ସମାନ୍ଥା ରୁଥ ପ୍ରଭୁ ନିଜ ପୂର୍ବ ସ୍ୱାମୀ ନାଗା ଚୈତନ୍ୟାଙ୍କ ସହ ଇନଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରିଛନ୍ତି । ସମାନ୍ଥା ନାଗାଙ୍କ ଠାରୁ ଅଲଗା ହେବାପରେ ପ୍ରଥମ ଥର ନାଗାଙ୍କ ଫଟୋ ଶେୟାର କରିଛନ୍ତି ଯାହା ଫ୍ୟାନ୍ସଙ୍କୁ ଆଶ୍ଚର୍ଯ୍ୟ କରିଛି । ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀର ଏହି ଲୋକପ୍ରିୟ ଦମ୍ପତ୍ତି ଯେତେବେଳେ ପରସ୍ପରଠାରୁ ଅଲଗା ହେବା ନେଇ ଘୋଷଣା କରିଥିଲେ ସେତେବେଳେ ଏହାକୁ ନେଇ ଖୁବ୍ ଚର୍ଚ୍ଚା ହୋଇଥିଲା । ଅବଶ୍ୟ ସେମାନଙ୍କ ଅଲଗା ହେବା ନେଇ କୌଣସି ଜରୁରୀ କାରଣ ଜଣାପଡ଼ିନଥିଲା । ତେବେ ଉଭୟଙ୍କ ଫିଲ୍ମ ‘ମଜିଲି’ ର ୩ ବର୍ଷ ପୂର୍ତ୍ତି ଅବସରରେ ସମାନ୍ଥାଙ୍କୁ ନାଗାଙ୍କ କଥା ମନେପଡ଼ିଥିଲା । ଆଉ ସମାନ୍ଥା ଏହି ପୋଷ୍ଟ କରିଛନ୍ତି ।
ସମାନ୍ଥା ମଙ୍ଗଳବାର ଇନଷ୍ଟାଗ୍ରାମ ଷ୍ଟୋରୀ ଶେୟାର କରି ଫିଲ୍ମ ‘ମଜିଲି’ର ୩ ବର୍ଷ ପୂରା ହୋଇଥିବା ନେଇ କହିଛନ୍ତି । ତେଲୁଗୁର ଏହି ରୋମାଣ୍ଟିକ ସ୍ପୋର୍ଟ୍ସ ଫିଲ୍ମରେ ସମାନ୍ଥା ଏବଂ ନାଗା ଚୈତନ୍ୟା ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ଏହି ଫିଲ୍ମ ୫ ଏପ୍ରିଲ ୨୦୧୯ ରେ ରିଲିଜ ହୋଇଥିଲା । ସମାନ୍ଥା ଶେୟାର କରିଥିବା ଫିଲ୍ମ ପୋଷ୍ଟରରେ ନାଗା ନିଭାଇଥିବା ଚରିତ୍ର ପୁରନ ଚନ୍ଦର ରାଓଙ୍କ ଫଟୋ ରହିଛି । ଏହା ଛଡ଼ା ନାଗା-ସମାନ୍ଥା ରୋମାଣ୍ଟିକ ପୋଜ୍ ଦେଉଥିବାର ପୋଷ୍ଟ ମଧ୍ୟ ରହିଛି । ଫିଲ୍ମର ପୋଷ୍ଟର ଶେୟାର କରି ସମାନ୍ଥା ଲେଖିଛନ୍ତି ଯେ ‘#3yearsofmajili#୩। ଉଲ୍ଲେଖଯୋଗ୍ୟ, ଗତ ମାସରେ ସମାନ୍ଥା ନାଗାଙ୍କୁ ଇନଷ୍ଟାଗ୍ରାମରେ ଅନଫଲୋ କରିଥିଲେ ।
ସମାନ୍ଥା ଏବଂ ନାଗା ୨୦୧୭ ଅକ୍ଟୋବରରେ ବିବାହ କରିଥିଲେ । ହେଲେ ଏହି ବିବାହ ବେଶୀ ଦିନ ତିଷ୍ଠି ପାରିନଥିଲା ଆଉ ଗତ ବର୍ଷ ଅକ୍ଟୋବର ୬ ତାରିଖରେ ଉଭୟ ସେମାନଙ୍କ ଡିଭୋର୍ସ ନେଇ ଘୋଷଣା କରିଥିଲେ । ଯାହା ତାଙ୍କ ଫ୍ୟାନଙ୍କୁ ମର୍ମାହତ କରିଥିଲା ।