ନୂଆଦିଲ୍ଲୀ: କର୍ମଚାରୀଙ୍କ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ) ପକ୍ଷରୁ ତା’ର ଗ୍ରାହକଙ୍କ ପାଇଁ ଏକ ସୁଖବର ଆସିଛି । ଇପିଏଫଓ ପକ୍ଷରୁ ଗ୍ରାହକଙ୍କୁ ଖୁବଶୀଘ୍ର ମିଳିପାରେ ଏକ ଶାନଦାର ଉପହାର । ଗ୍ରାହକଙ୍କ ସର୍ବନିମ୍ନ ପେନସନ ରାଶି ତିନି ଗୁଣା ବୃଦ୍ଧି ହୋଇପାରେ । ଆସନ୍ତା ମାସରେ ଇପିଏଫଓର ସେଣ୍ଟ୍ରାଲ ବୋର୍ଡ ଅଫ୍ ଟ୍ରଷ୍ଟିଜର ବୈଠକ ବସିବାର ଅଛି । ଏହି ବୈଠକରେ ସର୍ବନିମ୍ନ ପେନସନ ବୃଦ୍ଧି ନେଇ ଆଲୋଚନା ହୋଇପାରେ ବୋଲି ଏକ ରିପୋର୍ଟରୁ ଜଣାପଡ଼ିଛି ।
ଜଣାପଡ଼ିଛି ଯେ, ଇପିଏଫଓ ଗ୍ରାହକଙ୍କ ସର୍ବନିମ୍ନ ପେନସନ ରାଶି ୧୦୦୦ ଟଙ୍କାରୁ ବୃଦ୍ଧି ପାଇଁ ୩ ହଜାର ଟଙ୍କା ହୋଇପାରେ । ଶ୍ରମ ସଚିବଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତ ହୋଇଥିବା ଏକ କମିଟି ଏନେଇ ଖୁବଶୀଘ୍ର ନିଜର ରିପୋର୍ଟ ପ୍ରଦାନ କରିବ । ଏହି ନିଷ୍ପତ୍ତି ଫଳରେ ଇପିଏଫଓର ପାଖାପାଖି ୬.୫ ଲକ୍ଷ ପେନସନଧାରୀ ଓ ୫ କୋଟି ଗ୍ରାହକ ଉପକୃତ ହେବେ ।
ସୂଚନାଯୋଗ୍ୟ ଯେ, କିଛିଦିନ ପୂର୍ବରୁ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଇପିଏଫଓ ଗ୍ରାହକଙ୍କୁ ଝଟକା ମିଳିଥିଲା । ଆର୍ଥିକ ବର୍ଷ ୨୦୨୧-୨୨ ପାଇଁ ସୁଧ ହାର ୮.୧ ପ୍ରତିଶତ ଘୋଷଣା କରାଯାଇଥିଲା । ତା’ ପୂର୍ବରୁ ଆର୍ôଥକ ବର୍ଷ ୨୦୨୦-୨୧ ପାଇଁ ପିଏଫ୍ ସୁଧ ହାର ୮.୫ ପ୍ରତିଶତ ରହିଥିଲା । ତେବେ କେନ୍ଦ୍ର ସରକାରଙ୍କର ଉକ୍ତ ନିଷ୍ପତ୍ତି ଫଳରେ ୬.୫ କୋଟି ଚାକିରିଆ ପ୍ରଭାବିତ ହୋଇଥିଲେ ।