fbpx

‘ମୁସେୱାଲା ପରି ତୋର ଅବସ୍ଥା ହେବ’: ସଲମାନଙ୍କୁ ଜୀବନରୁ ମାରିବା ନେଇ ଆସିଲା ଏକ ଧମକପୂର୍ଣ୍ଣ ଚିଠି

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସଲମାନଙ୍କୁ ନେଇ ଏକ ବଡ଼ ଖବର ଆସିଛି । ସିଦ୍ଧୁ ମୁସେୱାଲାଙ୍କ ପରି ସଲମାନଙ୍କୁ ହତ୍ୟା କରାଯିବ ବୋଲି ଆସିଛି ଏକ ଧମକପୂର୍ଣ୍ଣ ଚିଠି । ଆଜି ସକାଳେ ସଲମାନଙ୍କ ପିତା ଜଗିଂକୁ ଯିବା ସମୟରେ ଘରର ବେଞ୍ଚରୁ ଏକ ଚିଠି ମିଳିଥିଲା । ତେବେ ଉକ୍ତ ଚିଠିରୁ ସଲମାନଙ୍କୁ ହତ୍ୟା ଧମକ ଦିଆଯାଇଥିବା ନେଇ ଜଣାପଡ଼ିଥିଲା । ଏନେଇ ପୋଲିସରେ ଏକ ମାମଲା ରୁଜୁ ହେବା ସହ ଘଟଣାର ଯାଞ୍ଚ ଆରମ୍ଭ ହୋଇଛି ।

ଗତ ମାସ ୨୯ ତାରିଖରେ ପଞ୍ଜାବୀ ଗାୟକ ତଥା ପଲିଟିସିଆନ ସିଦ୍ଧୁ ମୁସେୱାଲାଙ୍କୁ କିଛି ଗ୍ୟାଙ୍ଗଷ୍ଟର ଏକାଧିକ ରାଉଣ୍ଡ ଗୁଳି ଚଳାଇ ହତ୍ୟା କରିଥିଲେ । ଏହି ଘଟଣାକୁ ନେଇ ସାରା ଦେଶରେ ଚର୍ଚ୍ଚା ଜାରି ରହିଥିଲା । ଉକ୍ତ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଏହି କାରନାମା ଘଟାଇବା ପାଇଁ କିଛି ବର୍ଷ ପୂର୍ବରୁ ଯୋଜନା କରିଥିବା ଜଣାପଡ଼ିଥିଲା । ତେବେ ମୁସେୱାଲାଙ୍କ ପରି ସଲମାନଙ୍କ ଅବସ୍ଥା କରି ଦିଆଯିବ ବୋଲି ଅପରାଧୀମାନେ ଧମକ ଦେବା ପରେ ଅଭିନେତାଙ୍କ ସୁରକ୍ଷାକୁ କଡ଼ାକଡ଼ି କରିଦିଆଯାଇଛି ।

ମୁସେୱାଲାଙ୍କ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ମୁଖ୍ୟ ଅଭିଯୁକ୍ତ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଶ୍ନୋଇ ବର୍ତ୍ତମାନ ତିହାର ଜେଲରେ ରହିଛି । ସଲମାନଙ୍କ ଫିଲ୍ମ ‘କଫି ଇଦ୍ କଫି ଦିୱାଲି’ ବର୍ତ୍ତମାନ ସମୟରେ ଖୁବ୍ ଚର୍ଚ୍ଚାରେ ରହିଛି । ଉକ୍ତ ଫିଲ୍ମରେ ସଲମାନ ପୂଜା ହେଗଡ଼େଙ୍କ ସହିତ ପରଦାରେ ଦେଖାଦେବେ । ସଲମାନ ଫିଲ୍ମର ପ୍ରଥମ ଲୁକ୍ ନିଜର ଫ୍ୟାନ୍ସଙ୍କ ସହିତ ଶେୟାର କରିସାରିଛନ୍ତି । ତେବେ ଏହି ସମୟରେ ସଲମାନଙ୍କୁ ଗ୍ୟାଙ୍ଗଷ୍ଟର ଧମକ ଫ୍ୟାନ୍ସଙ୍କ ମନରେ ନିରାଶା ଭରି ଦେଇଛି ।

Get real time updates directly on you device, subscribe now.