ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଏହି ପରିପ୍ରେକ୍ଷୀରେ ରୁକୁଣା ରଥଯାତ୍ରା ସମ୍ପର୍କରେ ସମ୍ୟକ ଆଲୋଚନାର ଆବଶ୍ୟକତା ରହିଛି । ରୁକୁଣା ରଥଯାତ୍ରା ଶ୍ରୀପଞ୍ଚମୀ ଦିନଠାରୁ ଆରମ୍ଭ ହୋଇଥାଏ । ସୂକ୍ଷେ୍ମଶ୍ୱର ମନ୍ଦିର ନିକଟସ୍ଥ ଆମ୍ବତୋଟାର ଏକ ଆମ୍ବ ଗଛରୁ ବିଧିବଦ୍ଧ ଭାବେ ପୂଜାର୍ଚ୍ଚନା ହେବାପରେ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ପକ୍ଷରୁ ଏକ କୁରାଢ଼ୀରେ ଆମ୍ବଗଛରୁ ଏକ କ୍ଷୁଦ୍ର କାଠ ଆସିଥାଏ । ସେହି କାଠ ସର୍ବପ୍ରଥମେ ରଥ ନିର୍ମାଣ କାର୍ଯ୍ୟରେ ଲାଗିଥାଏ । ମାଘ ସପ୍ତମୀ ଦିନ ରାତ୍ରର ଦ୍ୱିତୀୟ ପ୍ରହରରେ ବ୍ରହ୍ମେଶ୍ୱର ପାଟଣାସ୍ଥିତ ଭାସ୍କରେଶ୍ୱର ମନ୍ଦିରରୁ ରଥମାପ ଓ ଭାସ୍କରେଶ୍ୱର ମନ୍ଦିରର ଉତ୍ତରରେ ଥିବା ରଥ ଚକଡ଼ାରୁ ରଥ ମାପ ଆଣିବାପରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥାଏ । ମହାପ୍ରଭୁ ଜଗନ୍ନାଥଙ୍କ ରଥ ଭଳି ମହାପ୍ରଭୁ ଲିଙ୍ଗରାଜଙ୍କ ରଥରେ ସମ୍ପୂର୍ଣ୍ଣ ନୂଆ କାଠ ଲାଗିନଥାଏ । ଏଥିରେ ଅନେକ କାଠ ପୂର୍ବବର୍ଷର ହୋଇଥାଏ । ତେବେ ରଥର ଚକଗୁଡ଼ିକ ସମ୍ପୂର୍ଣ୍ଣ ନୂଆ ହୋଇଥିବାବେଳେ ମାଘ ସପ୍ତମୀରୁ ଚୈତ୍ର ସପ୍ତମୀ ପର୍ଯ୍ୟନ୍ତ ରଥ ନିର୍ମାଣ କରାଯାଇଥାଏ ।
ପ୍ରତିବର୍ଷ ଚୈତ୍ରମାସ ଶୁକ୍ଲ ଅଷ୍ଟମୀ ତିଥିରେ ପାଞ୍ଚଦିନ ପାଇଁ ମହାପ୍ରଭୁ ଲିଙ୍ଗରାଜଙ୍କ ଚଳନ୍ତି ପ୍ରତିମା ମାଉସୀ’ମା ମନ୍ଦିରକୁ ଯାଇଥା’ନ୍ତି । ପୁରାଣ ଅନୁଯାୟୀ, ଏହି ରଥଯାତ୍ରା ସହିତ ଶ୍ରୀରାମଚନ୍ଦ୍ରଙ୍କ ନିଘନ ସମ୍ପର୍କ ରହିଛି । ତ୍ରେତୟା ଯୁଗରେ ପ୍ରଭୁ ଶ୍ରୀରାମଚନ୍ଦ୍ର ବହୁ ଚେଷ୍ଟା କରି ରାବଣକୁ ଯୁଦ୍ଧରେ ପରାସ୍ତ କରିପାରୁନଥିଲେ । ବିଭୀଷଣଙ୍କ ପରାମର୍ଶ ଅନୁଯାୟୀ ପ୍ରଭୁ ରାମଚନ୍ଦ୍ର ଦେବୀ ଦୁର୍ଗାଙ୍କୁ ପୂଜା କରି ସନ୍ତୁଷ୍ଟ କରିଥିଲେ । ପରେ ଚୈତ୍ର ଶୁକ୍ଲ ଅଷ୍ଟମୀ ଦିନ ପ୍ରଭୁ ରାମଚନ୍ଦ୍ର ଲଙ୍କାର ରାବଣକୁ ବଧ କରିଥିଲେ । ବିଜୟପ୍ରାପ୍ତିର ଉତ୍ସାହରେ ରାମଚନ୍ଦ୍ର ଶିବ ଓ ଶିବଦୁର୍ଗାଙ୍କୁ ରଥରେ ବସାଇ ସେହିଦିନ ବିଜୟ ଉତ୍ସବ ପାଳନ କରିଥିଲେ । ସେହି ବିଜୟଯାତ୍ରାର ସ୍ମାରକ ବହନ ପୂର୍ବକ ପବିତ୍ର ଅଶୋକାଷ୍ଟମୀ ତିଥିରେ ଲିଙ୍ଗରାଜଙ୍କ ଚଳନ୍ତି ପ୍ରତିମା ଶ୍ରୀ ଚନ୍ଦ୍ରଶେଖର ଓ ପାର୍ବତୀ ରଥରେ ବସି ରାମଙ୍କ ଦ୍ୱାରା ନିର୍ମିତ ରାମେଶ୍ୱର ମନ୍ଦିରକୁ ଯାତ୍ରା କରିଥା’ନ୍ତି ।
ବାହୁଡ଼ା ଦିନ ରଥ ମହାଖଳରେ ପହଞ୍ଚିବା ପରେ ମନ୍ଦିରରୁ ପାର୍ବତୀ ଠାକୁରାଣୀ ପାଲିଙ୍କିରେ ଆସି ରଥରୁ କାଠ ଚୋରି କରନ୍ତି । ଏହାକୁ ଦୟାଣ ଚୋରି କୁହାଯାଏ । ମହାପ୍ରଭୁ ଭଉଣୀ ରୁକୁଣାଙ୍କୁ ନେଇ ଯାତ୍ରା କରିଥିବାରୁ ପାର୍ବତୀ ମନ୍ଦିରର ମୁଖ୍ୟଦ୍ୱାରକୁ ବନ୍ଦ ରଖନ୍ତି । ପରେ ଦେବୀ ପାର୍ବତୀଙ୍କୁ ଶ୍ରୀଲିଙ୍ଗରାଜ ଚନ୍ଦନଯାତ୍ରାରେ ବାଇଶି ଦିନ ସଙ୍ଗରେ ନେବା ପାଇଁ ପ୍ରତିଶ୍ରୁତି ଦେବା ପରେ ମନ୍ଦିର ପ୍ରବେଶ ପାଇଁ ଅନୁମତି ମିଳିଥାଏ । ଏହାହିଁ ହେଉଛି ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥର ମାହାତ୍ମ୍ୟ ।