fbpx

ମୁଣ୍ଡପିଛା ଆୟ: ଜାତୀୟ ହାରଠୁ ବେଶ ଆଗରେ ରହିଛି ଓଡ଼ିଶା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଛି ଅର୍ଥନୈତିକ ସର୍ଭେ ରିପୋର୍ଟ । ଏହି ଅର୍ଥନୈତିକ ସର୍ଭେ ରିପୋର୍ଟ ଅନୁଯାୟୀ ଓଡ଼ିଶାରେ ଲୋକଙ୍କ ଆୟ ବୃଦ୍ଧି ପାଇଛି । ଲୋକଙ୍କ ଆୟ ବୃଦ୍ଧି ପାଇଥିବା ବେଳେ ଏହା ଜାତୀୟ ହାରକୁ ପଛରେ ପକାଇ ଦେଇଛି । ଚଳିତ ଆର୍ଥିକ ବର୍ଷରେ ଓଡ଼ିଶାର ଅଭିବୃଦ୍ଧି ହାର ୧୬.୮ ପ୍ରତିଶତ ରହିଛି । ୨୦୧୭-୧୮ରେ ଅଭିବୃଦ୍ଧି ହାର ୧୨.୯ ପ୍ରତିଶତ ରହିଥିବା ବେଳେ ୨୦୧୮-୧୯ରେ ଏହା ୧୨.୮ ରହିଥିଲା । ୨୦୧୯-୨୦ ଆର୍ଥିକ ବର୍ଷରେ ଏହା ୯.୨ ପ୍ରତିଶତ ରହିଥିବା ବେଳେ ୨୦୨୦-୨୧ରେ ଏହା ଋଣାତ୍ମକ ୦.୯ ରହିଥିଲା । ତେବେ ଚଳିତ ଆର୍ଥିକ ବର୍ଷରେ ଆଖିଦୃଶିଆ ଅଭିବୃଦ୍ଧି ସହିତ ଏହା ୧୬.୮ରେ ପହଞ୍ଚିଛି ।

୨୦୧୫-୧୬ରୁ ବର୍ତ୍ତମାନ ପର୍ଯ୍ୟନ୍ତର ମୁଣ୍ଡ ପିଛା ଆୟକୁ ହିସାବକୁ ନେଲେ ରାଜ୍ୟର ଅଭିବୃଦ୍ଧି ହାର ଜାତୀୟ ହାରଠାରୁ ଆଗୁଆ ରହିଛି । ୨୦୧୫-୨୨ ମଧ୍ୟରେ ଜାତୀୟ ମୁଣ୍ଡପିଛା ଆୟ ମାତ୍ର ୮.୦ ପ୍ରତିଶତର ଅଭିବୃଦ୍ଧି ହାସଲ କରିଥିବା ବେଳେ ସମାନ ସମୟରେ ଓଡ଼ିଶା ୧୧.୬ ପ୍ରତିଶତର ଅଭିବୃଦ୍ଧି ହାସଲ କରିଛି । ରାଜ୍ୟରେ ମୁଣ୍ଡପିଛା ଆୟ ୨୦୧୧-୧୨ ତୁଳନାରେ ଦ୍ୱିଗୁଣିିତ ହୋଇଛି । ୨୦୧୧-୧୨ ରେ ବାର୍ଷିକ ମୁଣ୍ଡପିଛା ଆୟ ୪୮,୪୯୯ ଟଙ୍କା ରହିଥିଲା ଯାହା ଏବେ ମୁଣ୍ଡପିଛା ଆୟ ବାର୍ଷିକ ୧ ଲକ୍ଷ ୨୭ ହଜାର ୩୮୩କୁ ବୃଦ୍ଧି । ରାଜ୍ୟର ମୋଟ ଘରୋଇ ଉତ୍ପାଦ (ଜିଏସଡିପି) ୧୦.୧ ପ୍ରତିଶତ ହାରରେ ବୃଦ୍ଧି ପାଇଛି । ସେହିଭଳି ଜାତୀୟ ହାର ୮.୮ % ରହିଥିବା ବେଳେ ଭଲ ସ୍ଥିତିରେ ରହିଛି ଓଡ଼ିଶା । ୨୦୨୦-୨୧ ରେ ରାଜ୍ୟର ଅଭିବୃଦ୍ଧି ହାର ମାଇନସ ୫.୩% ଥିଲା ।

Get real time updates directly on you device, subscribe now.