀ ହେବା ପରେ ସାୱନ୍ତ ରାଜ୍ୟପାଳ ପିଏସ ପିଲ୍ଲଇଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଜଣାଇବେ ।

ସୂଚନାଯୋଗ୍ୟ, ଗୋଆ ବିଧାନସଭା ନିର୍ବାଚନରେ ବିଜେପି ୪୦ ରୁ ୨୦ ସିଟରେ ଜିତି ସବୁଠାରୁ ବଡ଼ ପାର୍ଟୀ ଭାବରେ ଉଦ୍ଭା ହୋଇଛି । ବିଜେପି ସରକାର ଗଠନ ପାଇଁ ଜରୁରୀ ୨୧ ସିଟରୁ ଗୋଟିଏ ସିଟରେ ବଞ୍ଚିତ ରହିଥିଲା ।  କିନ୍ତୁ ମହାରାଷ୍ଟ୍ରବାଦୀ ଗୋମାନ୍ତକ ପାର୍ଟୀର ୩ ବିଧାୟକ, କିଛି ସ୍ୱାଧୀନ ପ୍ରାର୍ଥୀଙ୍କ ସମର୍ଥନ ପରେ ଏହି ମ୍ୟାଜିକ୍ ନମ୍ବର ୨୧ ଛୁଇଁବାରେ ସଫଳ ହୋଇଛି ଏବଂ ସରକାର ଗଠନ କରିବାକୁ ଯାଉଛି ।

Get real time updates directly on you device, subscribe now.