ବ୍ରଜରାଜନଗର ଉପନିର୍ବାଚନ: ପ୍ରାର୍ଥୀଙ୍କ ନିର୍ବାଚନ ଖର୍ଚ୍ଚ ସ୍ଥିର କଲେ ନିର୍ବାଚନ କମିଶନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୩୧ ତାରିଖରେ ବ୍ରଜରାଜନଗର ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ତେବେ ଏଥିପାଇଁ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ଚଳଚଞ୍ଚଳ ହୋଇଉଠିଛନ୍ତି । ତେବେ ଏହାମଧ୍ୟରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ସମସ୍ତ ରାଜନୈତିକ ଦଳର କର୍ମକର୍ତ୍ତାଙ୍କୁ ନେଇ ଏକ ବୈଠକ କରିଥିଲେ । ବୈଠକରେ ନିର୍ବାଚନ ପରିଚାଳନା ନେଇ ଲାଗୁ ହୋଇଥିବା ଆଚରଣ ସଂହିତା, ଭୋଟର ତାଲିକା, ନିର୍ବାଚନୀ ଖର୍ଚ୍ଚ ଆଦି ବିଷୟରେ ସବିଶେଷ ଆଲୋଚନା ହୋଇଥିଲା ।

ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ଯେ, ଚଳିତ ନିର୍ବାଚନରେ ପ୍ରାର୍ଥୀମାନେ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ । ପୂର୍ବରୁ ଏହା ୩୦.୮୦ ଲକ୍ଷ ଟଙ୍କା ରହିଥିଲା । ପ୍ରାର୍ଥୀମାନେ ନିଜ ନିଜର ନାମାଙ୍କନ ପତ୍ର ଦାଖଲ କରିବା ପୂର୍ବରୁ ନିର୍ବାଚନର ଡିଟେଲ୍ସ ରଖିବା ପାଇଁ ବ୍ୟାଙ୍କ କିମ୍ବା ପୋଷ୍ଟ ଅଫିରେ ଏକ ଆକାଉଣ୍ଟ ଖୋଲିବେ । ଉକ୍ତ ଯୁଗ୍ମ ଆକାଉଣ୍ଟରେ ପ୍ରାର୍ଥୀ ଓ ତାଙ୍କର ନିର୍ବାଚନ ଏଜେଣ୍ଟଙ୍କ ନାମ ରହିବ ।

ଯଦି ପ୍ରାର୍ଥୀମାନେ ସୋସିଆଲ ମିଡ଼ିଆରେ ନିର୍ବାଚନ ପ୍ରଚାର କରନ୍ତି, ତେବେ ତା’ର ଖର୍ଚ୍ଚ ବିଷୟରେ ୩୦ ଦିନ ମଧ୍ୟରେ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ପ୍ରଦାନ କରିବେ । ଏହି ବୈଠକରେ ବିଜେଡି, ବିଜେପି, କଂଗ୍ରେସ, ଭାରତୀୟ କମ୍ୟୁନିଷ୍ଟ ପାର୍ଟି, ଏନସିପି ଆଦି ଦଳର ନେତାମାନେ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.