୨ ବର୍ଷରୁ କରିନଥିଲେ ପତ୍ନୀଙ୍କୁ ଦେଖା, ବ୍ୟାକୁଳ ହୋଇ କଲେ ୨୦୦୦ କିମି ଜଳଯାତ୍ରା 

ଭଲପାଇବା ପାଇଁ ମଣିଷ କିଛିବି କରିପାରେ । ଅନେକ ସମୟରେ ଆପଣ ଭଲପାଇବାରେ ଚନ୍ଦ୍ର ତାରା ତୋଳିଆଣିବା କଥା ମଧ୍ୟ କହିଛନ୍ତି । ଲୋକେ ପ୍ରେମରେ ବେଳେବେଳେ ଏଭଳି କଥା ଦେଇବସନ୍ତି ଯାହାକୁ ହୁଏତ ପୂରା କରିବା ସମ୍ଭବ ହୋଇନଥାଏ, କିନ୍ତୁ ଜଣେ ବ୍ୟକ୍ତି ପ୍ରେମରେ କିଛି ଏଭଳି କରିଦେଖାଇଛନ୍ତି ଯାହାକୁ ଶୁଣିଲେ ଆପଣ ହୁଏତ ଆଶ୍ଚର୍ଯ୍ୟ ହୋଇଯିବେ ଏବଂ କହିବେ ଦୁନିଆରେ କିଛି ବି ଅସମ୍ଭବ ନୁହେଁ । ଭିଏତନାମର ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କୁ ଦେଖାକରିବା ପାଇଁ ୨ ହଜାର କିଲୋମିଟର ଯାତ୍ରା କରିଛନ୍ତି, ତାହା ପୁଣି ପ୍ଲେନରେ ନୁହେଁ ବରଂ ଏକ ରେସ୍କ୍ୟୁ ବୋଟରେ ।

ସୂଚନା ଅନୁଯାୟୀ, ୨୩ ମାର୍ଚ୍ଚରେ ଏକ ସିପ୍ ର କ୍ୟାପ୍ଟେନ ଥାଇଲାଣ୍ଡର ନେଭିଙ୍କୁ ଏକ ମେସେଜ କରିଥିଲେ ଯେ ତାଙ୍କୁ କୂଳଠାରୁ ୮୦ କିମି ଦୂରରେ ଜଣେ ବ୍ୟକ୍ତିଙ୍କ ସନ୍ଧାନ ମିଳିଛି ଯିଏ ଏକ ରଭର ବୋଟରେ ଯାତ୍ରା କରୁଛନ୍ତି । ଯେତେବେଳେ ନେଭି ପଚରାଉଚରା କରିଥିଲେ ସେତେବେଳେ ସେହି ବ୍ୟକ୍ତି ଅଧିକ କିଛି କହି ମଧ୍ୟ ପାରିନଥିଲେ  କାରଣ ତାଙ୍କୁ ଥାଇ ଭାଷା ଜଣାନଥିଲା ଏବଂ ସେ ଭିଏତନାମାର ଭାଷା ହିଁ କହୁଥିଲେ । ବ୍ୟକ୍ତିଙ୍କୁ ସମୁଦ୍ରରୁ ଉଦ୍ଧାର କରି ନେଭି ତାଙ୍କ ସହ ନେଇଯାଇଥିଲା ଏବଂ ତାଙ୍କୁ ଏକ ଇଣ୍ଟପ୍ରେଟରଙ୍କ ସାହାଯ୍ୟରେ ତାଙ୍କ ସହ କଥା ହେବାକୁ ଚେଷ୍ଟା କରାଯାଇଥିଲା ଯେଉଁଠାରେ ସେ ପୂରା ମାମଲା କହିଥିଲେ ।

୩୭ ବର୍ଷୀୟ ଏହି ବ୍ୟକ୍ତିଙ୍କ ନାମ ହେଉଛି ହୁଆଙ୍ଗ ହଙ୍ଗ । ସେ କହିଥିଲେ ଯେ ତାଙ୍କ ପତ୍ନୀ କରୋନା ମହାମାରୀ ସମୟରୁ ମୁମ୍ବାଇରେ ଫସିରହିଛନ୍ତି । ସେ ତାଙ୍କୁ ପତ୍ନୀଙ୍କୁ ଦେଖାକରିବାକୁ ବହୁତ ବ୍ୟାକୁଳ ହେଉଛନ୍ତି ତେଣୁ ସେ ନିଷ୍ପତ୍ତି କରିଥିଲେ ଯେ ପତ୍ନୀଙ୍କୁ ଦେଖାକରିବେ ଏବଂ ଏଥିପାଇଁ ସେ ଏହି ନିଷ୍ପତ୍ତି ନେଇଥିଲେ ଏବଂ ପାଣିରେ ଏକ ବୋଟ ସାହାଯ୍ୟରେ ଯାତ୍ରା ଆରମ୍ଭ କରିଥିଲେ ।

୨ ମାର୍ଚ୍ଚରେ ସେ ହୋ ଚୀ ମୀହ୍ନ ସହରରୁ ବ୍ୟାଙ୍କକ୍ ପ୍ଲେନ ସାହାଯ୍ୟରେ ଆସିଥିଲେ ଏବଂ ସେଠାରୁ ସେ ଭାବିଥିଲେ ଯେ ସହଜରେ ପ୍ଲେନ ସାହାଯ୍ୟରେ ମୁମ୍ବାଇ ପହଞ୍ଚିଯିବେ କିନ୍ତୁ ତାଙ୍କୁ ଭିସା ମିଳିନଥିଲା । ଫଳରେ ସେଠାରୁ ସେ ଏକ ବୋଟ୍ କିଣି ୫ ମାର୍ଚ୍ଚରୁ ଯାତ୍ରା ଆରମ୍ଭ କରିଥିଲେ । ଭାରତ ମହାସାଗର ପାର୍ କରି ମୁମ୍ବାଇ ପହଞ୍ଚିବା ପାଇଁ ସେ ଲକ୍ଷ୍ୟ ରଖିଥିଲେ । କିନ୍ତୁ ୧୮ ଦିନ ସମୁଦ୍ରରେ ବିତାଇବା ପରେ ମଧ୍ୟ ସେ କେବଳ ୮୦ କିମି ହିଁ ଯାତ୍ରା କରିପାରିଥିଲେ । ରିପୋର୍ଟ ଅନୁଯାୟୀ ଯଦି ବ୍ୟକ୍ତି ଏହି ସ୍ପିଡରେ ଯାତ୍ରା ଜାରି ରଖିଥାନ୍ତେ ତେବେ ତାଙ୍କୁ ୬୨୫ ଦିନ ସମୟ ଲାଗିଥାନ୍ତା । ତେବେ ବ୍ୟକ୍ତିଙ୍କ କଥା ଶୁଣି ଥାଇ ନେଭି ବେଶ୍ ପ୍ରଭାବିତ ହୋଇଥିଲେ । ସେ ତାଙ୍କୁ ଥାଇଲାଣ୍ଡରେ ମାଗଣାରେ ରହିବା ପାଇଁ ଘର ଦେଇଛନ୍ତି ଏବଂ ଖୁବଶୀଘ୍ର ତାଙ୍କୁ ତାଙ୍କ ପତ୍ନୀଙ୍କ ସହ ଦେଖାକରିବା ପାଇଁ ବନ୍ଦୋବସ୍ତ କରିବେ ।