fbpx

ଇଂଲଣ୍ଡ ଗସ୍ତ ପାଇଁ ପ୍ରସ୍ତୁତି ଆରମ୍ଭ କଲେ ରୋହିତ ଶର୍ମା, IPL 2022 ପରେ ପ୍ରଥମ ଥର ମଇଦାନକୁ ଓହ୍ଲାଇଲେ

ନୂଆଦିଲ୍ଲୀ: ରୋହିତ ଶର୍ମାଙ୍କ ନେତୃତ୍ଵାଧୀନ ଭାରତୀୟ ଦଳ ଜୁଲାଇ ପ୍ରଥମ ସପ୍ତାହରେ ଇଂଲଣ୍ଡ ବିପକ୍ଷରେ ଏକ ମାତ୍ର ଟେଷ୍ଟ ମ୍ୟାଚରୁ କ୍ରିକେଟର ଲମ୍ବା ଫର୍ମାଟକୁ ପ୍ରତ୍ୟାବର୍ତ୍ତନ କରିବ। ଭାରତ ନିଜର ଗତ ଟେଷ୍ଟ ଚଳିତ ବର୍ଷ ମାର୍ଚ୍ଚରେ ଶ୍ରୀଲଙ୍କା ବିପକ୍ଷରେ ଖେଳିଥିଲା। ଏବେ ଦଳ ଜୁଲାଇରେ ସିଜିନର ପ୍ରଥମ ଟେଷ୍ଟ ଖେଳିବ। ଇଂଲଣ୍ଡ ଗସ୍ତରେ ଭାରତକୁ ପଞ୍ଚମ ତଥା ଅନ୍ତିମ ଟେଷ୍ଟ ଖେଳିବାର ଅଛି। ଗତ ବର୍ଷ କରୋନା କାରଣରୁ ଶେଷ ଟେଷ୍ଟ ମ୍ୟାଚ୍ ରଦ୍ଦ ହୋଇଥିଲା। ଉକ୍ତ ସିରିଜରେ ଭାରତ ୨-୧ରେ ଅଗ୍ରଣୀ ହାସଲ କରିଛି।

ଭାରତୀୟ ଦଳ ଅଧିନାୟକ ରୋହିତ ଶର୍ମା ଏହି ଟେଷ୍ଟ ମ୍ୟାଚ୍ ପାଇଁ ନିଜର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ରୋହିତ ଆଇପିଏଲ ୨୦୨୨ ସରିବା ପରେ ପ୍ରଥମ ଥର ମଇଦାନକୁ ଓହ୍ଲାଇଛନ୍ତି. ସେ ନିଜର ଇନଷ୍ଟାଗ୍ରାମରେ ଟ୍ରେନିଂକୁ ନେଇ ଫଟୋ ପୋଷ୍ଟ କରିଛନ୍ତି। ଏଥିରେ ସେ ପଡିଆରେ ଦୌଡୁଥିବା ଦେଖିବାକୁ ମିଳିଛି। ପଡିଆରେ ରୋହିତ ଝାଳ ବୁହାଇଛନ୍ତି। ୩୫ ବର୍ଷୀୟ ରୋହିତ ଶର୍ମାଙ୍କୁ ଦକ୍ଷିଣ ଆଫ୍ରିକା ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ବିଶ୍ରାମ ଦିଆଯାଇଛି। କେଲଏ ରାହୁଲଙ୍କୁ ଦଳର ଅଧିନାୟକ ଦାୟିତ୍ଵ ଦିଆଯାଇଛି। ଏହି ସିରିଜ ପରେ ଭାରତ ଆୟରଲାଣ୍ଡ ସହିତ ଦୁଇ ମ୍ୟାଚର ଟି-୨୦ ସିରିଜ ଖେଳିବ।

ସଂପ୍ରତି ରୋହିତ ଶର୍ମା ଫର୍ମରେ ନାହାନ୍ତି। ଆଇପିଏଲ ୨୦୨୨ରେ ମଧ୍ୟ ସେ ନିଜର ଲୟରେ ନଜର ଆସିନଥିଲେ। ତାଙ୍କ ନିରାଶଜନକ ପ୍ରଦର୍ଶନର ପ୍ରଭାବ ମୁମ୍ବାଇ ଇଣ୍ଡିଆନ୍ସ ଉପରେ ପଡିଥିଲା। ଫଳରେ ଦଳ ଚଳିତ ସଂସ୍କରଣରେ ନିମ୍ନମାନର ପ୍ରଦର୍ଶନ ଖେଳି ପଏଣ୍ଟ ଟେବୁଲର ଶେଷରେ ରହିଥିଲା। ହେଲେ ଅନ୍ତର୍ଜାତୀୟ କ୍ରିକେଟରେ ରୋହିତ ନିଜର ପୁରୁଣା ଫର୍ମକୁ ଫେରିବେ ବୋଲି ଆଶା କରାଯାଉଛି।

Get real time updates directly on you device, subscribe now.