fbpx

ବିଦେଶ ଯିବାକୁ ଥିବା ଭାରତୀୟ ନାଗରିକ ଏବଂ ଛାତ୍ରଛାତ୍ରୀ ନେଇ ପାରିବେ କରୋନାର ବୁଷ୍ଟର ଡୋଜ

ନୂଆଦିଲ୍ଲୀ: ବିଦେଶ ଯିବା ପାଇଁ ଯୋଜନା କରୁଥିବା ଭାରତୀୟ ନାଗରିକ ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଦେଇଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ । ଯେଉଁ ଦେଶକୁ ଯିବାକୁ ଚାହୁଁଛନ୍ତି, ସେହି ଦେଶ ନିୟମାବଳୀ ଅନୁସାରେ ସେମାନେ କରୋନାର ବୁଷ୍ଟର ଡୋଜ ଗ୍ରହଣ କରିପାରିବେ । ଖୁବଶୀଘ୍ର କୋ-ୱିନ ପୋର୍ଟାଲରେ ଏହି ସୁବିଧା ଉପଲବ୍ଧ ହେବାକୁ ଯାଉଛି । ଏ ନେଇ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବୀୟ ।

ମେ ୫ ତାରିଖରେ ନେସନାଲ ଟେକନିକାଲ ଆଡଭାଇଜରି ଗ୍ରୁପ ଅପ ଇମ୍ୟୁନାଇଜେସନର ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ବିଦେଶ ଯିବାକୁ ଚାହୁଁଥିବା ଭାରତୀୟ ନାଗରିକ ତଥା ଛାତ୍ରଛାତ୍ରୀମାନଙ୍କ ୯ ମାସ ପୂର୍ବରୁ ମଧ୍ୟ କୋଭିଡର ବୁଷ୍ଟର ଡୋଜ ଦିଆଯାଇ ପାରିବ । ପୂର୍ବରୁ ଦ୍ୱିତୀୟ ଡୋଜ ନେବାର ୯ ମାସ ପରେ ବୁଷ୍ଟର ଡୋଜ ଦିଆଯିବ ବୋଲି ନିୟମ କରାଯାଇଥିଲା । ତେବେ ଅନେକ ଲୋକ ଏହି କାରଣରୁ ବ୍ୟବସାୟ ଏବଂ ପାଠପଢାରେ ବ୍ୟତିକ୍ରମ ହେବା ସହ ବିଦେଶ ଯିବାରୁ ବଞ୍ଚିତ ହୋଇଥିଲେ । ତେଣୁ ଏବେ ଏହି ନିୟମରେ ସାମାନ୍ୟ କୋହଳ କରାଯାଇଛି ।

ଭାରତ ସହିତ ଅନ୍ୟ ଦେଶମାନଙ୍କରେ ମଧ୍ୟ କରୋନା ମାମଲା ବଢିବାରେ ଲାଗିଛି । ଚୀନରେ ଆକ୍ରାନ୍ତଙ୍କ ସଂଖ୍ୟା ଏତେ ପରିମାଣରେ ବୃଦ୍ଧି ପାଇଛି ଯେ, ଏଥିପାଇଁ ଦେଶରେ ଲକଡାଉନ ଘୋଷଣା ମଧ୍ୟ କରାଯାଇଛି । ତେବେ ଏଥିରୁ ମୁକ୍ତି ପାଇବା ପାଇଁ କରୋନାର ବୁଷ୍ଟର ଡୋଜ ଟୀକାକରଣକୁ ଜୋରଦାର କରୁଛନ୍ତି କେନ୍ଦ୍ର ଓ ସମସ୍ତ ରାଜ୍ୟ ସରକାର ।

Get real time updates directly on you device, subscribe now.