fbpx

ପ୍ରଫେଟ ମହମ୍ମଦଙ୍କୁ ନେଇ ଟିପ୍ପଣୀ: ଓଆଇସିକୁ ଭାରତର ଜବାବ

ନୂଆଦିଲ୍ଲୀ: ପ୍ରଫେଟ ମହମ୍ମଦଙ୍କୁ ନେଇ ହେଉଥିବା ବାଦ ବିବାଦ ମଧ୍ୟରେ ଭାରତ ସରକାର ଅର୍ଗାନାଇଜେସନ ଅଫ ଇସଲାମିକ କୋ-ଅପରେସନ(ଓଆଇସି)କୁ ନିଜର ଜବାବ ଦେଇଛନ୍ତି । ସେହିପରି ବିଦେଶ ମନ୍ତ୍ରାଳୟ ଓଆଇସି ସଚିବାଳୟ ଦେଇଥିବା ବୟାନକୁ ନିନ୍ଦା କରିବା ସହ ଧର୍ମ ପ୍ରତି ସମ୍ମାନ ଭାବନା ଦେଖାଇବା ପାଇଁ କହିଛି । ଭାରତୀୟ ଜନତା ପାର୍ଟିର ପ୍ରବକ୍ତା ନୁପୂର ଶର୍ମାଙ୍କ ବୟାନ ପରେ ଉତ୍ତେଜନା ଦେଖାଯାଇଥିଲା । ଅନେକ ଦେଶ ପ୍ରଫେଟ ମହମ୍ମଦଙ୍କୁ ନେଇ ହୋଇଥିବା ଟିପ୍ପଣୀର ବିରୋଧ କରିଥିଲେ । ଯାହାପରେ ବିଜେପି ନୁପୂର ଶର୍ମାଙ୍କୁ ନିଲମ୍ବିତ କରିଛି ।

ବିଦେଶ ମନ୍ତ୍ରାଳୟର ପ୍ରବକ୍ତା ଅରିନ୍ଦମ ବାଗଚୀ କହିଛନ୍ତି ଭାରତ ସରକାର ‘ଅର୍ଗାନାଇଜେସନ ଅଫ ଇସଲାମିକ କୋ-ଅପରେସନ’ ସଚିବାଳୟର ଭୁଲ୍ ଏବଂ ସଙ୍କୀର୍ଣ୍ଣ ମାନସିକତାର ବୟାନକୁ ଖାରଜ କରିଛନ୍ତି । ସେହିପରି ଭାରତ ସରକାର ସର୍ବ ଧର୍ମକୁ ସର୍ବୋଚ୍ଚ ସମ୍ମାନ ଦେଇଥାଏ । ସେ ଏହା ମଧ୍ୟ କହିଛନ୍ତି ଏକ ଧାର୍ମିକ ବ୍ୟକ୍ତିତ୍ୱକୁ ଅପମାନିତ କରିବା ପାଇଁ ଆପତ୍ତିଜନକ ଟ୍ୱିଟ୍ ଓ ବୟାନ କିଛି ଲୋକଙ୍କ ତରଫରୁ ଦିଆଯାଇଥିଲା । ଏହା ଭାରତ ସରକାରଙ୍କ ମତ ବୋଲି କୁହାଯାଇପାରିବ ନାହିଁ । ସେହିପରି ଏହି ଲୋକଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ସାରିଛି । ଓଆଇସି ସଚିବାଳୟ ତାର ସାମ୍ପ୍ରଦାୟିକ ଭାବନାକୁ ଛାଡି ଅନ୍ୟ ଧର୍ମକୁ ସମ୍ମାନ ଦେବାପାଇଁ ବାଗଚୀ ନିବେଦନ କରିଛନ୍ତି ।

ସୂଚନାଯୋଗ୍ୟ, ନିଜକୁ ମୁସଲମାନମାନ ସ୍ୱର କହୁଥବା ଓଆଇସିର ୫୭ଜଣ ସଦସ୍ୟ ପ୍ରଫେଟ ମହମ୍ମଦଙ୍କ ବିରୋଧରେ ଦିଆଯାଇଥିବା ମନ୍ତବ୍ୟକୁ ନେଇ ଭାରତକୁ ଟାର୍ଗେଟ କରିଥିଲା । ଏହା ସହିତ ଭାରତର ମୁସଲମାନମାନଙ୍କ ସମସ୍ୟାର ସମାଧାନ କରିବା ପାଇଁ କହିଥିଲା । ଓଆଇସି, ଶିକ୍ଷାନୁଷ୍ଠାନ ମାନଙ୍କରେ ସ୍କାର୍ଫ ବାନ୍ଧିବାକୁ ନେଇ ପ୍ରତିବନ୍ଧକ ଲଗାଇବା ସହ ମୁସଲମାନମାନଙ୍କ ସମ୍ପତ୍ତିକୁ ନଷ୍ଟ କରିବା କଥା କହିଥିଲା । ଭାରତର ମୁସଲମାନମାନଙ୍କ ସୁରକ୍ଷା ଓ କଲ୍ୟାଣ କଥା ମଧ୍ୟ କହିଥିଲା ।

 

Get real time updates directly on you device, subscribe now.