ଛତିଶଗଡ଼ ଜାମଗାଓଁରେ ମାଲବାହୀ ଟ୍ରେନ ମୁହାଁମୁହିଁ, ଓଲଟିପଡ଼ିଲା ୧୮ଟି ବଗି, ହାୱଡ଼ା-ମୁମ୍ବାଇ ରୁଟରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ

ଛତିଶଗଡର ରାଇଗର ଜିଲ୍ଲାର ଜାମଗାଓଁ ରେଳ ଷ୍ଟେସନରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଦୁଇଟି ମାଲବାହୀ ଟ୍ରେନ ପରସ୍ପର ମଧ୍ୟରେ ଜୋରଦାର ଧକ୍କା ହେବା ଫଳରେ ୧୮ ଟି କୋଚ୍ ରେଳଧାରଣାରୁ ବାହାରକୁ ଓଲଟି ପଡ଼ିଥିଲା । ସେପଟେ ଦୁର୍ଘଟଣା ଯୋଗୁଁ ମୁମ୍ବାଇ-ହାୱଡ଼ା ରୁଟ୍ ପ୍ରଭାବିତ ହୋଇଛି । ସେପଟେ ଘଟଣା ସଂପର୍କରେ ଖବର ପାଇ ରେଳବାଇ ଅଧିକାରୀମାନେ ବିଲାସପୁରରୁ ଘଟଣାସ୍ଥଳକୁ ଯାଇଛନ୍ତି ।

ଏହି  ଦୁର୍ଘଟଣାରେ ଅନେକ କୋଚ୍ ସଂପୂର୍ଣ୍ଣ ଭାବରେ ନଷ୍ଟ ହୋଇଯାଇଛି । ଘଟଣା ପରେ ଅନେକ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇଛି । ବିଭିନ୍ନ ଷ୍ଟେସନରେ ଅନେକ ଟ୍ରେନ୍ ଅଟକି ରହିଛି । ଏପର୍ଯ୍ୟନ୍ତ ଦୁର୍ଘଟଣାର କାରଣ ଜଣାପଡ଼ିନଥିବାବେଳେ କ୍ଷୟକ୍ଷତିର ଆକଳନ କରାଯାଉଛି । ପିଆରଓ ସାକେତ୍ କହିଛନ୍ତି ଯେ ଏହି ଦୁର୍ଘଟଣାରେ ୧୮ ଟି ୱାଗନ୍ ଖସି ଯାଇଛି  । ଏହି ରୁଟରେ ସମସ୍ତ ଟ୍ରେନ ଚଳାଚଳ ବନ୍ଦ ହୋଇଯାଇଛି  ।

ତେବେ ଏହି ଦୁର୍ଘଟଣା ପରେ ମୁମ୍ବାଇ-ହାୱଡା ରୁଟ୍ ସମ୍ପୂର୍ଣ୍ଣ ଭାବରେ ପ୍ରଭାବିତ ହୋଇଛି । ସୌଭାଗ୍ୟବସତଃ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନାହଁନ୍ତି । କିନ୍ତୁ ବହୁ ସଂଖ୍ୟକ ସାମଗ୍ରୀ ନଷ୍ଟ ହୋଇଥିବାର ଆଶଙ୍କା କରାଯାଉଛି । ବିଭିନ୍ନ ଷ୍ଟେସନରେ ଅଟକି ରହିଥିବା ଏବଂ ବାତିଲ ହୋଇଥିବା ଟ୍ରେନ୍ ଗୁଡିକର ସବିଶେଷ ତଥ୍ୟ ରେଳ ପ୍ରଶାସନ ଦ୍ୱାରା ଅଳ୍ପ ସମୟ ମଧ୍ୟରେ ପ୍ରକାଶ ପାଇବା ନେଇ ସୂଚନା ରହିଛି ।