fbpx

ଏ.ବି.ଭି.ପି. ଦ୍ୱାରା ଜେ.ଏନ୍.ୟୁ ହିଂସା ପ୍ରତିବାଦରେ ବାମପନ୍ଥୀ ଛାତ୍ର ସଂଘ ଓ ଛାତ୍ର କଂଗ୍ରେସର ମିଳିତ ବିକ୍ଷୋଭ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦେଶର ସର୍ବଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଜେ.ଏନ୍.ୟୁ ରେ ଗତ ୧୦ ତାରିଖରେ ଏ.ବି.ଭି.ପି. ଗୁଣ୍ଡାମାନଙ୍କ ଦ୍ୱାରା ସାଧାରଣ ଛାତ୍ରଛାତ୍ରୀ ଓ ଅଧ୍ୟାପକଙ୍କ ଉପରେ ହୋଇଥିବା ଆକ୍ରମଣ ପ୍ରତିବାଦରେ ଭୁବନେଶ୍ୱରଠାରେ ୪ଟି ବାମପନ୍ଥୀ ଛାତ୍ରସଂଗଠନ ଓ ଛାତ୍ର କଂଗ୍ରେସ ପକ୍ଷରୁ ମିଳିତ ପ୍ରତିବାଦ କରାଯାଇଛି ।

ଶିକ୍ଷା, ନିଯୁକ୍ତି ଓ ଦରବୃଦ୍ଧି ପ୍ରସଙ୍ଗକୁ ଏଡ଼ାଇବା ଓ କ୍ୟାମ୍ପସର ସାମ୍ପ୍ରଦାୟିକରଣ ପାଇଁ ଧର୍ମ ନାମରେ ଆର.ଏସ.ଏସ୍. – ବିଜେପି – ଏବିଭିପି ଦ୍ୱାରା ହୀନ ରାଜନୀତି କରାଯାଉଛି । କିଏ କ’ଣ ଖାଇବ, ଏହା ତା’ର ବ୍ୟକ୍ତିଗତ ପସନ୍ଦ, ଯାହା ସମ୍ବିଧାନ ପ୍ରଦ ଅଧିକାର । ଏଥିରେ ହସ୍ତକ୍ଷେପ କରିବା ଅର୍ଥ ସମ୍ବିଧାନର ଅବମାନନା ଓ ଏକଛତ୍ରବାଦୀ ତାଲିବାନ ଶାସନର ପଦଧ୍ୱନୀ । ଜେ.ଏନ୍.ୟୁ. ଏକ ମୁକ୍ତ ଚିନ୍ତନର ବିଶ୍ୱବିଦ୍ୟାଳୟ, ଯେଉଁଠାରୁ ସର୍ବାଧିକ ଆଇ.ଏ.ଏସ୍., ଆଇ.ପି.ଏସ୍., ବୈଜ୍ଞାନିକ ଓ ସର୍ବଭାରତୀୟ ଜନନେତା ତିଆରି ହୋଇଛନ୍ତି ଏପରିକି ନୋବେଲ୍ ବିଜେତା ଅଭଜିତ୍ ବାନାର୍ଜୀ ମଧ୍ୟ ଜେ.ଏନ୍.ୟୁର ଛାତ୍ର । ଏହି ବିଶ୍ୱବିଦ୍ୟାଳୟକୁ ପାଖାପାଖି ୧୯୨ଟି ଦେଶର ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା ପାଇଁ ଆସିଥାଆନ୍ତି । ଏଭଳି ଏକ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ ବାରମ୍ବାର ସରକାରୀ ପ୍ରାୟୋଜିତ ହିଂସାର ଶିକାର ହୋଇଆସୁଛି । ଏହାର କାରଣ ଏଠାରେ ପଢୁଥିବା ଛାତ୍ରଛାତ୍ରୀ, ସରକାର ଓ ବ୍ୟବସ୍ଥାକୁ ନିର୍ଭୟରେ ପ୍ରଶ୍ନ କରିଥାଆନ୍ତି, ଯାହା ଶାସକ ବର୍ଗର ପସନ୍ଦ ନୁହେଁ ବୋଲି କହିଛି ସଂଗଠନ ।

୨୦୧୬ ମସିହାରେ “ଟୁକୁଡେ ଟୁକୁଡେ ଗ୍ୟାଙ୍ଗ” ନାମରେ ହେଉ ଅଥବା ୫ ଜାନୁଆରୀ ୨୦୨୦ରେ ଛାତ୍ର ସଂସଦ ସଭାପତିଙ୍କ ସମେତ ଅଧ୍ୟାପକଙ୍କୁ ଆକ୍ରମଣ ଘଟଣାର ଆଜି ପର୍ଯ୍ୟନ୍ତ ସମ୍ପୃକ୍ତ କୌଣସି ଅପରାଧିଙ୍କୁ ଧରିବାରେ କେନ୍ଦ୍ର ସରକାରଙ୍କ ନିୟନ୍ତ୍ରଣାଧିନ ଦିଲ୍ଲୀ ପୋଲିସ୍ ବିଫଳ ହୋଇଛି । ଆତଙ୍କ ଓ ଘୃଣା ଭିତ୍ତିରେ ସମାଜକୁ ଭାଗଭାଗ କରି କେବଳ ଭୋଟ୍ ଧୃବୀକରଣ କରାଯାଉଛି । ଗ୍ୟାସ୍ ସିଲିଣ୍ଡର ଦର ହଜାରେ ଟଙ୍କା, ଖାଇବାତେଲ ଲିଟର ୨୨୦ ଟଙ୍କା, ପେଟ୍ରୋଲ୍ ଲିଟର ପ୍ରତି ୧୧୩ ଟଙ୍କା ଓ ବେକାରୀ ହାର ସର୍ବକାଳୀନ ରେକର୍ଡ ଥିଲାବେଳେ ମନ୍ଦିର-ମସ୍ଜିଦ୍ ବିତର୍କ ଏକ ମାୟା ମରିଚିକା ସଦୃଶ । ଜେ.ଏନ୍.ୟୁର ସାମ୍ପ୍ରଦାୟିକତା ବନ୍ଦ କରି ହିଂସାକାଣ୍ଡ ଘଟଣାଇଥିବା ସମସ୍ତ ଅପରାଧିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବିରେ ଏ.ଆଇ.ଏସ୍.ଏଫ୍., ଏନ୍.ଏସ୍.ୟୁ.ଆଇ, ଏ.ଆଇ.ଏସ୍.ବି., ଏ.ଆଇ.ଏସ୍.ଏ. ପ୍ରମୁଖ ଛାତ୍ର ସଂଗଠନ ପକ୍ଷରୁ ମିଳିତ ଭାବରେ ଭୁବନେଶ୍ୱରସ୍ଥିତ ମାଷ୍ଟରକ୍ୟାଣ୍ଟିନ୍ ଠାରେ ବିକ୍ଷୋଭ କରିଥିଲେ ।

ଏ.ଆଇ.ଏସ୍.ଏଫ୍. ରାଜ୍ୟ ସଭାପତି ସଂଘମିତ୍ରା ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବିକ୍ଷୋଭ ସମାବେଶରେ ଏନ୍.ଏସ୍.ୟୁ.ଆଇର ସଭାପତି ୟାସିର୍ ନୱାଜ୍, ଏ.ଆଇ.ଏସ୍.ଏ.ର ମଧୁସୁଦନ ସେଠୀ, ଏ.ଆଇ.ଏସ୍.ବି.ର ସନ୍ତୋଷୀ ନାୟକ, ଏ.ଆଇ.ୱାଇ.ଏଫ୍.ର ସାଧାରଣ ସମ୍ପାଦକ ଥିରୁମଲାଇ ରମଣ, ଜେ.ଏନ୍.ୟୁର ପ୍ରାକ୍ତନ ଛାତ୍ର ସୁଧିର ପଟ୍ଟନାୟକ, ଏ.ଆଇ.ଏଫ୍.ବି.ର ରାଜ୍ୟ ସମ୍ପାଦକ ଜ୍ୟୋତିରଂଜନ ମହାପାତ୍ର, ସି.ପି.ଆଇ. ଜାତୀୟ ନେତା ରାମକୃଷ୍ଣ ପଣ୍ଡା, ଜୟନ୍ତ ଦାସ, ସତୀଶ୍ ମିଶ୍ର, ଛାତ୍ରନେତା ସୁଭ୍ରାରାଣୀ ସାହୁ, ବିବେକ୍ କ୍ରିଷ୍ଣା, ହିତେଶ ମହାନ୍ତି, ଶାସ୍ୱତ ପତି, ପ୍ରକାଶ ମିଶ୍ର, ଗାୟତ୍ରୀ ନାୟକ, ସୁଭାଷ ପ୍ରଧାନ, ଲକ୍ଷ୍ମୀ ଆଜାଦ୍, ଯୁବନେତା ସୁବାଷ ଚନ୍ଦ୍ର ସାହୁ, ସୁନୀଲ ବଟୁ , ଭୁବନ ଚାନ୍ଦ ହାତୀ, ଯୁବ କଂଗ୍ରେସ ନେତା ନଳିନୀକାନ୍ତ ନାୟକ, ଆକାଂକ୍ଷା ପରିଡ଼ା, ରଂଜନ କୁମାର ପ୍ରମୁଖ ୬୦ ରୁ ଊଦ୍ଧ୍ୱର୍ ଛାତ୍ରଛାତ୍ରୀ ଏହି ବିକ୍ଷୋଭରେ ସାମିଲ୍ ହୋଇଥିଲେ ।

Get real time updates directly on you device, subscribe now.