fbpx

ବିଜେପିରେ ମିଶିବେ କି ହାର୍ଦ୍ଦିକ, ଇସ୍ତଫା ପଛରେ ଭାଜପାର ବଡ଼ ଷଡ଼ଯନ୍ତ୍ର: କଂଗ୍ରେସ

ନୂଆଦିଲ୍ଲୀ: ଆଗକୁ ଗୁଜୁରାଟ ବିଧାନସଭା ନିର୍ବାଚନ ଆସୁଥିବା ବେଳେ ଏହା ପୂର୍ବରୁ କଂଗ୍ରେସକୁ ଲାଗିଛି ଜବରଦସ୍ତ ଝଟକା । ରାଜ୍ୟର ଜଣେ ବଡ଼ ପଟିଦାର ନେତା ହାର୍ଦ୍ଦିକ ପଟେଲ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ହାର୍ଦ୍ଦିକ ରାହୁଲ ଗାନ୍ଧିଙ୍କ ନାମ ନ ନେଇ ବାଣ ମାରିଛନ୍ତି । ନିଜର ଇସ୍ତଫା ପତ୍ର ସେ ହାଇକମାଣ୍ଡ ସୋନିଆ ଗାନ୍ଧିଙ୍କୁ ପ୍ରଦାନ କରିଛନ୍ତି । ଯେତେବେଳେ ଦେଶ ସଙ୍କଟଜନକ ସ୍ଥିତିରେ ରହିଥିଲା, ସେତେବେଳେ କଂଗ୍ରେସର ନେତୃତ୍ୱର ଆବଶ୍ୟକତା ରହିଥିଲା । ମାତ୍ର ଆମର ନେତା ସେ ସମୟରେ ବିଦେଶରେ ରହିଥିଲେ ବୋଲି କହି ହାର୍ଦ୍ଦିକ ପରୋକ୍ଷରେ ରାହୁଲଙ୍କ ଆଡ଼କୁ ତୀର ମାରିଛନ୍ତି ।

ତେବେ ହାର୍ଦ୍ଦିକ କଂଗ୍ରେସରୁ ଇସ୍ତଫା ଦେବା ପରେ ଏବେ ସେ ବିଜେପି ସାମିଲ ହେବା ନେଇ ଚର୍ଚ୍ଚା ଚାଲିଛି । ଏହି ଘଟଣାରେ କଂଗ୍ରେସ ସିଧାସଳଖ ବିଜେପିକୁ ଟାର୍ଗେଟ୍ କରିଛି । କଂଗ୍ରେସ ନେତା ଶକ୍ତି ସିଂହ ଗୋହିଲ କହିଛନ୍ତି, ରାଜ୍ୟରେ କଂଗ୍ରେସ ଯୁବକଙ୍କୁ ସୁଯୋଗ ଦେଉଛି । ମାତ୍ର ଭାଜପା କେନ୍ଦ୍ରୀୟ ଏଜେନ୍ସିକୁ ଲଗାଇ ହାର୍ଦ୍ଦିକକୁ ଇସ୍ତଫା ଦେବାକୁ ବାଧ୍ୟ କରାଇଛି । ସମୟ ଥିଲା ହାର୍ଦ୍ଦିକ ବିଜେପି ବିରୋଧରେ ମୋର୍ଚ୍ଚା ଗଠନ କରିଥିଲେ, ମାତ୍ର ଆଜି ହାର୍ଦ୍ଦିକଙ୍କ ଭାଷା କିଛି ଅଲଗା କହୁଛି । ଗୁଜୁରାଟରେ ବିଜେପିର ଡଙ୍ଗା ଟଳମଳ, ତେଣୁ ଗେରୁଆ ଦଳ କଂଗ୍ରେସରେ ଗୋଷ୍ଠୀ କନ୍ଦଳ ସୃଷ୍ଟି କରିବା ନିମନ୍ତେ ପ୍ରୟାସ କରୁଛି ।

ଅପରପକ୍ଷେ ବିଜେପି କହିଛି, କଂଗ୍ରେସ ଯୁବକମାନଙ୍କୁ ସୁଯୋଗ ଦେଉ ନାହିଁ । ସେଥିପାଇଁ ଦଳରୁ ଜଣଙ୍କ ପରେ ଜଣେ ନେତା ଚାଲି ଯାଉଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଉପରେ ଅନେକ କଂଗ୍ରେସ ନେତା ଆସ୍ଥା ପ୍ରକଟ କରୁଛନ୍ତି । ହାର୍ଦ୍ଦିକଙ୍କୁ ବିଜେପିରେ ଗ୍ରହଣ କରାଯିବ କି ନାହିଁ ତାହା ଦଳର କେନ୍ଦ୍ରୀୟ ନେତୃତ୍ୱ ସ୍ଥିର କରିବେ । ଯଦି ହାର୍ଦ୍ଦିକ ବିଜେପିରେ ସାମିଲ ହୁଅନ୍ତି, ତେବେ ରାଜ୍ୟରେ ଦଳକୁ ନିଶ୍ଚିତ ଭାବେ ଫାଇଦା ମିଳିବ ।

Get real time updates directly on you device, subscribe now.