fbpx

ଲାଉଡସ୍ପିକର ଅଜାନ ବିବାଦ: ଯୋଗୀଙ୍କ ଆଦେଶ, ଧାର୍ମିକ ପରିସରରୁ ଯେମିତି ବାହାରକୁ ଶବ୍ଦ ନଶୁଣାଯାଏ

ଲକ୍ଷ୍ନୌ: ଦିଲ୍ଲୀର ଜହାଁଗିରପୁରୀ ଘଟଣା ପରେ ଉତ୍ତର ପ୍ରଦେଶକୁ ଆଲର୍ଟ କରାଯାଇଛି। ଯୋଗୀ ସରକାର ବିନା ଅନୁମତିରେ ଧାର୍ମିକ ଶୋଭାଯାତ୍ରା ସହିତ ମାଇକର ଶବ୍ଦକୁ ପରିସର ଭିତରେ ସୀମିତ ରଖିବାକୁ ଆଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି, ନିଜର ଧାର୍ମିକ ବିଚାରଧାରା ଅନୁଯାୟୀ ସମସ୍ତଙ୍କୁ ନିଜର ଉପାସନା ପଦ୍ଧତି ମାନିବାର ଅଧିକାର ରହିଛି। ମାଇକର ପ୍ରୟୋଗ କରାଯାଇ ପାରିବ, ମାତ୍ର ଏହା ମଧ୍ୟ ସୁନିଶ୍ଚିତ କରାଯାଉ ଯେ, ମାଇକର ଶବ୍ଦ ଧାର୍ମିକ ପରିସର ବାହାରକୁ ଆସିବ ନାହିଁ। ଏଥିରେ ଯେମିତି ଅନ୍ୟ କାହାରି ଅସୁବିଧା ନହୁଏ। କେବଳ ଏତିକି ନୁହେଁ ନୂତନ ଧାର୍ମିକ ସ୍ଥଳରେ ମାଇକ୍ ଲଗାଇବାକୁ ଅନୁମତି ଦିଆନଯାଉ ବୋଲି ସ୍ଥାନୀୟ ପ୍ରଶାସନକୁ ଆଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ।

ମୁଖ୍ୟମନ୍ତ୍ରୀ ଅଧିକାରୀଙ୍କୁ କହିଛନ୍ତି ଯେ, ଆଗାମୀ ଦିନରେ ଅନେକ ମହତ୍ଵପୂର୍ଣ୍ଣ ଧାର୍ମିକ ପର୍ବପର୍ବାଣୀ ରହିଛି। ରମଜାନ ମାସ ମଧ୍ୟ ଚାଲିଛି। ଇଦ ଉତ୍ସବ ଏବଂ ଅକ୍ଷୟତୃତୀୟା ଗୋଟିଏ ଦିନରେ ପଡିବାର ସମ୍ଭାବନା ରହିଛି। ତେଣୁ ସାଂପ୍ରତିକ ସ୍ଥିତିକୁ ଦୃଷ୍ଟିରେ ରଖି ପୋଲିସକୁ ଆହୁରି ସମ୍ବେଦନଶୀଳ ହେବାକୁ ପଡିବ। ଥାନା ଅଧିକାରୀଙ୍କଠୁ ନେଇ ଏଡିଜି ପର୍ଯ୍ୟନ୍ତ ଆଗାମୀ ୨୪ ଘଣ୍ଟା ଭିତରେ ନିଜ ନିଜ ଅଞ୍ଚଳର ଧର୍ମଗୁରୁ, ସମାଜର ଅନ୍ୟ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସହ ଯଥା ସମ୍ଭବ ଆଲୋଚନା କରାଯାଉ।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି, ତହସିଲଦାର ହୁଅନ୍ତୁ କି ଏସଡିଏମ ହୁଅନ୍ତି କି ଥାନା ଅଧିକାରୀ ସମସ୍ତେ ନିଜ ନିଜର ଅଞ୍ଚଳରେ ରାତ୍ରି ବିଶ୍ରାମ କରନ୍ତୁ। ଯଦି ସରକାରୀ ବାସଭବନ ଅଛି ତେବେ ସେଠାରେ ରୁହନ୍ତୁ। ଯଦି ଭଡା ଘର ଅଛି ତେବେ ସେଠାରେ ରହି ପାରନ୍ତି। ସମ୍ବେଦନଶୀଳ ଅଞ୍ଚଳରେ ଅତିରିକ୍ତ ପୋଲିସ ବଳ ମୁତୟନ କରାଯାଉ। ଡ୍ରୋନର ଉପଯୋଗ କରି ସ୍ଥିତି ଉପରେ ନଜର ରଖନ୍ତୁ। ପ୍ରତିଦିନ ପୋଲିସ ପାଦଚଲା ପାଟ୍ରୋଲିଂ କରନ୍ତୁ। ପିଆରବି ୧୧୨ ସର୍ବଦା ସକ୍ରିୟ ରହୁ ବୋଲି ଯୋଗୀ କହିଛନ୍ତି।

Get real time updates directly on you device, subscribe now.