ନୂଆଦିଲ୍ଲୀ: ଭାରତୀୟ ନିର୍ବାଚନ ଆୟୋଗ ଗୁରୁବାର ଦେଶରେ ରାଷ୍ଟ୍ରପତି ନିର୍ବାଚନ ନେଇ ଘୋଷଣା କରିଛନ୍ତି । ଘୋଷଣା ଅନୂଯାୟୀ ୧୫ ଜୁନ୍ରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବ । ଯେଉଁଥିରେ ୨୯ ଜୁନ୍ ମଧ୍ୟରେ ନାମାଙ୍କନ ଶେଷ ହେବ । ଏହାପରେ ମତଦାନ ୧୮ ଜୁଲାଇରେ ହେବ ଏବଂ ଫଳାଫଳ ୨୧ ଜୁଲାଇରେ ଘୋଷଣା ହେବ । ଏହି ପରି ଭାବରେ ୨୫ ଜୁଲାଇରେ ସୁପ୍ରିମ କୋର୍ଟର ମୁଖ୍ୟ ବିଚାରପତି ନୂଆ ରାଷ୍ଟ୍ରପତିଙ୍କୁ ଶପଥ ଗ୍ରହଣ କରାଇବେ । ତେବେ ଭାରତରେ ରାଷ୍ଟ୍ରପତି ପରୋକ୍ଷ ଭାବରେ ନିର୍ବାଚିତ ହୋଇଥାନ୍ତି, ସାଧାରଣ ଜନତାଙ୍କ ଦ୍ୱାରା ନିର୍ବାଚିତ ହୋଇଥିବା ଜନ ପ୍ରତିନିଧିଙ୍କ ଦ୍ୱାରା । କିନ୍ତୁ ସଂସଦରେ ନାମିତ ସଦସ୍ୟ ଏବଂ ବିଧାନ ପରିଷଦ ସଦସ୍ୟ ରାଷ୍ଟ୍ରପତି ନିର୍ବାଚନରେ ଭାଗ ନେଇ ପାରିନଥାନ୍ତି କାରଣ ସେମାନେ ଜନତାଙ୍କ ଦ୍ୱାରା ସିଧାସଳଖ ନିର୍ବାଚିତ ହୋଇନଥାନ୍ତି ।
ତେବେ ଆସନ୍ତୁ ଜାଣିବା କେମିତି ହୋଇଥାନ୍ତି ଦେଶରେ ରାଷ୍ଟପ୍ରତି ନିର୍ବାଚିତ:
ଯୋଗ୍ୟତା:
ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀଙ୍କୁ ଅନେକ ଯୋଗ୍ୟତାର ଆବଶ୍ୟକ ରହିଥାଏ । ଅନୁଚ୍ଛେଦ ୫୮ ଅନୂଯାୟୀ ଜଣେ ପ୍ରାର୍ଥୀଙ୍କୁ ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ଲଢ଼ିବା ପାଇଁ ପ୍ରଥମେ ଭାରତୀୟ ନାଗରିକ ହୋଇଥିବା ଆବଶ୍ୟକ, ତାଙ୍କୁ ୩୫ ବର୍ଷ ବୟସ ହୋଇଥିବା ଆବଶ୍ୟକ, ସେ ଲୋକସଭା ସଦସ୍ୟ ହେବା ଯୋଗ୍ୟ ହୋଇଥିବା ଆବଶ୍ୟକ । ଏହା ସହ ଭାରତ ସରକାର କିମ୍ବା କୌଣସି ରାଜ୍ୟ ସରକାରଙ୍କ ଅଧୀନରେ କୌଣସି ଲାଭଜନକ ପଦବୀରେ କାର୍ଯ୍ୟ କରୁନଥିବେ । ଅବଶ୍ୟ ଆଶାୟୀ କୌଣସି ରାଜ୍ୟର ରାଷ୍ଟ୍ରପତି କିମ୍ବା ଉପରାଷ୍ଟ୍ରପତି କିମ୍ବା ରାଜ୍ୟପାଳ କିମ୍ବା ସଂଘ କିମ୍ବା କୌଣସି ରାଜ୍ୟର ମନ୍ତ୍ରୀ ପଦ ଧାରଣ କରିପାରିବେ ଏବଂ ନିର୍ବାଚନ ଲଢ଼ିପାରିବେ ।
ନାମାଙ୍କନ:
ଯୋଗ୍ୟତା ପରେ ଅନ୍ୟ ପର୍ଯ୍ୟାୟ ହେଉଛି ନାମାଙ୍କନ । ରାଷ୍ଟ୍ରପତି ପଦରେ ଆଶାୟୀଙ୍କୁ ନିଜ ନାମାଙ୍କନ ଦାଖଲ କରିବାକୁ ହୋଇଥାଏ । ଏଥିପାଇଁ ୧୫୦୦୦ ଟଙ୍କାରୁ ଅଧିକ ଜମା କରିବାକୁ ପଡ଼ିଥାଏ ଏବଂ ୫୦ ପ୍ରସ୍ତାବକ ଏବଂ ୫୦ ସମର୍ଥକଙ୍କ ଏକ ହସ୍ତାକ୍ଷର ଦାଖଲ କରିବାକୁ ହେବ ।
ସାଂସଦଙ୍କୁ ସବୁଜ ରଙ୍ଗ ଏବଂ ବିଧାୟକଙ୍କୁ ଗୋଲାପୀ ରଙ୍ଗର ମତପତ୍ର:
ରାଷ୍ଟ୍ରପତି ପଦ ପାଇଁ ହେବାକୁ ଥିବା ନିର୍ବାଚନ ପାଇଁ ମତଦାନ ଭିନ୍ନ ଭିନ୍ନ ସ୍ଥାନରେ ହୋଇଥାଏ । ସବୁ ନିର୍ବାଚିତ ବିଧାୟକ ନିଜ ନିଜ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ମତଦାନ କରିଥାନ୍ତି । ସବୁ ନିର୍ବାଚିତ ସାଂସଦ ରାଜ୍ୟସଭା ଏବଂ ଲୋକସଭାରେ ଭୋଟ କରିଥାନ୍ତି । ଭୋଟ ଦେବା ପାଇଁ ନିର୍ବାଚିତ ସାଂସଦ ଏବଂ ନିର୍ବାଚିତ ବିଧାୟକଙ୍କୁ ଭୋଟପତ୍ର ଦିଆଯାଇଥାଏ । ସାଂସଦଙ୍କୁ ସବୁଜ ରଙ୍ଗ ଏବଂ ବିଧାୟକଙ୍କୁ ଗୋଲାପୀ ରଙ୍ଗର ଭୋଟ ପତ୍ର ଦିଆଯାଏ । ସେମାନଙ୍କୁ ସ୍ୱତନ୍ତ୍ର ପେନ୍ ମଧ୍ୟ ଦିଆଯାଏ, ଯାହାର ଉପଯୋଗ ସେମାନେ ନିଜ ଭୋଟ ରେକର୍ଡ କରିବା ପାଇଁ କରିଥାନ୍ତି ।
ନିର୍ବାଚନ ଆୟୋଗଙ୍କ ସ୍ୱତନ୍ତ୍ର ପେନର ରହିଛି ବଡ଼ ମହତ୍ତ୍ୱ:
ରାଷ୍ଟ୍ରପତି ନିର୍ବାଚନ ସମୟରେ ଭୋଟପେପରରେ ସବୁ ପ୍ରାର୍ଥୀଙ୍କ ନାମ ରହିଥାଏ ଏବଂ ଭୋଟର ନିଜ ପସନ୍ଦର ପ୍ରାର୍ଥୀଙ୍କ ପାଖରେ ୧ କିମ୍ବା ୨ ଲେଖିବାକୁ ହୋଇଥାଏ । ୧ ଅର୍ଥାତ୍ ଭୋଟରଙ୍କ ପ୍ରଥମ ପସନ୍ଦ ପ୍ରାର୍ଥୀ ୨ ଅର୍ଥାତ୍ ଭୋଟରଙ୍କ ଦ୍ୱିତୀୟ ପସନ୍ଦର ପ୍ରାର୍ଥୀ । ଆଉ ଏହି ୧ କିମ୍ବା ୨ ଅଙ୍କ ଲେଖିବା ପାଇଁ ନିର୍ବାଚନ ଆୟୋଗ ସ୍ୱତନ୍ତ୍ର ପେନ୍ ଲପଲବ୍ଧ କରାଇଥାନ୍ତି । ଯଦି ଏହି ଅଙ୍କ କୌଣସି ଅନ୍ୟ ପେନରେ ଲେଖାଯାଏ ତେବେ ଏହି ଭୋଟ ଅଗ୍ରାହ୍ୟ ହୋଇଥାଏ ।
ଆଶାୟୀଙ୍କ ଟ୍ରେ ରେ ଯାଇଥାଏ ଭୋଟ:
ବିଧାୟକଙ୍କ ଭୋଟକୁ ରାଜ୍ୟରୁ ଏକାଠି କରାଯାଏ ଏବଂ ତାହାକୁ ପ୍ରଥମ ପସନ୍ଦ ଦ୍ୱିତୀୟ ପସନ୍ଦ ନାମ ହିସାବରେ ଟ୍ରେ ରେ ରଖାଯାଏ । ଗତ ନିର୍ବାଚନ କଥା କହିଲେ ଯଦି କେହି ବିଧାୟକ ରାମନାଥ କୋବିନ୍ଦଙ୍କୁ ନିଜର ପ୍ରଥମ ପସନ୍ଦ ଭାବରେ ଚିହ୍ନିତ କରିଥିଲେ ତେବେ ତାଙ୍କ ଭୋଟ କୋବିନ୍ଦଙ୍କ ଟ୍ରେ କୁ ପଠାଯାଇଥିଲା । ଏହି ଭଳି ସାଂସଦଙ୍କ ଭୋଟକୁ ମଧ୍ୟ ପଠାଯାଇଥାଏ ।
ରାଷ୍ଟ୍ରପତି ନିର୍ବାଚନରେ ଭାଗ ନେଉଥିବା ସାଂସଦ ଏବଂ ବିଧାୟକଙ୍କ ଭୋଟ୍ ର ୱେଟେଜ ଅଲଗା ଅଲଗା ରହିଥାଏ । ଦୁଇ ଅଲଗା ଅଲଗା ରାଜ୍ୟର ବିଧାୟକଙ୍କ ଭୋଟ୍ ର ୱେଟେଜ୍ ମଧ୍ୟ ଅଲଗା ଅଲଗା ହୋଇଥାଏ । ୱେଟେଜ ପାଇଁ ରାଜ୍ୟର ଜନସଂଖ୍ୟା ମାନକ ହୋଇଥାଏ । ଏହାପରେ ରାଜ୍ୟର ଜନସଂଖ୍ୟାକୁ ବଛା ଯାଇଥିବା ବିଧାୟକଙ୍କ ସଂଖ୍ୟା ଦ୍ୱାରା ଭାଗ କରାଯାଏ ଏବଂ ପରେ ପୁଣି ୧୦୦୦ ରେ ଭାଗ କରାଯାଏ । ଏହାପରେ ଯେଉଁ ଅଙ୍କ ମିଳିଥାଏ ତାହା ସେହି ରାଜ୍ୟର ଭୋଟ୍ ର ୱେଟେଜ ହୋଇଥାଏ ।
ସବୁଠୁ ଅଧିକ ମତ ନୁହେଁ, ନିଶ୍ଚିତ କୋଟାରୁ ଅଧିକ ଭୋଟ ପାଇବା ଜରୁରୀ:
ଏହି ନିର୍ବାଚନରେ ସବୁଠୁ ଅଧିକ ଭୋଟ ପ୍ରାପ୍ତ କରିବା ନୁହେଁ ବରଂ ଏକ ନିଶ୍ଚିତ କୋଟାରୁ ଅଧିକ ମତ ପାଇଥିବା ପ୍ରାର୍ଥୀଙ୍କୁ ବିଜେତା କୁହାଯାଏ । ପ୍ରତ୍ୟେକ ପ୍ରାର୍ଥୀଙ୍କ ପାଇଁ ଦିଆଯାଇଥିବା ଭୋଟକୁ ଯୋଡ଼ି ପୁଣି ଏହାକୁ ଦୁଇ ଭାଗ କରାଯାଏ ଏବଂ ଭାଗଫଳରେ ୧ ଯୋଡ଼ି କୋଟା ପ୍ରସ୍ତୁତ କରାଯାଏ ।