ଛତିଶଗଡ଼(ଓଡ଼ିଶା ଭାସ୍କର): ନିର୍ମାଣଧୀନ ବୋରୱେଲରେ ଏକ ୧୦ ବର୍ଷର ଶିଶୁ ପଡ଼ି ଘଟିଯାଇଛି ଅଭାବନୀୟ ଘଟଣା। ଦୀର୍ଘ ୪୦ଘଣ୍ଟାରୁ ଅଧିକ ସମୟ ଉଦ୍ଧାର କାର୍ଯ୍ୟ ଚାଲିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଶିଶୁକୁ ଉଦ୍ଧାର କରାଯାଇପାରି ନାହିଁ। ତେବେ ଛତିଶଗଡ଼ର ଜାଞ୍ଜଗୀର-ଚାମ୍ପା ଜିଲା ଅନ୍ତର୍ଗତ ପିହରିଦ ଗାଁରେ ଘଟିଛି ଏଭଳି ଅଘଟଣ। ତେବେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ବୋରୱେଲରେ ଫସିଥିବା ଶିଶୁକୁ ନେଇ ଚିନ୍ତିତ ଥିବା ଜଣା ପଡ଼ିଛି ।
ରାହୁଲ ନାମକ ଏକ ୧୦ବର୍ଷର ନାବାଳକ ନିଜ ଘର ପରିସରରେ ଖୋଳା ଯାଇଥିବା ବୋରୱେଲରେ ପଡ଼ିଯାଇଥିବା ସୂଚନା ମିଳିବା ପରେ ସ୍ଥାନୀୟ ପ୍ରଶାସନ ଏବଂ ରେସ୍କ୍ୟୁ ଟିମ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ସ୍ଥାନୀୟ ପ୍ରଶାସନ ଏନଡିଆରଏଫ ଟିମକୁ ଡକାଇ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରିଥିବା ସୂଚନା ମିଳିଛି। ସୂଚନାନୁସାରେ ରେସ୍କ୍ୟୁଟିମ ରାହୁଲକୁ ଲଗାତାର ଭାବେ ପାଇପ ମାଧ୍ୟମରେ ଖାଦ୍ୟ ଓ ଅକ୍ସିଜେନ ସପ୍ଲାଏ କରୁଛି। ସେହିପରି ଜିଲ୍ଲା ପ୍ରଶାସନ ଓ ରେସ୍କ୍ୟୁଟିମ ବୋରୱେଲ ଭିତରେ କ୍ୟାମେରା ପୂରାଇ ଶିଶୁ ଉପରେ ନଜର ରଖିଥବା ସୂଚନା ମିଳିଛି।
ଏନଡିଆରଏଫ ଟିମ ଦ୍ୱାରା ବୋରୱେଲଠୁ କିଛି ଦୂରରେ ଏକ ୫୦ଫୁଟର ଗାତ ଖୋଳା ଯାଇଛି। ସେହିପରି ପୋକଲେନ ଓ ଡ୍ରିଲିଂ ମେସିନ ସାହାଯ୍ୟରେ ବୋରୱେଲ ନିକଟକୁ ଏକ ସୁଡ଼ଙ୍ଗ ତିଆରି କରାଯାଉଛି ଯାହା ଦ୍ୱାରା ଶିଶୁକୁ ଉଦ୍ଧାର କରାଯାଇ ପାରିବ। ଏହି ଉଦ୍ଧାର କାର୍ଯ୍ୟରେ ରୋବଟର ସାହାଯ୍ୟ ନିଆଯିବାର ସୂଚନା ରହିଛି। ଏଥିପାଇଁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ସେହିପରି ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ଘଟଣା ଉପରେ ନଜର ରଖିଛନ୍ତି। ମୁଖ୍ୟମନ୍ତ୍ରୀ ଘଟଣାକୁ ନେଇ ଟ୍ୱିଟ ମଧ୍ୟ କରିଛନ୍ତି। ରାତିସାରା ରେସ୍କ୍ୟୁ ଅପଡେଟ ନେବା ସହ ଆଜି ସକାଳେ ରାହୁଲର ପରିବାର ଲୋକଙ୍କ ସହ ଭିଡିଓ କଲ ମାଧ୍ୟମରେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ଭୁପେଶ। ତେବେ ରାହୁଲର ପରିବାର ଲୋକଙ୍କୁ ସାନ୍ତ୍ୱନା ଦେବା ସହ ଶୀଘ୍ର ରାହୁଲକୁ ଉଦ୍ଧାର କରାଯିବ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ଭୁପେଶ।