fbpx

ଆତ୍ମ ନିର୍ଭରଶୀଳ ଗୀତାଞ୍ଜଳି, ଗ୍ରାଜୁଏସନ୍ ପରେ ଚାକିରୀ ପଛରେ ନ ଗୋଡାଇ ଖୋଲିଛନ୍ତି ଜଳଖିଆ ଦୋକାନ

କେନ୍ଦ୍ରାପଡ଼ା,(ଭାସ୍କର ନ୍ୟୁଜ): ଚାକିରି ପଛରେ ଗୋଡାଇ ବେକାର ହେବା ଅପେକ୍ଷା ନିଜେ କିଛି ବ୍ୟବସାୟ କରି ଆତ୍ମନିର୍ଭରଶୀଳ ହେବା ଶ୍ରେୟସ୍କର । କାରଣ କୌଣସି ବ୍ୟବସାୟ କରିବା ଦ୍ୱାରା ନିଜେ ଆତ୍ମନିର୍ଭରଶୀଳ ହେବା ସହ ଅନ୍ୟମାନଙ୍କ ଉଦାହରଣ ପାଲଟି ପାରିଛନ୍ତି । ଏହିଭଳି ଜଣେ ଶିକ୍ଷିତା ଯୁବତୀ ହେଉଛନ୍ତି ଗୀତାଞ୍ଜଳି ସାହୁ । ଗୀତାଞ୍ଜଳି କେନ୍ଦ୍ରାପଡ଼ାର ଆରାଧ୍ୟ ପ୍ରଭୁ ସିଦ୍ଧ ଶ୍ରୀବଳଦେବଜିଉଙ୍କ ମନ୍ଦିର ସମ୍ମୁଖରେ ଏକ ଜଳଖିଆ ଦୋକାନ କରିଛନ୍ତି । ଗୀତାଞ୍ଜଳି ଶିକ୍ଷା(ଏଜୁକେସନ) ଅନର୍ସ ରଖି ୨୦୧୮ ମସିହାରେ ଉକ୍ରଳ ବିଶ୍ୱବିଦ୍ୟାଳୟରୁ ବିଏ ପାସ୍‌ କରିଛନ୍ତି । ଏହାପରେ ସେ ଚାକିରି ପଛରେ ନ ଗୋଡାଇ ନିଜେ ବ୍ୟବସାୟ କରୁଛନ୍ତି । ଏଥିସହିତ ସେ ଜଣେ ସମାଜସେବୀ ଭାବେ ମଧ୍ୟ ବେଶ ପରିଚିତ ।

ଗୀତାଞ୍ଜଳିଙ୍କ ୪ ଭଉଣୀ । ଏହି ଦୋକାନରେ ସେ ଦିନକୁ ୧୦ ଘଣ୍ଟା କାମ କରନ୍ତି । ୪ ଭଉଣୀ ମଧ୍ୟରୁ ଗୀତାଞ୍ଜଳି ଦ୍ୱିତୀୟ । କେନ୍ଦ୍ରାପଡା ସହରର ବଡ଼ବାରଙ୍ଗ ଗ୍ରାମର କେଶବ ସାହୁ କୁହନ୍ତି ଗୀତାଞ୍ଜଳି ମୋ ଝିଅ ଓ ପୁଅ ଉଭୟ । କାରଣ ସେ ପୁଅ ଭଳି ଦୋକାନ ସମ୍ଭାଳୁଛି ଓ ଝିଅ ହୋଇ ଘର କାମ ମଧ୍ୟ କରୁଛି । ସେ ଦୋକାନ ନ ସମ୍ଭାଳିଲେ ଦୋକାନ ଚାଲି ପାରେ ନାହିଁ । କାରଣ ଦୋକାନର ସବୁ କାର୍ଯ୍ୟ ମୁଁ କରିପାରେ ନାହିଁ । ତେଣୁ ମୁଁ କେବେ ଅନୁଭବ କରିନାହିଁ ଯେ ମୋର ପୁଅ ନାହିଁ ବୋଲି । ଚାକିରି ସମ୍ପର୍କରେ ପଚାରିବାରେ ଗୀତାଞ୍ଜଳି କୁହନ୍ତି ଆମେ ସମସ୍ତେ ଯଦି ଚାକିରି ପଛରେ ଦୌଡିବା ତାହା ହେଲେ ଆମ ଅର୍ଥନୀତି ସୁଦୃଢ ହୋଇ ପାରିବ ନାହିଁ । ତେଣୁ ଆମକୁ ବ୍ୟବସାୟ ମଧ୍ୟ କରିବାକୁ ପଡିବ । କାରଣ ମୁଁ ଦୋକାନ ପାଇଁ ଯେଉଁ ସବୁ ଜିନିଷ ବଜାରରୁ କିଣୁଛି ସେ ଜିନିଷ ପ୍ରସ୍ତୁତ କରିବା ପାଇଁ ଅନେକ ପରିବାର ପରୋକ୍ଷରେ ନିୟୋଜିତ ହୋଇଛନ୍ତି । ତେଣୁ ପରୋକ୍ଷରେ ମୋ ଦୋକାନ ପାଇଁ ଅନେକ ପରିବାର ପ୍ରତିପୋଷଣ ହୋଇ ପାରୁଛନ୍ତି । ସେ କହିଛନ୍ତି ପାଠ ପଢିଥିଲେ ସବୁ କ୍ଷେତ୍ରରେ ତାହାକୁ କାର୍ଯ୍ୟକାରୀ କରିହେବ । କେବଳ ପାଠ ପଢି ଯେ ଚାକିରି କରିବା ସେ ମାନସିକତାରୁ ଶିକ୍ଷିତ ଯୁବକ ଯୁବତୀମାନେ ଦୂରେଇ ରହିବା ଆବଶ୍ୟକ । କାରଣ ପାଠର ମହତ୍ତ୍ୱ ସବୁ ସ୍ଥାନରେ ରହିଛି ବୋଲି କହିଛନ୍ତି ଗୀତାଞ୍ଜଳି ।

Get real time updates directly on you device, subscribe now.