ନୂଆଦିଲ୍ଲୀ: ବେସରକାରୀ ଶିକ୍ଷକଙ୍କ ପାଇଁ ଆସିଛି ବଡ଼ ଖୁସିଖବର । ଏଣିକି ବେସରକାରୀ ଶିକ୍ଷକମାନେ ମଧ୍ୟ ସରକାରୀ ଇଂରାଜୀ ବିଦ୍ୟାଳୟରେ ଗେଷ୍ଟ ଫେକଲ୍ଟୀ ଭାବରେ ପାଠ ପଢ଼ାଇପାରିବେ । ସେହି ହିସାବରେ ତାଙ୍କୁ ଘଣ୍ଟା ପ୍ରତି ୩୦୦ରୁ ୪୦୦ ଟଙ୍କା ଦରମା ମଧ୍ୟ ମିଳିବ । ରାଜସ୍ଥାନର ଶିକ୍ଷା ବିଭାଗ ଦ୍ୱାରା ଏହି ବଡ଼ ଘୋଷଣା କରାଯାଇଛି ।
ତେବେ ଅନେକ ଚେଷ୍ଟା ସତ୍ତେ୍ୱ ବିଭାଗକୁ ସରକାରୀ ଇଂରାଜୀ ସ୍କୁଲରେ ପାଠ ପଢ଼ାଇବାକୁ ଯୋଗ୍ୟ ଶିକ୍ଷକ ମିଳିପାରିଲେ ନାହିଁ । ଯାହାଫଳରେ ଶିକ୍ଷା ବିଭାଗ ଏଭଳି ଏକ ବଡ଼ ପଦକ୍ଷେପ ନେଇଛି । ଏହା ମାଧ୍ୟମରେ ରାଜ୍ୟରେ ବିଦ୍ୟା ସମ୍ବଳ ଯୋଜନାର ଶୁଭାରମ୍ଭ କରିଛି ଶିକ୍ଷା ବିଭାଗ ।
ସୂଚନାଯୋଗ୍ୟ ଯେ, ୨୦୨୧-୨୨ ଆର୍ଥିକ ବର୍ଷ ବଜେଟରେ ବିଦ୍ୟା ସମ୍ବଳ ଯୋଜନାର ଘୋଷଣା କରିଥିଲେ ରାଜସ୍ଥାନ ସରକାର । ରାଜସ୍ଥାନରେ କର୍ମଚାରୀଙ୍କ ଅଭାବକୁ ପୂରଣ କରିବା ପାଇଁ ଏହି ଯୋଜନା ଆରମ୍ଭ ହୋଇଥିଲା । ଏହା ମାଧ୍ୟମରେ ସରକାରୀ ସ୍କୁଲ ଓ ଶିକ୍ଷାନୁଷ୍ଠାନଗୁଡ଼ିକରେ କର୍ମଚାରୀଙ୍କ ଅଭାବକୁ ପୂରଣ କରିବା ପାଇଁ ଗେଷ୍ଟ ଫେକଲ୍ଟୀମାନଙ୍କୁ ନିୟୋଜିତ କରାଯିବ । ସେଥିରେ ଶିକ୍ଷକମାନଙ୍କୁ ଘଣ୍ଟା ହିସାବରେ ଦରମା ଦିଆଯିବ ।